ବିଷ୍ଣୁଭାଇ ଥିଲେ ଯୁବପିଢିଙ୍କ ପାଇଁ ଆଦର୍ଶ

ସ୍ୱର୍ଗତ ବିଷ୍ଣୁ ଦାସଙ୍କର ଦ୍ୱାଦଶାହ ଉପଲକ୍ଷେ

ଜନ୍ମ ହେଲେ ମୃତ୍ୟୁ,ଏହା ହିଁ ଧୃବ ସତ୍ୟ। ଏହି ସତ୍ୟକୁ ଆମେ ସମସ୍ତେ ଜାଣିଥିଲେ ମଧ୍ୟ ଏହାକୁ ଆମେ ସହଜରେ ଗ୍ରହଣ କରିପାରୁନାହିଁ । ନିଜ ପ୍ରିୟ ପରିଜନଙ୍କ ଦେହାନ୍ତ ସହଜରେ ବିଶ୍ୱାସ କରିହୁଏନି। ସଦା ହସ ହସ ମୁହଁ, କର୍ମତତ୍ପର, ପ୍ରବୀଣ ରାଜନୈତିଜ୍ଞ, ଜଗତସିଂହପୁର ମାଟିର ସୁଯୋଗ୍ୟ ସନ୍ତାନ ବିଷ୍ଣୁ ଦାସ ଯେ ଆଜି ଆମ ଗହଣରେ ନାହାଁନ୍ତି,ଏହା ବିଶ୍ୱାସ ହେଉ ନଥିଲେ ମଧ୍ୟ ସତ୍ୟ। ପୂର୍ବତନ ମନ୍ତ୍ରୀ, ସାଂସଦ, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ତଥା ଚଳିତ ବିଧାନ ସଭାରେ ତିର୍ତ୍ତୋଲ ବିଧାୟକ ରହିଥିବା ଆମ ସମସ୍ତଙ୍କର ପ୍ରିୟ ନେତା ବିଷ୍ଣୁ ଦାସଙ୍କର ଚଳିତ ଜୁଲାଇ ମାସ ୬ ତାରିଖରେ ୬୯ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କର ପରିବାର, ବନ୍ଧୁ, ସମର୍ଥକ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ସେ ଇହଧାମ ପରିତ୍ୟାଗ କରିଛନ୍ତି। ଦୀର୍ଘବର୍ଷର ରାଜନୈତିକ ଜୀବନ, ଜଗତସିଂହପୁର ଜିଲ୍ଲା ପାଇଁ ତାଙ୍କର ଅକ୍ଳାନ୍ତ ପରିଶ୍ରମ, ଅତୁଳନୀୟ ଅବଦାନ, ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ। ଜଣେ ଦକ୍ଷତାସଂପନ୍ନ ଓ ସାଲିସ୍‌ବିହୀନ ନେତୃତ୍ୱ ଭାବେ ସ୍ୱର୍ଗତ ବିଷ୍ଣୁ ଦାସ ଜଗତସିଂହପୁର ଜିଲ୍ଲା, ସମଗ୍ର ରାଜ୍ୟ ତଥା ଜାତୀୟ ରାଜନୈତିକ ଇତିହାସରେ ତାଙ୍କର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି।

ବିଷ୍ଣୁ ଭାଇ ଥିଲେ ସମସ୍ତଙ୍କ ପାଇଁ ଆଦର୍ଶ। ଜଗତସିଂହପୁରର ଆବାଳବୃଦ୍ଧବନିତା ସମସ୍ତଙ୍କ ପାଇଁ ସେ ବିଷ୍ଣୁ ଭାଇ ନାମରେ ପରିଚିତ ଥିଲେ। ବିଷ୍ଣୁ ଭାଇଙ୍କ ସହିତ ମୋର ରହିଥିବା ସ୍ମୃତି ଓ ଅନୁଭୂତି ସବୁଦିନ ପାଇଁ ଅଭୂଲା ହୋଇରହିବ। ତାଙ୍କର ଅସୁସ୍ଥତା ଖବର ପାଇ ସେ ଡାକ୍ତରଖାନାରେ ଥିବା ସମୟରେ ମୁଁ ଆପୋଲୋ ହସ୍ପିଟାଲରେ ତାଙ୍କୁ ଦେଖା କରିଥିଲି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସେତେବେଳେ ଗୁରୁତର ଥିଲା। ତାଙ୍କର ଦେହାନ୍ତ ପରେ ଭୁବନେଶ୍ୱରରୁ ଜଗତସିଂହପୁରକୁ ପାର୍ଥିବ ଶରୀର ଆସିବା ଠାରୁ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ସ୍ୱତଃପ୍ରବୃତ୍ତ ଭାବେ ମୁଁ ଯୋଗଦାନ କରିଥିଲି। ଛାତ୍ର ଜୀବନରେ ରାଜନୀତିଠାରୁ ଆରମ୍ଭ କରି ୧୯୯୭ ମସିହାରେ ମୋର ବିଜୁ ଜନତା ଦଳରେ ଯୋଗଦାନ ଓ ପରେ ପରେ ରାଜନୈତିକ ଜୀବନର ପ୍ରତିଟି କ୍ଷେତ୍ରରେ ବିଷ୍ଣୁ ଭାଇ ମୋତେ ମାର୍ଗଦର୍ଶନ ଦେଉଥିଲେ। ଛାତ୍ର ଜୀବନରେ ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ(ଏସ୍‌.ଭି.ଏମ୍ କଲେଜ)ରେ ଆମେ ଅଧ୍ୟ୍ୟୟନ କରୁଥିଲୁ। ଆମେ ସବୁ ଅଣ କଂଗ୍ରେସ ରାଜନୀତିରେ ଥିଲୁ। ୧୯୯୭ ମସିହାରେ ବିଜୁ ଜନତା ଦଳ ଗଠିତ ହେଲା।

ସେ ସମୟରେ ବିଷ୍ଣୁ ଭାଇଙ୍କ ଆହ୍ୱାନ କ୍ରମେ ମୁଁ ବିଜେଡିରେ ନବୀନବାବୁଙ୍କ ଉପସ୍ଥିତିରେ ଯୋଗଦେଇଥିଲି। ବିଷ୍ଣୁ ଭାଇଙ୍କର ଜଗତସିଂହପୁର ଜିଲ୍ଲା ବାଲିକୁଦା ଏବଂ ନାଉଗାଁ ଅଂଚଳବାସୀଙ୍କ ସହିତ ନିବିଡ ସଂପର୍କ ଥିଲା। ସେହି ସଂପର୍କକୁ ଆଧାର କରି ସେ ଏହି ଅଂଚଳରେ ସଂଗଠନକୁ ସୁଦୃଢ କରିବାରେ ମୋତେ ସହଯୋଗ କରିଥିଲେ। କେବଳ ବାଲିକୁଦା ଓ ନାଉଗାଁ ଅଂଚଳ ନୁହେଁ, ବିଶେଷକରି ଜିଲ୍ଲାର ଯେଉଁ ଅଂଚଳକୁ ପହଁଚିବାରେ ଯାତାୟତର ଅସୁବିଧା ଥିଲା, ସେହିସବୁ ଅଗମ୍ୟ ଅଂଚଳରେ ନଦୀ.ନାଳ ପାର ହୋଇ ପହଁଚି ମୋ ସହିତ ସାଂଗଠନିକ କାର୍ଯ୍ୟରେ ସେ ବିନା ଦ୍ୱିଧାରେ ସହାୟତା କରିଥିଲେ। କଲେଜ ଜୀବନରେ ସେ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ। ଛାତ୍ର ରାଜନୀତି ସମୟରୁ ସେ ମୋତେ ବରାବର ପରାମର୍ଶ ଓ ସହଯୋଗ ଦେଇଆସୁଥିଲେ। ରାଜ୍ୟ ରାଜନୀତିକୁ ଆସିବା ପୂର୍ବରୁ ବିଷ୍ଣୁ ଭାଇ କିଛିଦିନ ଓକିଲାତି କରିଥିଲେ ଓ ସେହି ସମୟରେ ମୁଁ ମଧ୍ୟ କିଛିଦିନ ଓକିଲାତି କରୁଥିଲି। ଏଣୁ ଆମ ଦୁଇଜଣଙ୍କ ସଂପର୍କ ଆହୁରି ଘନିଷ୍ଟ ହୋଇଥିଲା।

୧୯୭୫ ମସିହାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ସମସ୍ତଙ୍କୁ ଏକାଠି କରିବାରେ ସମର୍ଥ ହୋଇଥିଲେ। ତାଙ୍କ ସହିତ ମୋର ଅତି ସ୍ମରଣୀୟ ଘଟଣା ହେଉଛି,୧୯୮୦ ମସିହାରେ ଛବିରାଣୀ ହତ୍ୟାକାଣ୍ଡ ଭଳି ଏକ ଲୋମହର୍ଷଣକାରୀ ଘଟଣା ସମୟର। ସେତେବେଳେ ଏହି ଘଟଣା କେବଳ ଆମ ରାଜ୍ୟ ଏବଂ ଆମ ଦେଶ ନୁହେଁ,ଏହା ବିଶ୍ୱରେ ଚହଳ ପକାଇଥିଲା। ବିଷ୍ଣୁ ଭାଇ ଯେତେବେଳେ ଏଭଳି ଘଟଣାରେ ଦୃଢ ପ୍ରତିବାଦର ସ୍ୱର ଉତ୍ତେୋଳନ କରୁଥା’ନ୍ତି, ସେ ସମୟରେ ମୁଁ ମଧ୍ୟ ସାମିଲ ହୋଇଥିଲି। ଏହି ଘଟଣାରେ ରବିରାୟ, କୁଲଦୀପ ସିଂ ଏବଂ ମଧୁଲିମାଏ ଭଳି ଦେଶର ବିଶିଷ୍ଟ ରାଜନୈତିକ ନେତୃବୃନ୍ଦଙ୍କୁ ସାମିଲ କରି ବିଷ୍ଣୁ ଭାଇ ରାଜ୍ୟ ତଥା ଦେଶର ରାଜନୀତିରେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ହୋଇପାରିଥିଲେ।

ଜଗତସିଂହପୁରକୁ ନେଇ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ସ୍ୱପ୍ନ ତାଙ୍କର ପିଲାଟି ଦିନରୁ ରହିଥିଲା। ଜଗତସିଂହପୁର ଜିଲ୍ଲାର ସାମଗ୍ରିକ ବିକାଶ ନେଇ ସେ ଖୁବ୍ ଆଶାବାଦୀ ଥିଲେ। ଏକ ସାଧାରଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ ଓ ଦାରିଦ୍ର‌୍ୟର କଷାଘାତ ମଧ୍ୟରେ ସେ ନିଜ ଜୀବନର ଚଳାପଥରେ ଆଗକୁ ବଢିଥିଲେ। ବିଜୁବାବୁଙ୍କୁ ନିଜ ଆଦର୍ଶ ମାନୁଥିବା ବିଷ୍ଣୁ ଭାଇ ନିଜେ ଜଣେ ସଫଳ ରାଜନେତା ହୋଇପାରିଥିଲେ ଓ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ।

୧୯୭୭ ମସିହାରେ ସ୍ୱର୍ଗତ ବିଷ୍ଣୁ ଦାସ ଜଗତସିଂହପୁର ଏସ୍‌.ଭି.ଏମ୍ କଲେଜର ଛାତ୍ରସଂସଦର ସଭାପତି ହେଲେ ଓ ପରେ ପରେ ତିନିତିନି ଥର ଛାତ୍ରସଂସଦର ସଭାପତି ହୋଇଥିଲେ। ଦୀର୍ଘ ଦିନ ଧରି ରାଜନୀତିରେ ରହି ସେ ସ୍ଥାନୀୟ ମହାବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନଗୁଡିକରେ ଉନ୍ନୟନମୂଳକ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ। ଜଗତସିଂହପୁର ଜିଲ୍ଲା ଓ ରାଜ୍ୟର ବିକାଶରେ ତାଙ୍କର ଅବଦାନ ଅତୁଳନୀୟ ଥିଲା।

୧୯୯୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଲଗାତାର ୫ ଥର ଜଗତସିଂହପୁର ବିଧାନସଭା କ୍ଷେତ୍ରରୁ ବିଜୟୀ ହେବା ସହ ୨୦୧୯ ରେ ତିର୍ତ୍ତୋଲ ଆସନରୁ ସେ ବିଜୟୀ ହୋଇଥିଲେ। ଏହା ମଧ୍ୟରେ ସେ ରାଜ୍ୟରେ କ୍ୟାବିନେଟ୍ ମନ୍ତ୍ରୀ ଓ ରାଜ୍ୟସଭା ସଦସ୍ୟ ତଥା ଯୋଜନା ବୋର୍ଡର ଉପାଧ୍ୟକ୍ଷ ହୋଇଥିଲେ। ସେ ଅନେକ ରାଜନେତାଙ୍କର ପ୍ରେରଣାର ଉତ୍ସ ଥିଲେ। ବହୁ ଯୁବବର୍ଗ ତାଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଜଗତସିଂହପୁର ଜିଲ୍ଲା ତଥା ଓଡିଶାର ରାଜନୈତିକ କ୍ଷେତ୍ରରେ ଆଗକୁ ବଢିଛନ୍ତି । ତାଙ୍କର ଅସୁସ୍ଥତା ଜନିତ ଅକାଳ ବିୟୋଗ ଆମ ସମସ୍ତଙ୍କୁ ମର୍ମାହତ କରିଛି । ଦଳମତ ନିର୍ବିଶେଷରେ ସ୍ୱର୍ଗତ ବିଷ୍ଣୁ ଦାସ, ଆମ ସମସ୍ତଙ୍କର ପ୍ରିୟ ବିଷ୍ଣୁ ଭାଇ ଜଣେ ଦରଦୀ, ସ୍ନେହୀ, ନିଷ୍କପଟ ଓ ବିରଳ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ବିୟୋଗ ଜଗତସିଂହପୁର ଜିଲ୍ଲା ତଥା ଆମ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ବିଷ୍ଣୁଭାଇଙ୍କର ସଂଗ୍ରାମୀ ଜୀବନ ଓ ଆଦର୍ଶ ଆମ ସମସ୍ତଙ୍କୁ ବିଶେଷକରି ଯୁବପିଢିମାନଙ୍କୁ ଅନୁପ୍ରାଣୀତ କରୁ, ଏହା ମୁଁ କାମନା କରୁଛି।
ରଘୁନନ୍ଦନ ଦାସ
ମନ୍ତ୍ରୀ
ଟେଲିଫୋନ୍‌-୯୯୩୭୦୩୮୨୮୧, ୯୯୩୭୭୦୫୩୧୮

ମତାମତ ଦିଅନ୍ତୁ ।