April 7, 2020

ନିଜ ଲେଖିଥିବା ରାମାୟଣକୁ ସମୁଦ୍ରକୁ କାହିଁକି ଫିଙ୍ଗିଥିଲେ ହନୁମାନ ?

ଭଗବାନ ରାମଚନ୍ଦ୍ରଙ୍କର ଜୀବନ ଉପରେ ଆଧାରିତ ରାମାୟଣ ଅନେକ ପ୍ରକାରରେ ରଚନା କରାଯାଇଛି ଯେପରିକି ଆଦି ରାମାୟଣ ବା ବାଲ୍ମୀକି ରାମାୟଣ, ଶ୍ରୀରାମଚରିତମାନସ,ଅଦ୍ଭୁତ ରାମାୟଣ ଏବଂ ଆନନ୍ଦ ରାମାୟଣ । କିନ୍ତୁ ଆପଣ ଜାଣନ୍ତି କି ନିଜ ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କୁ ସମର୍ପିତ ଏକ ରାମାୟଣ ସ୍ୱୟଂ ହନୁମାନ ଲେଖିଥିଲେ , ଯାହା ” ହନୁମଦ ରାମାୟଣ ” ନାମରେ ପ୍ରସିଦ୍ଧ । ଏହାକୁ ପ୍ରଥମ ରାମାୟଣ ବୋଲି କେହି କେହି କୁହନ୍ତି । କିନ୍ତୁ ସ୍ବୟଂ ହନୁମାନ ନିଜ ଦ୍ୱାରା ରଚିତ ରାମାୟଣକୁ ସମୁଦ୍ରରେ ଫିଙ୍ଗିଦେଇଥିଲେ । ହେଲେ ଏପରି ସେ କାହିଁକି କରିଥିଲେ ? ତାହେଲେ ଆସନ୍ତୁ ଜାଣିବା କଣ ରହିଥିଲା ଏହା ପଛର କାରଣ ।

ଶାସ୍ତ୍ର ଅନୁଯାୟୀ ସର୍ବପ୍ରଥମେ ରାମ କଥା ହନୁମାନଙ୍କ ଦ୍ୱାରା ରଚିତ ହୋଇଥିଲା । ନିଜ ନଖ ସହାୟତାରେ ଏକ ପଥର ଚଟାଣ ଉପରେ ସେ ଏହି ରାମକଥା ରଚନା କରିଥିଲେ । ଏହି ରାମକଥା ବାଲ୍ମୀକିଙ୍କ ଦ୍ୱାରା ରଚିତ ରାମାୟଣ ପୂର୍ବରୁ ରଚନା କରାଯାଇଥିଲା ଯାହା ” ହନୁମଦ ରାମାୟଣ ” ନାମରେ ପ୍ରସିଦ୍ଧ ହେଲା । ଭଗବାନ ଶ୍ରୀରାମ ଲଙ୍କାରେ ରାଵଣର ବଧ କରିବା ପରେ ଅଯୋଧ୍ୟା ଫେରିଆସିଥିଲେ । ସେ ଅଯୋଧ୍ୟା ରାଜସିଂହାସନରେ ଆସୀନ ହୋଇସାରିଥିଲେ । ଏହି ସମୟରେ ହନୁମାନ ହିମାଳୟ ଚାଲିଗଲେ । ସେଠାରେ ସେ ଶିବଙ୍କୁ ତପସ୍ୟା କଲେ ଏବଂ ପ୍ରତିଦିନ ନିଜ ନଖରେ ରାମାୟଣ କଥା ରଚନା କରୁଥିଲେ । ଏହିପରି ସେ ପ୍ରଭୁ ଶ୍ରୀରାମଙ୍କ ମହିମା ଉଲ୍ଲେଖ କରି ” ହନୁମଦ ରାମାୟଣ ” ରଚନା କରିଥିଲେ ।

କିଛିଦିନ ପରେ ମହର୍ଷି ବାଲ୍ମୀକି ରାମାୟଣ ରଚନା କଲେ । ରଚନା କରିବା ପରେ ପ୍ରଥମେ ଭଗବାନ ଶଙ୍କରଙ୍କୁ ସେ ରାମାୟଣ ସମର୍ପିତ କରିବା ଲାଗି ତାଙ୍କର ଇଚ୍ଛା ହେଲା । ବାଲ୍ମୀକି ନିଜ ରଚିତ ରାମାୟଣ ନେଇ କୈଳାସ ପର୍ବତରେ ପହଞ୍ଚିଲେ । ସେଠାରେ ସେ ହନୁମାନ ଏବଂ ତାଙ୍କ ଦ୍ବାରା ରଚିତ ” ହନୁମଦ ରାମାୟଣ ” ର ଦର୍ଶନ କଲେ । ହନୁମଦ ରାମାୟଣ ପଢିବା ପରେ ମହର୍ଷି ବାଲ୍ମୀକି ନିରାଶ ହେଲେ । ବାଲ୍ମୀକିଙ୍କୁ ନିରାଶ ହେବାର ଦେଖି ହନୁମାନ ତାଙ୍କୁ ନାରାଶାର କାରଣ ପଚାରିଲେ । ମହର୍ଷି କହିଲେ, ମୁଁ ଅତି କଷ୍ଟ କରି ଏହି ରାମାୟଣ ରଚନା କରିଛି । କିନ୍ତୁ ଆପଣଙ୍କ ଦ୍ୱାରା ରଚିତ ରାମାୟଣ ପଢି ମୁଁ ଭାବୁଛି ଯେ ମୋ ଦ୍ୱାରା ରଚିତ ରାମାୟଣ ପଢିବା ଲାଗି ଲୋକମାନେ ଆଗ୍ରହ ପ୍ରକାଶ କରିବେ ନାହିଁ । କାରଣ ଆପଣଙ୍କ ଦ୍ୱାରା ରଚିତ ରାମାୟଣ ତୁଳନାରେ ମୋର ରାମାୟଣ ଅତି ତୁଚ୍ଛ ଭଳି ଲାଗୁଛି । ମହର୍ଷି ବାଲ୍ମୀକିଙ୍କ ଚିନ୍ତା ଦୂର କରିବା ଲାଗି ଶ୍ରୀ ହନୁମାନ ” ହନୁମଦ ରାମାୟଣ ” ରଚନା କରିଥିବା ପର୍ବତ ଶିଳାକୁ ଗୋଟିଏ କାନ୍ଧରେ ଉଠାଇଲେ ଏବଂ ଆର କାନ୍ଧରେ ମହର୍ଷି ବାଲ୍ମୀକିଙ୍କୁ ବସାଇ ସମୁଦ୍ର କୂଳକୁ ଉଡିଗଲେ । ସେଠାରେ ହନୁମାନ ନିଜ ଦ୍ୱାରା ରଚିତ ରାମାୟଣ ଭଗବାନ ଶ୍ରୀରାମଙ୍କୁ ସମର୍ପିତ କରିବା ପରେ ସମୁଦ୍ରରେ ଫିଙ୍ଗିଦେଲେ । ଏହି କାରଣରୁ ହନୁମାନଙ୍କ ଦ୍ୱାରା ରଚିତ ରାମାୟଣ ବର୍ତ୍ତମାନ ଉପଲବ୍ଧ ନାହିଁ ।

ହନୁମାନ ନିଜ ଦ୍ୱାରା ରଚିତ ରାମାୟଣ ସମୁଦ୍ରରେ ଫିଙ୍ଗି ଦେବା ପରେ ବଜରଙ୍ଗବଲୀଙ୍କ ଉଦ୍ଦେଶ୍ୟରେ ମହର୍ଷି ବାଲ୍ମୀକି କହିଲେ,ରାମଭକ୍ତ ଶ୍ରୀ ହନୁମାନ । ଆପଣ ଧନ୍ୟ, ଆପଣଙ୍କ ଭଳି ମହାଜ୍ଞାନୀ ଏବଂ ଦୟାଳୁ ଏ ପୃଥିବୀରେ କେହି ନାହାନ୍ତି । ହେ ହନୁମାନ , ଆପଣଙ୍କ ମହିମାର ଗୁଣଗାନ କରିବା ନିମନ୍ତେ ମୁଁ ପୁଣିଥରେ ଜନ୍ମ ନେବି । ମୁଁ ଆପଣଙ୍କୁ ବଚନ ଦେଉଛି,କଳିଯୁଗରେ ମୁଁ ପୁଣିଥରେ ରାମାୟଣ ରଚନା କରିବି ଏବଂ ସେହି ରାମାୟଣ ସାଧାରଣ ଲୋକଙ୍କ ଭାଷାରେ ରଚିତ ହେବ ।ବିଶ୍ୱାସ କରାଯାଏ ଯେ ରାମଚରିତମାନସରେ ରଚୟିତା ଗୋସ୍ୱାମୀ ତୁଳସୀ ଦାସଙ୍କ ରୂପରେ ମହର୍ଷି ବାଲ୍ମୀକି ପୁନର୍ବାର ପୃଥିବୀ ପୃଷ୍ଠରେ ଜନ୍ମ ନେଇଥିଲେ । ଗୋସ୍ୱାମୀ ତୁଳସୀ ଦାସ ଶ୍ରୀରାମଚରିତମାନସ ରଚନା କରିବା ସହିତ ହନୁମାନଙ୍କ ଗୁଣଗାନ କରି ହନୁମାନ ଚାଳୀସା ଲେଖିଥିଲେ । ହନୁମାନଙ୍କ ଠାରୁ ପ୍ରେରଣା ପାଇ ସେ ଶ୍ରୀରାମଚରିତ ମାନସ ରଚନା କରିଥିବା ଜଣାଯାଏ । ଅନ୍ୟ ଏକ ଆଖ୍ୟାନରୁ ଜଣାପଡେ ଯେ ମହାକବି କାଳିଦାସଙ୍କ ସମୟରେ ଏକ ଗୁଢଲିପି ସମୁଦ୍ର କୂଳରୁ ଉଦ୍ଧାର କରାଯାଇଥିଲା । ଉକ୍ତ ଗୁଢଲିପିକୁ ସର୍ବସାଧାରଣ ସ୍ଥାନରେ ଟଙ୍ଗାଇ ଦିଆଯାଇଥିଲା । ଉଦ୍ଦେଶ୍ୟ ଥିଲା ବିଦ୍ୱାନମାନେ ସେହି ଗୁଢଲିପି ପାଠ କରି ତାହାର ଅର୍ଥ ଵାହାର କରିଵେ । କାଳିଦାସ ସେହି ଗୁଢଲିପିର ଅର୍ଥ ବାହାର କରିଦେଇଥିଲେ । ତାହା ହନୁମାନଙ୍କ ଦ୍ୱାରା ରଚିତ ” ହନୁମଦ ରାମାୟଣ ” ର ଏକ ଅଂଶ ବିଶେଷ ଥିଲା ବୋଲି କାଳିଦାସ ଜାଣିପାରିଥିଲେ ।

Leave a Reply

Your email address will not be published. Required fields are marked *