ଭାଉଜ ସହ ଅନୈତିକ ସଂପର୍କ ପାଇଁ ସାନଭାଇର ଜୀବନ ଗଲା

କେନ୍ଦୁଝର : ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଫାଣ୍ଡିର ଲକ୍ଷ୍ମୀନାରାୟଣପୁର ଢିପା ସାହିରେ ସାନଭାଇକୁ ତୀରମାରି ହତ୍ୟା କରିଛି ବଡଭାଇ। ଭାଉଜ ସହିତ ଅନୈତିକ ସଂପର୍କ ପାଇଁ ଏପରି ଘଟଣା ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ କକା ପୁଅ ବଡ଼ଭାଇ ଶଙ୍କର ମୁଣ୍ଡାର ସ୍ତ୍ରୀ ଗୁରୁବାରୀ ସହିତ ଜିତୁ ମୁଣ୍ଡାର ବର୍ଷେରୁ ଅଧିକ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏ ସମ୍ପର୍କରେ ଜାଣିବା ପରେ ଶଙ୍କର ଜିତୁକୁ ଦୂରେଇ ଯିବାପାଇଁ ତାଗିଦ କରିଥିଲା। ହେଲେ ଏ କଥାକୁ ଜିତୁ ଗୁରୁତ୍ବ ଦେଇନଥିଲା। ଗତ ୧୫ ଦିନ ତଳେ ଜିତୁ ମୁଣ୍ଡା ଭାଉଜ ଗୁରୁବାରୀକୁ ନିଜ ଘରେ ଆଣି ସ୍ତ୍ରୀ ଭାବରେ ରଖିଥିଲା। ଏଥିରେ ଶଙ୍କର ଉତକ୍ଷିପ୍ତ ହୋଇ ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ରହିଥିଲା।

ଶୁକ୍ରବାର ଶଙ୍କରର ଭଣଜା ଟ୍ରାକ୍ଟର ନେଇ ବିଲକୁ ହଳ କରିବାକୁ ଯାଇଥିଲା। ଜିତୁ ଜମି ହଳ କରିବା ପାଇଁ ଟ୍ରାକ୍ଟର ପାଖକୁ ଯାଇଥିଲା। କିନ୍ତୁ ଟ୍ରାକ୍ଟରରେ ତେଲ ସରିଯାଇଛି। ହଳ ହୋଇପାରିବ ନାହିଁ ବୋଲି ଡ୍ରାଇଭର କହିବାରୁ ଡ୍ରାଇଭର ଓ ଜିତୁ ଟ୍ରାକ୍ଟରରେ ବସି ଘରକୁ ଫେରୁଥିଲେ। ଶଙ୍କର ଘର ସାମ୍ନାରେ ଟ୍ରାକ୍ଟରରୁ ଜିତୁ ଓହ୍ଲାଇବା ସମୟରେ ଶଙ୍କର ତୀର ମାରିଥିଲା। ଜିତୁର ଛାତିରେ ତୀର ବାଜିବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା। ଜିତୁକୁ ହତ୍ୟାକାରୀ କରିବା ପରେ ଶଙ୍କର କାଳିଆହତା ଫାଣ୍ଡିରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।