ବିସ୍ତାରବାଦୀଙ୍କୁ ଆମେ ଆଗକୁ ବଢ଼ିବାକୁ ଦେବୁ ନାହିଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୭୪ତମ ସ୍ଵାଧୀନତା ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ଦେଶକୁ ବିକାଶ ପଥରେ ନେବା ପାଇଁ କରାଯାଇଥିବା ଯୋଜନା ଉପରେ ସେ ଆଲୋକପାତ କରିଥିଲେ। ଆଉ ପଡୋଶୀଙ୍କ ଉଦ୍ଦେଶ୍ୟରେ କହିଥିଲେ ବିସ୍ତାରବାଦୀଙ୍କୁ ଆମେ ଆଗକୁ ବଢ଼ିବାକୁ ଦେବୁ ନାହିଁ।

ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ କୋଭିଡ୍ ଯୋଦ୍ଧାଙ୍କୁ ସେମାନଙ୍କ ସେବା ପାଇଁ ଧନ୍ୟବାଦ୍ ଜଣାଇଥିଲେ। ଆତ୍ମନିର୍ଭର ଭାରତ ଅଭିଯାନ ସହ ଦେଶରେ ମହିଳାଙ୍କ ବିବାହ ବୟସ ଧାର୍ଯ୍ୟ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖିଥିଲେ। ଦେଶକୁ ସ୍ଵାଧୀନତା ଦେବା ପାଇଁ ଜୀବନକୁ ବାଜି ଲଗାଇଥିବା ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ପ୍ରଧାନମନ୍ତ୍ରୀ କହିଲେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ରଖିବା ପାଇଁ ଆମେ ଏହି ଦିନକୁ ପାଳନ କରୁଛେ। ଆମର ସୁରକ୍ଷା ସୁନିଶ୍ଚିତ କରୁଥିବା ସେନା, ପାରାମିଲିଟାରୀ ଓ ପୋଲିସ ସମେତ ସୁରକ୍ଷା କର୍ମୀଙ୍କୁ କୃତଜ୍ଞତା ଜଣାଇବା ପାଳନ ହେଉଛି ଏହି ଦିବସ।

ପ୍ରଧାନମନ୍ତ୍ରୀ କହିଥିଲେ ଆମେ ଭିନ୍ନ ସମୟ ଦେଇ ଗତି କରୁଛୁ। ମୁଁ ଆଜି ଛୋଟ ପିଲାମାନଙ୍କୁ ଦେଖିପାରୁ ନାହିଁ। କରୋନା ସମସ୍ତଙ୍କୁ ଅଟକାଇ ଦେଇଛି। କୋଭିଡର ଏହି ସମୟରେ କରୋନା ଯୋଦ୍ଧାମାନେ ‘ସେବା ପରମ ଧର୍ମ’ର ମନ୍ତ୍ର ମନରେ ନେଇ ଦେଶବାସୀଙ୍କ ସେବାରେ ଲାଗି ପଡ଼ିଛନ୍ତି। ଏ ନେଇ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ଏବେ ଭାରତରେ ୩ଟି କରୋନା ଟିକା ଉପରେ ପରୀକ୍ଷା ଚାଲୁ ରହିଛି। ବୈଜ୍ଞାନିକମାନଙ୍କଠାରୁ ସବୁଜ ସଙ୍କେତ ପାଇବା ମାତ୍ରେ ଆମେ ସେହି ଟିକାଗୁଡ଼ିକର ବହୁଳ ଉତ୍ପାଦନ ଆରମ୍ଭ କରିବୁ। ସେ କହିଲେ ଯେତେବେଳେ ମହିଳାମାନେ ସୁଯୋଗ ପାଇଛନ୍ତି, ସେମାନେ ଭାରତକୁ ଗର୍ବିତ କରିଛନ୍ତି। ଆଜି, ରାଷ୍ଟ୍ର ସେମାନଙ୍କୁ ଆତ୍ମନିର୍ଭରଶୀଳତା ଓ ରୋଜଗାରର ସମାନ ସୁଯୋଗ ଯୋଗାଇବାକୁ ସ୍ଥିର କରିଛି। ଆଜି ମହିଳାମାନେ କୋଇଲା ଖଣିରେ କାମ କରୁଛନ୍ତି। ଝିଅମାନେ ଯୁଦ୍ଧ ବିମାନ ଉଡ଼ାଇ ଆକାଶକୁ ସ୍ପର୍ଶ କରୁଛନ୍ତି। ଏ ନେଇ ଆମ ଦେଶରେ ମହିଳାମାନଙ୍କ ବିବାହ ପାଇଁ ସର୍ବନିମ୍ନ ବୟସକୁ ପୁନର୍ବିଚାର କରିବାକୁ ଆମେ ଏକ କମିଟି ଗଠନ କରିଛୁ। କମିଟି ଏହାର ରିପୋର୍ଟ ଦାଖଲ କରିବା ପରେ ଆମେ ଉପଯୁକ୍ତ ନିଷ୍ପତ୍ତି ନେବୁ।

ଆଜି ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଲେ ଏହି ମିଶନ ଅଧୀନରେ ପ୍ରତ୍ୟେକ ଭାରତୀୟ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଆଇଡି ପାଇବେ। ଆପଣଙ୍କ ପ୍ରତ୍ୟେକ ପରୀକ୍ଷା, ପ୍ରତ୍ୟେକ ରୋଗ, କେଉଁ ଡାକ୍ତର ତୁମକୁ କେଉଁ ଔଷଧ ଦେଇଥିଲେ, କେବେ ଦେଇଥିଲେ, ତୁମର ରିପୋର୍ଟ କ’ଣ, ଏହି ସମସ୍ତ ସୂଚନା ସ୍ୱାସ୍ଥ୍ୟ ଆଇଡିରେ ରହିବ। ସେହିପରି ଆଗାମୀ ୧,୦୦୦ଦିନରେ ଦେଶର ପ୍ରତ୍ୟେକ ଗାଁ ଅପ୍ଟିକାଲ ଫାଇବର ସହିତ ସଂଯୁକ୍ତ ହେବ। ୨୦୧୪ ପୂର୍ବରୁ ଦେଶର କେବଳ ୫ ଡଜନ ପଞ୍ଚାୟତ ଅପ୍ଟିକାଲ ଫାଇବର ସହିତ ସଂଯୁକ୍ତ ଥିଲା। ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ୧.୫ ଲକ୍ଷ ଗ୍ରାମ ପଞ୍ଚାୟତ ଅପ୍ଟିକାଲ ଫାଇବର ସହିତ ସଂଯୁକ୍ତ ହୋଇଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ ଆଧୁନିକ, ନୂତନ ଓ ସମୃଦ୍ଧ ଭାରତ ନିର୍ମାଣରେ ଶିକ୍ଷା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେଣୁ ଆମେ ତିନି ଦଶନ୍ଧି ପରେ ନୂତନ ଶିକ୍ଷା ନୀତି ଆଣିଛୁ ଯାହା ସାରା ଦେଶରେ ସ୍ୱାଗତଯୋଗ୍ୟ। ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ସେ କହିଲେ ଦେଶର ପ୍ରତିଭା ଉପରେ ମୋର ଗଭୀର ଆତ୍ମବିଶ୍ୱାସ ରହିଛି। ଗୋଟିଏ ପରିବାର ପାଇଁ ଯାହା ଦରକାର ଦେଶ ପାଇଁ ତାହା ଆବଶ୍ୟକ। ତେଣୁ ଆମକୁ ଆତ୍ମନିର୍ଭର ଭାରତ ନିର୍ମାଣ କରିବାକୁ ପଡ଼ିବ। ଯିଏ ଏପରି ଆସ୍ଫଳନ କରିବ ତାହାର କଡ଼ା ଜବାବ ଦିଆଯିବ। ବିସ୍ତାରବାଦୀଙ୍କୁ ଆମେ ଆଗକୁ ବଢ଼ିବାକୁ ଦେବୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ବିବିଧତା ମଧ୍ୟରେ ଏକତା ହେଉଛି ଆମର ସଂସ୍କୃତି। ଭାରତରେ ଯୁବଶକ୍ତି ଆମ ପାଇଁ ବଡ଼ ବିକଳ୍ପ। ଦେଶବାସୀଙ୍କ ପେଟ ଭରିବା ପାଇଁ କୃଷକଙ୍କ ଭୂମିକା ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମତାମତ ଦିଅନ୍ତୁ ।