ମାସ୍କ ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନୂଆ ଗାଇଡ୍‌ଲାଇନ୍ସ

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମାସ୍କ ବ୍ୟବହାର ନେଇ ନୂଆ ଗାଇଡଲାଇନ୍ସ ଜାରି କରିଛି। ଏଥିରେ କୁହାଯାଇଛି ବ୍ୟାପକ ସଂକ୍ରମିତ ସ୍ଥାନରେ ରୋଗୀଙ୍କ ସହ ମେଡିକାଲର ସମସ୍ତ କର୍ମଚାରୀ ମେଡିକାଲ୍‌ ମାସ୍କ ପିନ୍ଧିବା ଜରୁରୀ। ଏପରିକି ମେଡିକାଲରେ କାମ କରୁଥିବା ସଫେଇ କର୍ମଚାରୀ ଏହି ମାସ୍କ ପିନ୍ଧିବେ। ସେହିପରି କୋଭିଡ୍-୧୯ ସଂକ୍ରମଣ ନଥିବା ଓ୍ୱାର୍ଡର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ମାସ୍କ ପିନ୍ଧିବା ଆବଶ୍ୟକ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଗୋଷ୍ଠୀ ସଂକ୍ରମଣ ସ୍ଥାନରେ ଯଦି ସାମାଜିକ ଦୂରତା ସମ୍ଭବ ହେଉନି ତେବେ ୬୦ ବର୍ଷରୁ ଅଧିକ କିମ୍ବା ବିଛଣାରେ ପଡ଼ିରହୁଥିବା ଲୋକଙ୍କୁ ମେଡିକାଲ ମାସ୍କ ପିନ୍ଧାଇବା ଆବଶ୍ୟକ। ଗୋଷ୍ଠୀ ସଂକ୍ରମଣ ସ୍ଥାନରେ ଅତିକମ୍‌ରେ ଗୋଟିଏ ମିଟରର ସାମାଜିକ ଦୂରତା ରକ୍ଷା କରିବା ଯଦି ସମ୍ଭବ ନୁହେଁ ସେଠାରେ ସାଧାରଣ ଲୋକ ମାସ୍କ ବ୍ୟବହାର କରିବା ଉଚିତ୍‌। ସେଥିପାଇଁ କପଡ଼ା ତିଆରି ମାସ୍କ (ଘରେ ତିଆରି କରି ହେଉ ଅବା ବଜାରରୁ କିଣି) ବ୍ୟବହାର କରିବାକୁ କୁହାଯାଇଛି। କପଡ଼ା ମାସ୍କ ଗୁଡ଼ିକ ତିନି ପରସ୍ତ ଓ ଭିତର ପରସ୍ତଟି କଟନ୍‌ ହେବା ଉଚିତ୍‌। ଫଳରେ ପିନ୍ଧୁଥିବା ବ୍ୟକ୍ତି ଛିଙ୍କିଲେ ବା କାଶିଲେ ଶରୀର ଭିତରୁ ନିର୍ଗତ ହେଉଥିବା ତରଳ ପଦାର୍ଥକୁ ଏହା ଶୋଷି ନେବ। ସେହିପରି ମଝି ପରସ୍ତଟି ପଲିପ୍ରପିଲିନ୍‌ ଭଳି ଏକ ନନ୍‌-ଓଭେନ୍‌ ମ୍ୟାଟେରିଆଲ୍‌ ହେଲେ ଫିଲ୍‌ଟର ଭାବେ କାର୍ଯ୍ୟ କରିବ। ବାହାର ପରସ୍ତଟି ପଲିଷ୍ଟର ଭଳି ସାମଗ୍ରୀରେ ତିଆରି ହେଲେ ବାହାରୁ କୌଣସି କଣିକାକୁ ଶରୀର ଭିତରେ ପଶିବାକୁ ଦେବ ନାହିଁ। ତେବେ ଏଭଳି ମାସ୍କ ତିଆରି କରିବା ସମ୍ଭବ ନହେଲେ ସାଧାରଣ କପଡ଼ା ମାସ୍କକୁ ଏକାଧିକ ପରସ୍ତ କରି ପିନ୍ଧିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରାମର୍ଶ ଦେଇଛି। ଏହାଛଡା କପଡ଼ା ତିଆରି ମାସ୍କ ଗୁଡ଼ିକୁ ବାରମ୍ବାର ଗରମ ପାଣିରେ ସାବୁନ୍‌ ବା ଡିଟର୍‌ଜେଣ୍ଟରେ ଧୋଇବା ସହିତ ଠିକ୍ ଢଙ୍ଗରେ ପିନ୍ଧିବାକୁ କୁହାଯାଇଛି। ହାତ ନଧୋଇ ବାରମ୍ବାର ମାସ୍କ ଛୁଇଁବା କିମ୍ବା ବାରମ୍ବାର ଖୋଲିବା ଠାରୁ ଦୂରେଇ ରହିବାକୁ ଦିଆଯାଇଛି ପରାମର୍ଶ।

ମତାମତ ଦିଅନ୍ତୁ ।