ବ୍ରାହ୍ମଣ ଯୁବତୀଙ୍କୁ ବିବାହ କଲେ ଦଳିତ ବିଧାୟକ

ଚେନ୍ନାଇ : ମନ୍ଦିରର ପୂଜାରୀଙ୍କ ୧୯ ବର୍ଷୀୟ ଝିଅ ସୌନ୍ଦାର୍ଯ୍ୟାକୁ ବାହାହେଲେ ଏଆଇଡିଏମକର କାଲକାପୁରୀର ବିଧାୟକ ଏ ପ୍ରଭୁ। ସୋମବାର ତାଙ୍କ ବାସଭବନରେ ଏହି ବିବାହ ହୋଇଛି। ହେଲେ ପିତାଙ୍କ ଅନିଚ୍ଛା ସତ୍ତ୍ୱେ ଝିଅ ୩୬ ବର୍ଷୀୟ ଦଳିତ ବିଧାୟକଙ୍କୁ ବିବାହ କରିବାରୁ ଏଥିରେ ମ୍ରିୟମାଣ ହୋଇ ପୂଜାରୀ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ପୂର୍ବରୁ ପୋଲିସ ପହଞ୍ଚି ତାଙ୍କୁ ହେପାଜତକୁ ନେଇଥିବା ଜଣାପଡିଛି।

ପୋଲିସ ଅଧିକାରୀଙ୍କ କହିବା କଥା ହେଲା ବିଧାୟକ ଓ ଯୁବତୀ ପୂର୍ବରୁ ସଂପର୍କରେ ଥିଲେ। ଯୁବତୀଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି ବିଧାୟକ ତାଙ୍କ ଝିଅକୁ ଚାରି ବର୍ଷ ହେଲା ଭଲ ପାଉଥିଲେ। ସେତେବେଳେ ଝିଅ ନାବାଳିକା ଥିଲା। କିନ୍ତୁ ବିଧାୟକ କହିଛନ୍ତି ତାଙ୍କ ଭଲ ପାଇବାକୁ ଅତି ବେଶୀରେ ଚାରି ମାସ ହେବ। ଝିଅର ବାପା କହିଛନ୍ତି ପ୍ରଭୁ ତାଙ୍କ ଘରେ ଅନେକ ବର୍ଷ ରହିଥିଲେ। ତାଙ୍କୁ ନିଜ ପୁଅପରି ମାନି ଆସିଥିବା ବେଳେ ସେ ମୋର ଭରସା ଭାଙ୍ଗିଛନ୍ତି। ଝିଅ ବିବାହ ପାଇଁ ପ୍ରସ୍ତୁତ ନଥିଲା। ତା’ର ମାଇଣ୍ଡ ଓ୍ଵାସ କରାଯାଇଛି। କାରଣ ଦୁଇଜଣଙ୍କ ବୟସ ମଧ୍ୟରେ ୧୭ ବର୍ଷର ଫରକ ରହିଛି। ଏହାର ଜବାବରେ ବିଧାୟକ ପ୍ରଭୁ ପତ୍ନୀ ସୌନ୍ଦାର୍ଯ୍ୟା ସହ ଏକ ଭିଡିଓ ଜାରି କରିଛନ୍ତି। ଏଥିରେ କହିଛନ୍ତି ସେ ଚାରି ମାସ ଧରି ସଂପର୍କରେ ଥିଲେ। ଅପହରଣ କରି ନାହାନ୍ତି। ଝିଅ ବିବାହ ପାଇଁ ବାପା-ମାଙ୍କ ଅନୁମତି ମାଗିଥିଲେ ମାତ୍ର ଘର ଲୋକ ମନା କରିଥିଲେ। ସମସ୍ତ ଅଭିଯୋଗକୁ ଖଣ୍ଡନ କରି ପ୍ରଭୁ ଏହା କହିଛନ୍ତି।

ମତାମତ ଦିଅନ୍ତୁ ।