ଆମାଜନ୍ ପକ୍ଷରୁ ଏହାର ବିକ୍ରେତାଙ୍କ ପାଇଁ କୋଭିଡ୍‌-୧୯ ମାଗଣା ସ୍ୱାସ୍ଥ୍ୟ ବୀମା ଆରମ୍ଭ

ବେଙ୍ଗାଲୁର୍‌ : ଦେଶରେ କୋଭିଡ୍‌-୧୯ ମହାମାରୀ ଜାରି ରହିଛି। ଏପରିସ୍ଥଳେ ଆମାଜନ ଡଟ୍ ଇନ୍ ପକ୍ଷରୁ ଭାରତ ବ୍ୟାପୀ ଏହାର ବିକ୍ରେତାଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବା ସମ୍ପର୍କରେ ଘୋଷଣା କରାଯାଇଛି। ବୀମା ଅନୁସାରେ ବିକ୍ରେତାଙ୍କୁ ହସ୍ପିଟାଲରେ ଭର୍ତି ସହିତ ଆବଶ୍ୟକ ଚିକିତ୍ସା ତଥା ଆମ୍ବୁଲାନ୍ସ୍ ସହାୟତା ଓ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆଇସିୟୁ ଖର୍ଚ୍ଚ ଯୋଗାଇ ଦିଆଯିବ। ଏହି ବୀମା ଏକବର୍ଷ ପାଇଁ ବୈଧ ରହିବ। ଏକୋ ଜେନେରାଲ ଇନସ୍ୟୁରାନ୍ସ୍ ସହିତ ମିଳିତ ହୋଇ ଆମାଜନ ପକ୍ଷରୁ ବିକ୍ରେତାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ। ୨୦୧୯ ଜାନୁୟାରୀ ଠାରୁ ୨୦୨୦ ମେ’ ୨୬ ତାରିଖ ମଧ୍ୟରେ ଆମାଜନ୍ ଡଟ୍ ଇନ୍‌ରେ ନିଜ ଉତ୍ପାଦକୁ ତାଲିକାଭୁକ୍ତ କରିଥିବା ବିକ୍ରେତାଙ୍କୁ ଏହି ସୁଯୋଗ ପ୍ରଦାନ କରାଯିବ।

ଏହି ଅବସରରେ ଆମାଜନ ଇଣ୍ଡିଆର ସେଲର ସର୍ଭିସ୍ ଭିପି ଗୋପାଳ ପିଲାଇ କହିଲେ କୋଭିଡ୍‌-୧୯ ଯୋଗୁ ଦେଖାଦେଇଥିବା ସାମ୍ପ୍ରତିକ ଅନିଶ୍ଚିତ ସମୟରେ ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି। ଏଭଳି ସଙ୍କଟ ଜନକ ସମୟରେ ଆମ ବିକ୍ରେତାମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ରହିଲେ ସେମାନଙ୍କ ଦ୍ୱାରା ବ୍ୟବସାୟ ଜାରି ରହିବ। ତେଣୁ ଆମେ ସାମ୍ପ୍ରତିକ କୋଭିଡ୍‌-୧୯ ସମୟରେ ସେମାନଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଉଛୁ।

ଆମାଜନର ଏଭଳି କାର୍ଯ୍ୟକୁ ବିକ୍ରେତାଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି। ଏନେଇ ଜଣେ ବିକ୍ରେତା କୁହନ୍ତି, କୋଭିଡ୍‌-୧୯ ମହାମାରୀ ସମୟରେ ଆମାଜନ ପକ୍ଷରୁ ଉପଲବ୍ଧ କରାଯାଇଥିବା ସ୍ୱାସ୍ଥ୍ୟ ବୀମା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଆମେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଗ୍ରହଣ କରୁଛୁ। ତେବେ ସ୍ୱାସ୍ଥ୍ୟ ବୀମା ଆମ ମନରେ ସୁରକ୍ଷିତ ଭାବନା ତଥା ଶାନ୍ତି ସୃଷ୍ଟି କରିବାକୁ ସକ୍ଷମ ହୋଇ ପାରିଛି।

ବୀମା ପଲିସି ପଞ୍ଜିକରଣ ପାଇଁ ଆମାଜନର ୱିଣ୍ଡୋ ସପ୍ତାହବ୍ୟାପୀ ୭ ଦିନ ଖୋଲା ରହୁଛି । ବିକ୍ରେତା ସାଧାରଣ ବ୍ୟକ୍ତିଗତ ବିବରଣୀ ଏବଂ କେୱାଇସି ତଥ୍ୟ ପ୍ରଦାନ କରି ପଞ୍ଜିକରଣ କରିପାରିବେ । ଏଥି ପାଇଁ କୌଣସି ମେଡିକାଲ ଟେଷ୍ଟ୍‌ର ଆବଶ୍ୟକତା ନାହିଁ । ଗୋଟିଏ ବିକ୍ରେତା ଆକାଉଂଟ୍‌ରେ ଜଣେ ପଞ୍ଜିକରଣ କରିପାରିବେ । ଆବଶ୍ୟକ ବିବରଣୀ ପ୍ରଦାନ ପରେ ଏକ ୟୁନିକ୍ ହେଲଥ୍ ଆଇଡେଟିଂଫିକେଶନ(ୟୁଏଚ୍‌ଆଇଡି) ନମ୍ବରଏକୋ ପକ୍ଷରୁ ବିକେତ୍ରାଙ୍କୁ ପ୍ରଦାନ କରାଯିବ । ଏହି ନମ୍ବର ମାଧ୍ୟମରେ ସେମାନେ ବୀମା କ୍ଲେମ୍ କରିପାରିବେ । ବୀମା ପଲିସି ପାଇଁ ୧୫ ଦିନର ଷ୍ଟାଣ୍ଡାର୍ଡ ୱେଟିଂ ସମୟ ସୀମା ରହିଛି । ଅତିରିକ୍ତ ଯୋଗ୍ୟତା ଲାଗି ବିକ୍ରେତାମାନଙ୍କୁ ଅନ୍ୟ କେତେକ ଆବଶ୍ୟକ ତଥ୍ୟ ପୂରଣ କରିବାକୁ ପଡ଼ିବ।

ମତାମତ ଦିଅନ୍ତୁ ।