ବୋହୂର ସ୍ଵୀକୃତି ପାଇଁ ଶାଶୁଘର ପିଣ୍ଡାରେ ଧାରଣା

ବାଲେଶ୍ଵର : ପ୍ରେମ ବିବାହ ପରେ ସ୍ଵାମୀ ଠକି ଦେଲେ। ସ୍ତ୍ରୀଙ୍କୁ ବାପ ଘରେ ଛାଡି ସେ କେଉଁଆଡେ ଚାଲି ଯାଇଥିବା ବେଳେ ଫୋନ ମଧ୍ୟ କରୁନାହାନ୍ତି। ଏଭଳି ପରିସ୍ଥିତିରେ ମହିଳା ଜଣଙ୍କ ବୋହୂର ସ୍ଵୀକୃତି ପାଇଁ ଶାଶୁଘର ପିଣ୍ଡାରେ ଧାରଣା ଦେଇଛନ୍ତି। ଘଟଣାଟି ଖଇରା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।
ଖବର ଅନୁଯାୟୀ ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଚ୍ୟୁତପୁର ଗାଁର ଦିବାକର ପାଢ଼ୀଙ୍କ ଝିଅ ଜଦଳା ପଞ୍ଚାୟତର ଜଳଦାଶାସନ ଗାଁର ରାମକୃଷ୍ଣ ପଣ୍ଡାଙ୍କୁ ପ୍ରେମ ବିବାହ କରିଥିଲେ। ୨୦୧୯ ମେ’ ୧୫ ତାରିଖରେ ଭୁବନେଶ୍ଵର ସାଇମନ୍ଦିରରେ ହିନ୍ଦୁ ରୀତିରେ ଉଭୟଙ୍କ ବାହାଘର ହୋଇଥିଲା। ବିବାହର ୧୦ ମାସ ପର୍ଯ୍ୟନ୍ତ ସ୍ଵାମୀ-ସ୍ତ୍ରୀ ଭୁବନେଶ୍ଵରରେ ଏକ ଭଡ଼ା ଘରେ ରହୁଥିଲେ। କିନ୍ତୁ ଗତ ମାର୍ଚ୍ଚ ମାସରୁ ସ୍ଵାମୀ ତାଙ୍କୁ ବାପଘରେ ଛାଡି କୁଆଡ଼େ ଚାଲି ଯାଇଛନ୍ତି। ସ୍ତ୍ରୀଙ୍କ ପାଖକୁ ଫୋନ୍ ମଧ୍ୟ କରୁ ନାହାନ୍ତି। ଚଳିବା ପାଇଁ ଟଙ୍କା ଦେଉନଥିବା ମହିଳା ଅଭିଯୋଗ କରିଛନ୍ତି। ଏହିଭଳି ଅବସ୍ଥାରେ ବୋହୂର ସ୍ଵୀକୃତି ପାଇଁ ସେ ଶାଶୁଘର ପିଣ୍ଡାରେ ଧାରଣାରେ ବସିଛନ୍ତି।