ବିଷାଦ ବ୍ୟାଧିର ବଳୟରେ ବିଶ୍ୱ

॥ ମାୟାଧର ନାୟକ ॥

କରୋନା ମହାମାରୀ, ଭୋକର ଜ୍ୱାଳାଭଳି ଏବେ ବିଷାଦର ବ୍ୟାଧି ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ମଣିଷ ମନରୁ ଶାନ୍ତି ଉଭେଇ ଯାଇଛି। ଧନସମ୍ପତ୍ତି, କୋଠାବାଡି, ସୁନାରୂପା, ଗାଡିଘୋଡା ସବୁଥାଇ ମଣିଷ ମନରେ ସୁଖ ନାହିଁ। ଏବେ ସେ ପାଗଳ ଭଳି ଘୁରି ବୁଲୁଛି। ଇଂଟରନେଟ୍ ପାଖରେ, ଟି.ଭି. ପାଖରେ ଘଂଟାଘଂଟା ବିତେଇ ଦେଉଛି, ନହେଲେ ନିଶା ସେବନରେ ଦିନରାତି କଟେଇ ଦେଉଛି। କ୍ୟାନ୍‌ସର୍‌ ରୋଗହେଲେ ମଣିଷ ମୃତ୍ୟୁକୁ ଏକରକମ ଆଲିଙ୍ଗନ କରେ। କିନ୍ତୁ ବିଷାଦ, ଅବସାଦ, ରୋଗକୁ ଯିଏ ଜୟ କରିପାରିବ-ସେହିଁ ପ୍ରକୃତରେ ସୁଖୀ।

ଜଣେ ସାଧାରଣ ମଣିଷ ଧନୀ ହେବାଟା ବଡ କଥା ନୁହେଁ। ସୁଖ ଓ ସ୍ୱାସ୍ଥ୍ୟର ଅଧିକାର ହିଁ ଏକାନ୍ତ ଆବଶ୍ୟକ। ଅଧିକାଂଶ ଅର୍ଥନୈତିକ ଉନ୍ନତି ହିଁ ସୁଖର ଚାବିକାଠି ବୋଲି ଧରିନେଇଛନ୍ତି। ଏହା ମଧ୍ୟ ସଂପୂର୍ଣ୍ଣ ସତ୍ୟ ନୁହେଁ ବୋଲି କେତେକ ଯୁକ୍ତି ବାଢନ୍ତି। ଅର୍ଥନୀତିକୁ ନେଇ ସମଗ୍ର ବିଶ୍ୱ ପ୍ରଥମେ ୩ ଭାଗରେ ବିଭକ୍ତ ହୋଇଯାଇଥିଲା। ପ୍ରଥମ ବିଶ୍ୱରେ ଧନଶାଳୀ ପୁଞ୍ଜିବାଦୀ ଦେଶ ସମୂହ, ଦ୍ୱିତୀୟ ବିଶ୍ୱରେ ସମାଜବାଦୀ ଅର୍ଥନୀତିର ପ୍ରବର୍ତକ ଦେଶ ସମୂହ ଏବଂ ତୃତୀୟ ବିଶ୍ୱରେ ଅନୁନ୍ନତ ବିକାଶଶୀଳ ଦେଶ ସମୂହ। ପ୍ରଥମ ବିଶ୍ୱର ମତରେ ଅର୍ଥନୈତିକ ଉନ୍ନତି ହିଁ ସୁଖ ଆଣିବଏବଂ ଦ୍ୱିତୀୟ ବିଶ୍ୱ ମତରେ ଅର୍ଥନୈତିକ ବୈଷମ ଦୂର କରିଲେ ହିଁ ପ୍ରକୃତ ସୁଖ ଆସିବ। ତୃତୀୟ ବିଶ୍ୱ ସମୂହ ଦେଶମାନେ ପ୍ରଥମ ଓ ଦ୍ୱିତୀୟ ବିଶ୍ୱର ଦେଶମାନଙ୍କ ଠାରୁ ସାହାଯ୍ୟ ସହଯୋଗ ଆଣିବା ପାଇଁ ବ୍ୟଗ୍ର ହୋଇପଡୁଥିଲେ। ଏବେ କିନ୍ତୁ ଦ୍ୱିତୀୟ ବିଶ୍ୱର ଦେଶମାନେ ସମାଜବାଦୀ ଅର୍ଥନୀତିରୁ ପୁଞ୍ଜିବାଦୀ ଅର୍ଥନୀତି ଆଡକୁ ମୁହାଁଇଥିବାରୁ ତାଙ୍କର ଚାରିତ୍ରିକ ଅସ୍ତିତ୍ୱଲୋପ ପାଇବାରେ ଲାଗିଛି। ସମଗ୍ର ବିଶ୍ୱପ୍ୟାପୀ ନୂତନ ଅର୍ଥନୈତିକ ବ୍ୟବସ୍ଥାରେ ପୃଥିକରଣ, ଉଦାରିକରଣ, ଘରୋଇକରଣ ପ୍ରବେଶ କରିବା ଫଳରେ ଅର୍ଥନୈତିକ ଭାରସାମ୍ୟ ଦୋହଲି ଯାଇଛି।

ସଂପ୍ରତି ଭାରତୀୟ ଅର୍ଥନୀତି ଭିଷଣ ଭାବରେ ରୋଗାକ୍ରାନ୍ତ। ପୁଣି କରୋନା ମହାମାରୀ ଅର୍ଥନୀତିକୁ ଧ୍ୱଂସମୁଖୀ କରୁଛି। ଏ ରୋଗାକ୍ରାନ୍ତ ଅର୍ଥନୀତିକୁ ଭଲ କରିବା ପାଇଁ କେତେ ପ୍ରକାର ଉପାୟ ଚିନ୍ତା କରାଯାଉଛି ଏବଂ ପ୍ରୟୋଗ ମଧ୍ୟ କରାଯାଉଛି। ହେଲେ ରୋଗ କମିବାର ଲକ୍ଷଣ ଦେଖାଦେଉନି। ଅର୍ଥନୈତିକ ରୂପକ ରୋଗ ମହାମାରୀ ଆଡକୁ ଗତିକରୁଛି। ଉତ୍ପାଦନ କ୍ଷେତ୍ର ଧ୍ୱସ୍ତବିଧ୍ୱସ୍ତ। ଖୁଚୁରା ବଜାରରେ ଅଗ୍ନିବର୍ଷୁଛି। ଏଭଳି ଅବସ୍ଥାରେ କିଛି ରତ୍ପାନକାରୀମାନଙ୍କର ପୁଷମାସ। ସେମାନେ ଭାରତୀୟ ଟଙ୍କାରେ ଜିନିଷ କିଣି ବିଦେଶକୁ ଚାଲାଣ କରିଡଲାର୍ ପାଉଛନ୍ତି। ସେଥିପାଇଁ ସେୟାର ବଜାର ଅତ୍ୟନ୍ତ ଦୁର୍ବଳ ହୋଇପଡିଛି। ବିଦେଶୀ ବ୍ୟବସାୟୀମାନେ ଭାରତରୁ ଧିରେ ଧିରେ ପୁଞ୍ଜି ପ୍ରତ୍ୟାହାର କରିନେଉଛନ୍ତି। ଏଭଳି ଅବସ୍ଥାରେ ଟଙ୍କାର ଅବମୂଲ୍ୟାୟନ ଏବଂ ଡଲାରର ଉର୍ଦ୍ଧ୍ୱଗତି ଯୋଗୁଁ ଦେଶ ଭୟଙ୍କର ଆର୍ଥିକ ସଂକଟରେ ଜର୍ଜରିତ। ରିଜର୍ଭବ୍ୟାଙ୍କ, ଅର୍ଥ ମନ୍ତ୍ରଣାଳୟ ଯେତେପ୍ରକାର ପଦକ୍ଷେପ ନେଉଛନ୍ତି, ତାହାକାମ ଦେଉନି।

ସଂପ୍ରତି ଦେଶରେ ରାଜନୈତିକ ଅନିଶ୍ଚୟତା ଦେଖାଦେଇଛି। ଏଣେ ଦେଶରେ ଦୁର୍ନିତୀ, ବ୍ୟଭିଚାର ବଢିବାରେ ଲାଗିଛି। ରାଜକୋଷ ଲୁଟ୍‌ ହେଉଛି। ରାଜକୋଷ ଲୁଟେରାମାନେ କଳେବଳେ କୌଶଳେ ଶାସନ କ୍ଷମତାକୁ ଜାବୁଡି ଧରିଲୁଣ୍ଠନ କରିଚାଲିଛନ୍ତି। କେତେକ ଲୋକଙ୍କ ହାତରେ ଅମାପମାପ ସମ୍ପତ୍ତି ଠୁଳ ହେଉଛି। କୋଟି କୋଟି ଏପରିକି ୯୫ ଭାଗ ଲୋକ ପରିଶ୍ରମର ଫଳ ନପାଇ ହତାଶ ପଙ୍କରେ ଘାଂଟି ହେଉଛନ୍ତି। ବିଷାଦରେ ସେମାନେ ଭାଙ୍ଗି ପଡୁଛନ୍ତି।

ଅର୍ଥାଭାବରୁ ଯେତିକି ଦୁଃଖ ଦୁର୍ଦ୍ଦଶାର ଘଟଣା ଘଟେ, ତାଠାରୁ ଅଧିକ ଘଟେ ଭଲପାଇବା ଅଭାବରୁ। ବ୍ୟକ୍ତିଗତ ଓ ସାମାଜିକ ସଂପର୍କ ମଣିଷ ନିକଟରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ-କାହାର ବ୍ୟାଙ୍କରେ କେତେ ଅର୍ଥ ଅଛି-ସେଟା ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯଦି କିମିଆକରି କେହି ସଂଗେସଂଗେ ବିଶ୍ୱର ଦାରିଦ୍ର‌୍ୟ କମାଇଦିଏ, ତାହେଲେ ମଣିଷର ଦୁଃଖ ମାତ୍ର ଶତକଡା ୫ ଭାଗକମିବ ଏବଂ ଆଉ ଯଦି କେହି ବିଷାଦ, ଉଦ୍‌ବେଗରୁ ମଣିଷକୁ ବିଛିନ୍ନ କରିଦିଏ-ତାହେଲେ ଦୁଃଖ କମିବ ମାତ୍ର ଶତକଡା ୨୫ ଭାଗ। ବାକି ୭୫ ଭାଗ ଦୁଃଖ କେବଳ ମନଲାଖି ଉପଯୁକ୍ତ ବନ୍ଧୁ ପାଇଲେ ଦୂର ହୋଇଯାଇପାରେ। ମଣିଷ-ମଣିଷର ସଂପର୍କ ଆର୍ଥିକ ସାମର୍ଥ ପାଇଁ ନିର୍ଦ୍ଧାରିତ ହୁଏକି ? ଗୋଟିଏ ଅତି ଆନନ୍ଦମୟ ଦାମ୍ପତ୍ୟ ସଂପର୍କ ଅର୍ଥାଭାବରୁ ଦୁଷିତ ହୋଇଯାଏନା ? ସନ୍ତାନମାନେ କ’ଣ ପିତାମାତାଙ୍କ ଦରିଦ୍ରତା ପାଇଁ ଶତ୍ରୁ ମନୋଭାବାପନ୍ନ ହୋଇପଡନ୍ତି କି ? ଗୋଟିଏ ସଂପର୍କର ପ୍ରକୃତ ଶ୍ରଦ୍ଧା ପ୍ରୀତି ପାଇଁ ଯେଉଁ ପରିମଣ୍ଡଳ ପ୍ରୟୋଜନ ଅର୍ଥାଭାବରୁ ତାହା ନଷ୍ଟ ହୋଇଯାଉଛି କି ?

ଧନୀ ଲୋକମାନେ ବରାବର ସମ୍ପତ୍ତିର ପାହାଡ ଉପରେ ବସି ପୁଣି ଧନ ପାଇଁ ବିକଳ ହୁଅନ୍ତି-ନାନା ଉପାୟ, କଳକୌଶଳ, ଷଡଯନ୍ତ୍ର, ଅନ୍ୟାୟ ଅତ୍ୟାଚାର, କଷଣ ଶୋଷଣ କରି ତାଙ୍କ ଧନମ୍ପତ୍ତିର ପାହାଡକୁ ସ୍ୱର୍ଗ ପର୍ଯ୍ୟନ୍ତ ଲମ୍ବେଇ ଦେବାକୁ ଇଛା କରି ଶେଷରେ ରୋଗ, ନିରାଶା, ହତାଶା, ବିଷାଦର ହାଃ ହୁତାଶନରେ ସ୍ୱର୍ଗଧାମକୁ ଯାତ୍ରା କରନ୍ତି। ସେଇସମ୍ପତ୍ତି ତାଙ୍କ ବଂଶପରିଜନମାନଙ୍କୁ ଖାଇ ଗୋଡାଏ। ସଂପର୍କ ଭାଙ୍ଗି ଛିନ୍‌ଛତ୍ର ହୋଇଯାଏ। ଧନଲୋଭ ମଣିଷକୁ ରସାତଳକୁ ଟାଣିନିଏ। ଟଲ୍‌ଷ୍ଟଏଙ୍କ ସେହି ସ୍ମରଣିୟ ଗଳ୍ପ “ମଣିଷ ପାଇଁ କେତେ ଜମିଲୋଡା”କୁ ଟିକେ ହେଜନ୍ତୁ। ତେଣୁ ସଂପର୍କ ହିଁ ଏକମାତ୍ର ଅସଲ ସମ୍ପତ୍ତି। ସଂପର୍କର ସଂସାର ହିଁସାର-ମନଲାଖି ମଣିଷ ସମାଜ ପାଇଁ ଶୁଖିଲା ସଭ୍ୟତାକୁ ଲୁହଭିଜା ସଂସ୍କୃତିର ଏହି ପ୍ରକୃତିର ଶୁଭ ସମାଚାର।

ସମଗ୍ର ବିଶ୍ୱ ଯେପରି ବିଷାଦ ରୋଗାକ୍ରାନ୍ତ, ଭାରତ ସମେତ ବହୁ ଦେଶରେ ଅର୍ଥନୀତି ବ୍ୟାଧିଗ୍ରସ୍ତ। ଭାରତରେ ଭିକାରୀଠାରୁ ଆରମ୍ଭ କରି ଭି.ଆଇ.ପି ପର୍ଯ୍ୟନ୍ତ ସମସ୍ତେ ଧନ ପଛରେ ଗୋଡାଇଛନ୍ତି। କେବଳ ଧନ ନୁହେଁ, ପ୍ରତ୍ୟେକ ମଣିଷର ମନ ମଧ୍ୟ ବୋଲ ମାନୁନି। ପରିବାର ରକ୍ତ ସଂପର୍କ ମଧ୍ୟରେ ମଧ୍ୟ ମନୋମାଳିନ୍ୟ ଯୋଗୁଁ ସମସ୍ତେ ବିଷାଦଗ୍ରସ୍ତ। ଶରୀରରେ ରୋଗହେଲେ ସଠିକ୍‌ ଔଷଧ ସେବନ କରି ଲୋକେ ଭଲ ହୋଇଯାଉଛନ୍ତି, କିନ୍ତୁ ବିଷାଦ ରୋଗପାଇଁ କୌଣସି ଔଷଧ ନାହିଁ। ନିଜ ମନକୁ ନିଜେ ବୁଝାଇବା ହିଁ ବିଷାଦ ରୋଗ ନିରାକରଣର ନିଦାନ।

ପଶ୍ଚିମ ଦେଶମାନଙ୍କରେ ବିଷାଦ ଓ ମାନସିକ ଅସ୍ଥିରତା ଭିଷଣ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ମଣିଷ ପାଗଳଭଳି ସୁଖ ଖୋଜୁଛି। ସଭ୍ୟତ ଓ ବିଜ୍ଞାନର ଯେତେ ଉନ୍ନତି ହେଉଛି, ମଣିଷ ସେତେ ବିଷାଦଗ୍ରସ୍ତ ହେବାରେ ଲାଗିଛି। ପ୍ରତ୍ୟେକ ମଣିଷ ଯାହା ଖୋଜୁଛି-ତାହା ପାଇବା କଷ୍ଟକର। ଖୋଜି ଖୋଜି ନୟାନ୍ତ ହୋଇ ବିଷାଦ ରୋଗରେ ଆକ୍ରାନ୍ତ ହେଉଛି। ଏହି ବିଷାଦରୁ ମୁକୁଳିବା ପାଇଁ ଯିଏ ଯାହା ଆଶାର ଆଲୋକ ଦେଖାଇଲା, ସେହି ମରିଚିକା ପଛେ ପଛେ ଧାଇଁବାରେ ଲାଗିଛି।

ଏହି ବିଶ୍ୱରେ ପ୍ରତ୍ୟେକ ମଣିଷ ଯେଭଳି ବିଷାଦ ରୋଗରେ ଆକ୍ରାନ୍ତ, ସେଇଭଳି ଅନ୍ୟାନ୍ୟ ଜୀବଜନ୍ତୁ ମଧ୍ୟ ଆକ୍ରାନ୍ତ। ଏହି ବିଷାଦ ରୋଗରୁ ମୁକ୍ତି ପାଇବା ପାଇଁ ବହୁ ଦାର୍ଶନିକ ଅନେକ ବିକଳ୍ପ ତତ୍ତ୍ଵ ବାହାର କରିଛନ୍ତି, ହେଲେ ସେ ତତ୍ତ୍ଵକୁ କାର୍ଯ୍ୟରେ ପରିଣତ କରିବାକୁ ମଣିଷ ସଂପୂର୍ଣ୍ଣ ଚେଷ୍ଟାକରୁନି, ଯାହା ଫଳରେ ବିଷାଦଗ୍ରସ୍ତ ହୋଇ ହାଃ ହୁତାଶରେ ଜୀବନ କଟାଉଛି। ଏହି ବିଷାଦ ରୋଗକୁ ଭଲ କରିବା ପାଇଁ ସଂପୂର୍ଣ୍ଣ ସୂତ୍ର କିଏ ବାହାର କରିବ ? ତାହା ଅପେକ୍ଷାରେ ମାନବଜାତି ଚାହିଁରହିଛି। ଚାହିଁଚାହିଁ ଆଖି ପାଣି ଆଖିରେ ମରିବ ସିନା-ବିଷାଦ ରୋଗରୁ ମୁକ୍ତି ପାଇବ ନାହିଁ। ପୃଥିବୀରେ କୌଣସି ଶକ୍ତି ନାହିଁ-ତୁମକୁ ବିଷାଦଗ୍ରସ୍ତ କରିବ; କେବଳ ନିଜେ ନିଜକୁ ହିଁ ବିଷାଦଗ୍ରସ୍ତ କରିଥାଉଁ ଆମେମାନେ। ଏହା ହେଉଛି ଏକ ମହୌଷଧିମୟ ଅର୍ନ୍ତବାଣୀ- ଯାହା ମନେରଖିଲେ ବିଷାଦ ବ୍ୟାଧିର ସଂକ୍ରମଣରୁ ଆମେ ନିସ୍ତରି ଯାଇପାରିବା।

ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

ମତାମତ ଦିଅନ୍ତୁ ।