୮ରେ ବଙ୍ଗୋପସାଗରରେ ଲଘୁଚାପ, ୧୦ରୁ ଓଡ଼ିଶାରେ ବର୍ଷା

ଭୁବନେଶ୍ଵର : ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। ଆସନ୍ତା ୮ ତାରିଖ ବେଳକୁ ଲଘୁଚାପ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏହାର ପ୍ରଭାବରେ ଜୁନ ୧୦ ତାରିଖ ଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ କୁହାଯାଇଛି। ତେବେ ପାଣିପାଗ ବିଭାଗ କହିଛି ଲଘୁଚାପ ଜନିତ ବର୍ଷା ଓଡ଼ିଶାରେ ମୌସୁମୀ ପ୍ରବେଶକୁ ସୁଗମ କରିବ। ଦକ୍ଷିଣ-ପଶ୍ଚିମ ମୌସୁମୀ ଗତ ଜୁନ ୧ରେ କେରଳ ଛୁଇଁଥିଲା। ସାଧାରଣତଃ ମୌସୁମୀ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶା ଆସିଥାଏ । ତେଣୁ ଆସନ୍ତା ୧୦ ତାରିଖ ବେଳକୁ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହେବା ଜଣାପଡ଼ୁଛି।

ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଗୁରୁବାର ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର କେରଳରେ ପହଞ୍ଚିବା ସହ କେନ୍ଦ୍ରୀୟ ଆରବ ସାଗର ଓ କର୍ଣ୍ଣାଟକ ତଥା ତାମିଲନାଡ଼ୁର କିଛି ଅଂଶରେ ପହଞ୍ଚିଛି। ଆଗାମୀ ୨-୩ ଦିନ ମଧ୍ୟରେ ସଂପୂର୍ଣ୍ଣ କର୍ଣାଟକ, ପୁଡୁଚେରୀ, ତାମିଲନାଡ଼ୁ, କେନ୍ଦ୍ରୀୟ ଆରବ ସାଗର, ଦକ୍ଷିଣ-ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବେଶ କରିବ। ଏହାର ପରବର୍ତ୍ତି ଦୁଇଦିନରେ ଆନ୍ଧ୍ର ପ୍ରଦେଶ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। ରିପୋର୍ଟରେ କୁହାଯାଇଛି ।

ଅନ୍ୟ ପକ୍ଷରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଛି। ଶୁକ୍ରବାର ଅପରାହ୍ଣ ସୁଦ୍ଧା ପଶ୍ଚିମ, ଉତ୍ତର ଠାରୁ କେନ୍ଦ୍ରୀୟ, ଦକ୍ଷିଣ ପର୍ଯ୍ୟନ୍ତ ରାଜ୍ୟର ୧୪ଟି ଜିଲ୍ଲାରେ କାଳବୈଶାଖୀ ଜନିତ ପ୍ରବଳ ଝଡ଼ବର୍ଷା ହେବବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ବାଲେଶ୍ୱର, ଭଦ୍ରକ, କଟକ, ନୟାଗଡ଼, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ଜନିତ ପ୍ରବଳ ଝଡ଼ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ୧୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖୀ ସମୟରେ ଘରୁ ପଦାକୁ ନ ବାହରିବାକୁ ଦିଆଯାଇଛି ପରାମର୍ଶ।

ମତାମତ ଦିଅନ୍ତୁ ।