କଂଗ୍ରେସରୁ ଇସ୍ତଫା ଦେଲେ ୮ ବିଧାୟକ

ଗାନ୍ଧୀନଗର: ଗୁଜୁରାଟରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଜାରି ରହିଛି । ଗୁରୁବାର ୨ଜଣ ବିଧାୟକ ଇସ୍ତଫା ଦେଇଥିବାବେଳେ ଶୁକ୍ରବାର ପୁଣି ଜଣେ ବିଧାୟକ ଇସ୍ତଫା ଦେଇଛନ୍ତି । ଫଳରେ ଇସ୍ତଫା ଦେଇଥିବା ବିଧାୟକଙ୍କ ସଂଖ୍ୟା ଏବେ ୮ରେ ପହଂଚିଛି । ଆଜି ଇସ୍ତଫା ଦେଇଥିବା ବିଧାୟକ ହେଲେ ବ୍ରିଜେଶ ମେରଜା । ରାଜ୍ୟସଭା ନିର୍ବାଚନ ଘୋଷଣା ହେବା ପରେ ୫ଜଣ ବିଧାୟକ ଇସ୍ତଫା ଦେଇଦେଇଥିଲେ । ଗୁଜୁରାଟ ବିଧାନସଭା ଅଧ୍ୟକ୍ଷ କହିଛନ୍ତି ସମସ୍ତ ବିଧାୟକଙ୍କ ଇସ୍ତଫା ପତ୍ର ଗ୍ରହଣ କରି ସେଗୁଡ଼ିକୁ ଯାଂଚ କରିଛି । ପ୍ରଥମେ ସେମାନଙ୍କୁ ଇସ୍ତଫା ନ ଦେବା ଲାଗି କହିଲି ପରେ ସେମାନେ ରାଜି ନ ହେବାରୁ ଇସ୍ତଫା ଗ୍ରହଣ କଲି । ସେମାନେ ଏବେ ବିଧାନସଭାର ସଦସ୍ୟ ରହିବେ ନାହିଁ ।
କଂଗ୍ରେସ ରାଜ୍ୟସଭା ନିର୍ବାଚନ ଲାଗି ଗୁଜୁରାଟରୁ ଶକ୍ତି ସିଂ ଗୋହିଲ ଓ ଭରତ ସିଂ ସୋଲାଙ୍କିଙ୍କୁ ମଇଦାନରେ ଓହ୍ଲାଇଛି । ଗୋହିଲଙ୍କୁ ପ୍ରଥମ ପସନ୍ଦ ଭୋଟ ମିଳିବାକୁ ଥିବାରୁ ତାଙ୍କର ରାଜ୍ୟସଭା ଯିବା ନିଶ୍ଚିତ ହୋଇଯାଇଛି । ତେବେ ସଂଖ୍ୟା କମିଯିବାରୁ ଭରତଙ୍କ ରାଜ୍ୟସଭା ଯିବା ଆଶା ମଉଳି ଯାଇଛି ।

ମତାମତ ଦିଅନ୍ତୁ ।