କରୋନା : ସୋସାଇଟି ଓ କଲୋନୀ ସିଲ୍ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ : କରୋନା ପଜିଟିଭ ଚିହ୍ନଟ ପରେ ଦିଲ୍ଲୀରେ ପୁରା କଲୋନୀ କିମ୍ବା ହାଉସିଂ ସୋସାଇଟିକୁ ସିଲ କରାଯାଉଛି। ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ନିୟମ ପରିବର୍ତ୍ତନ କରାଯାଇଛି। ଏଣିକି କୌଣସି କଲୋନୀ କିମ୍ବା ହାଉସିଂ ସୋସାଇଟିକୁ ସଂପୂର୍ଣ୍ଣ ସିଲ କରାଯିବ ନାହିଁ। କେବଳ ସେହି ଟାୱାର କିମ୍ବା ସେହି ଫ୍ଲୋରକୁ ସିଲ କରାଯିବ। ଏହି ନିର୍ଣ୍ଣୟ ନେବା ଅଧିକାର ଜିଲ୍ଲା ଅଧିକାରୀଙ୍କୁ ଦିଆଯାଇଛି। ରାଜ୍ୟ ସରକାର ଓ ଗୃହ ମନ୍ତ୍ରାଳୟ ଏନେଇ ଆଦେଶ ଜାରି କରିଛନ୍ତି।

ଗୃହ ମନ୍ତ୍ରାଳୟ ଜାରି କରିଥିବା ଗାଇଡଲାଇନରେ ପୁରୁଣା ନିୟମ ରହିଥିଲେ ହେଁ ସେଥିରେ ଆଉ ଏକ ଲାଇନ ଯୋଡି ଦିଆଯାଇଛି। ଏଥିରେ କୁହାଯାଇଛି ପରିସ୍ଥିତିକୁ ଦେଖି ଜିଲ୍ଲା ଅଧିକାରୀ ନିଷ୍ପତ୍ତି ନେବେ। ସେଥିପାଇଁ ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ ପାଇଁ ୫୦୦ ମିଟରର ପୁରୁଣା ନିୟମ ଲାଗୁ କରାଯାଉଛି।

ଦିଲ୍ଲୀରେ ବର୍ତ୍ତମାନ ୧୬୦ ରୁ ଅଧିକ କଣ୍ଟେନମେଣ୍ଟ ଜୋନ ରହିଛି। ଗୌତମବୁଦ୍ଧ ନଗର ଜିଲ୍ଲା ଅଧିକାରୀ ସୁହାସ ଏଲୱାଇ ଏକ ଆଦେଶରେ କହିଛନ୍ତି ରାଜ୍ୟ ସରକାରଙ୍କ ଆଦେଶ ପରେ ସହରରେ କଣ୍ଟେନମେଣ୍ଟ ଏରିଆ ପୁଣିଥରେ ନିର୍ଦ୍ଦାରଣ କରାଯାଇଛି। ଯଦି କୌଣସି ବଡ ଆପାର୍ଟମେଣ୍ଟରେ କରୋନା ମାମଲା ସାମ୍ନାକୁ ଆସେ ତେବେ ହାଉସିଂ ସୋସାଇଟିରେ ସେହି ଗୋଟିଏ ଟାୱାରକୁ ସିଲ କରାଯିବ। ଯଦି ଗୋଟିଏରୁ ଅଧିକ ପଜିଟିଭ ମାମଲା ବାହାରେ ତା’ହେଲେ ପୂର୍ବରୁ ଜାରି ହୋଇଥିବା ଆଦେଶ ଅନୁସାରେ ୫୦୦ ମିଟର ବିଶିଷ୍ଟ କଣ୍ଟେନମେଣ୍ଟ ଏରିଆ ଓ ୨୫୦ ମିଟରର ବଫର ଜୋନ ଚିହ୍ନଟ ପ୍ରକ୍ରିୟା ଜାରି ରହିବ।

ସେହିପରି ଦୁଇଟି ଟାୱାରରେ ଗୋଟିଏ ଲେଖାଏଁ ମାମଲା ବାହାରିଲେ ଏବଂ ଉଭୟ ଟାୱାର ମଧ୍ୟରେ ଦୂରତା ୫୦୦ ମିଟରରୁ ଅଧିକ ଥିଲେ ସେହି ସୋସାଇଟି କଣ୍ଟେନମେଣ୍ଟ ଜୋନ ଘୋଷିତ ହେବନାହିଁ। ଆରଡବ୍ଲୁଏ ଓ ହାଉସିଂ ସୋସାଇଟିରେ ରହୁଥିବା ଲୋକଙ୍କ ବିରୋଧ ପରେ ଏହିଭଳି ପଦକ୍ଷେପ ନିଆଯାଇଛି।

ମତାମତ ଦିଅନ୍ତୁ ।