ବିସ୍ଫୋରଣରେ ନିଆଁ ଲାଗି ୪ ଲକ୍ଷ ବ୍ୟାରେଲ ତେଲ ପୋଡ଼ିଗଲା

ଜାକାର୍ତ୍ତା : ଇଣ୍ଡୋନେସିଆର ଏକ ତୈଳ ବିଶୋଧନାଗାରରେ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି।
ଗଣମାଧ୍ୟମ ସୂଚନା ଅନୁଯାୟୀ ପଶ୍ଚିମ ଜାଭାରେ ଥିବା ରାଷ୍ଟ୍ରାୟତ୍ତ ବୋଲୋନଗାନ ତୈଳ ବିଶୋଧନାଗାରରେ ଆଜି ବଡ଼ ଧରଣର ବିସ୍ଫୋରଣ ହେବା ପରେ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ସହରର ଅନେକ ଦୂର ପର୍ଯ୍ୟନ୍ତ ଶିଖା ଦେଖାଯାଇଥିଲା। ସମଗ୍ର ଅଞ୍ଚଳରେ ଖେଳିଯାଇଥିଲା କଳାଧୂଆଁ। ଏହି ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ପ୍ରାୟ ୧୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ଇଣ୍ଡୋନେସିଆର ରାଷ୍ଟ୍ରାୟତ୍ତ କମ୍ପାନି ପରସେରୋ ଏହି ବିଶୋଧନାଗାରର ପରିଚାଳନା କରୁଥିଲା। ନିଆଁ ଲାଗିବା ପରେ ବିଶେଧନାଗାରକୁ ବନ୍ଦ କରିଦିଆଯାଇଛି। ମରାମତି ପରେ ଆସନ୍ତା କିଛି ଦିନ ପରେ ଖୋଲିବ। ତେବେ ଅଟକଳ କରାଯାଇଛି ନିଆଁ ଲାଗିବାରୁ ପ୍ରାୟ ୪ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ପୋଡ଼ିଯାଇଛି।