କ୍ୱାରେଣ୍ଟାଇନ ଅବଧି ୧୪ଦିନ କରିବାକୁ ପ୍ରସ୍ତାବ ଦେଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର : ପ୍ରବାସୀ ଶ୍ରମିକମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖିବାର ବ୍ୟବସ୍ଥା କରାଯାଉ। ଆଜି ଏହି ପ୍ରସ୍ତାବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ। ସେ କହିଛନ୍ତି ରାଜ୍ୟରେ ବ୍ୟବସ୍ଥିତ ସ୍ୱାସ୍ଥ୍ୟସେବା ଯୋଗୁ କରୋନା ରୋଗୀମାନେ ଖୁବଶୀଘ୍ର ଉପକୃତ ହେଉଛନ୍ତି। କିନ୍ତୁ ଗତ କିଛଦିନ ଧରି ପ୍ରବାସୀ ଶ୍ରମିକମାନଙ୍କ ପାଇଁ କ୍ୱାରେଣ୍ଟାଇନ ଅବଧି ୭ଦିନ କରାଯାଇଛି। ଏହାଦ୍ୱାରା କରୋନା ଚିହ୍ନଟରେ ଅସୁବିଧା ହେବା ସହ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ଆଗାମୀ ଦିନରେ କରୋନା ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଏହାର କାରଣ ଗାଁ ମାନଙ୍କରେ ଶ୍ରମିକମାନେ ନିଜର ଗୋଟିଏ କିମ୍ବା ଦୁଇ ବଖରା ଘରେ ୫ ଜଣରୁ ୧୦ ଜଣ ପରିବାର ସଦସ୍ୟ ବସବାସ କରିଥାନ୍ତି। ବାହାରୁ ଆସିଥିବା ଶ୍ରମିକ ଭାଇ କିମ୍ବା ଭଉଣୀମାନଙ୍କ ପାଇଁ ହୋମ କ୍ୱାରେଣ୍ଟାଇନ ଓ ସାମାଜିକ ଦୂରତା ନିଜ ଘରେ ପାଳନ କରିବା ସମ୍ଭବ ନୁହେଁ। ଏହାଦ୍ୱାରା ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ମତାମତ ଦିଅନ୍ତୁ ।