ବିଶ୍ୱ ମହିଳା ଦିବସକୁ କଳା ଦିବସ ପାଳିଲା ଜିଲ୍ଲା ମହିଳା କଂଗ୍ରେସ

ଭୁବନେଶ୍ୱର : ବିଶ୍ୱ ମହିଳା ଦିବସକୁ ଆଜି ମହିଳା କଂଗ୍ରେସ ଲୋୟର ପିଏମ୍‌ଜି ଠାରେ କଳାଦିବସ ଭାବେ ପାଳନ କରିବା ସହ ପ୍ରତିବାଦ ସଭା ଆୟୋଜନ କରିଥିଲା। ସମସ୍ତ କଂଗ୍ରେସ କର୍ମୀ ମୁହଁରେ କଳା କପଡା ବାନ୍ଧି ପ୍ରତିବାଦ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ କଂଗ୍ରେସ ଦଳ ସର୍ବଦା ମହିଳାମାନଙ୍କ ବିକାଶ ପାଇଁ କାର୍ଯ୍ୟ କରି ଆସିଛି। ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରିଛି। ରାଜ୍ୟ ତଥା ଦେଶର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବାଚସ୍ପତି ଆଦି ପଦବୀରେ କଂଗ୍ରେସ ଦଳ ମହିଳାମାନଙ୍କୁ ଅବସ୍ଥାପିତ କରିଛି। କିନ୍ତୁ ବିଜେଡି ସରକାର ମହିଳାମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରୁଛି କହି ଗାଁକୁ କାମ-ମା’କୁ ସମ୍ମାନର ନାରା ଦେଇ ଚାଲିଛି। ରାଜ୍ୟ ସରକାରଙ୍କର ଯଦି ଓଡିଶାର ମା’ଭଉଣୀଙ୍କ ପ୍ରତି ପ୍ରକୃତରେ ଦରଦ ଓ ଆନ୍ତରିକତା ଥାଏ ତେବେ ବିଜେପି ଉପରେ ଚାପ ପକାଇ ସଂସଦରେ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ କରିବାକୁ ଉଦ୍ୟମ କରନ୍ତୁ।

ସେହିପରି ବିଧାୟକ ସୁରେଶ କୁମାର ରାଉତରାୟ କହିଲେ ଦେଶ ଓ ରାଜ୍ୟରେ ବର୍ତ୍ତମାନ ମହିଳାମାନେ ଅସୁରକ୍ଷିତ। ନିର୍ଯ୍ୟାତନା ବଢ଼ିଚାଲିଛି। ଭାରତବର୍ଷରେ ଆମ ରାଜ୍ୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତିଙ୍କ ଅଧ୍ୟକ୍ଷତାରେ କଳାଦିବସ ପାଳନ କରାଯାଇଥିଲା। ଏଥିରେ ରତ୍ନମଣି ଉଲାକା, ପ୍ରଣତି ମିଶ୍ର, ଜିଲ୍ଲା ସଭାପତି ବିଶ୍ୱଜିତ୍ ଦାସ, ଶିବାନନ୍ଦ ରାୟ, କିଶୋର ଜେନା, ରଶ୍ମି ମହାପାତ୍ର, ସ୍ୱାଧିନବାଳା ଦାସ, ଚୈତାଳି ପଟ୍ଟନାୟକ, ସିଲି ସେଠୀ, ଶ୍ରିୟାସ୍ମିତା ପଣ୍ଡା, ଶ୍ରୀୟା ମହାନ୍ତି, ଏମ୍‌.ପରବିନ୍‌ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button