ବେକାରୀ ଓ ପ୍ରବାସୀ ଓଡ଼ିଆଙ୍କ ପାଇଁ କୃଷି କ୍ଷେତ୍ରରେ ଆତ୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ଏକାନ୍ତ ଜରୁରୀ

ଡ. ଡି.ବି.ହୃଦୟ
ଆଜି ସମଗ୍ର ବିଶ୍ୱ ମହାମାରୀ କରୋନାରେ କବଳିତ । ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ସାଙ୍ଗକୁ କୋଭିଡ଼୍‌-୧୯ ଆମ ପାଇଁ ଆଉ ଏକ ଚାଲେଞ୍ଜ । ଏହି ସମୟରେ ପ୍ରାକୃତିକ ବିପର୍ଯ୍ୟୟ ବଇରୀ ସାଜିଛି । ବିଭିନ୍ନ ବିପଦକୁ ସାମ୍ନା କରିବା ପାଇଁ ଶକ୍ତି ଓ ସମ୍ବଳର ସମ୍ଭାବନା କେତେ ତାହା ଆଜି ପ୍ରଶ୍ନବାଚୀ ? ଏପରି ସ୍ଥିତିରେ ପ୍ରତ୍ୟେକ ଲୋକ ନିଜକୁ ସୁରକ୍ଷା ଦେଇ ଅନ୍ୟକୁ ସୁରକ୍ଷା ଦେବାର ଆହ୍ୱାନ ଆସିଛି। କରୋନା ସମୟରେ ଆମ ରାଜ୍ୟର ବାହାରେ ଥିବା ଲୋକ ନିଜ ଘରକୁ ଫେରି ଆସିବାର ସୁଅ ଛୁଟିଛି । ଏହା ଆମ ପାଇଁ ରୋଗ ବାରଣ ନିମିତ୍ତ ଆହ୍ୱାନ ହୋଇଥିଲେ ମଧ୍ୟ ସଂଞ୍ଜମତା ଓ ସତର୍କତା ରକ୍ଷା ଆମର ଦାୟିତ୍ୱ। ପରିସ୍ଥିତିକୁ ମୁକାବିଲା କରିବା ସହିତ ସୀମିତ ସମ୍ବଳକୁ ପୁଞ୍ଜିକରି ବଞ୍ଚିବା ପାଇଁ ବ୍ୟବସ୍ଥାର ପଥ ନିରୁପଣ ଜରୁରୀ। ରାଜ୍ୟରେ ବେକାରୀ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଏହି ସଂଖ୍ୟାରେ ପ୍ରବାସୀ ଓଡ଼ିଆମାନେ ସାମିଲ ହୋଇଥିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ବେକାରୀ ଓ ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାରଙ୍କ ପକ୍ଷରୁ କୃଷି କ୍ଷେତ୍ରରେ ଆତ୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ଏକାନ୍ତ ଜରୁରୀ ହୋଇପଡିଛି।

ଆମ ରାଜ୍ୟରେ କୃଷି ଭିତ୍ତିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ ପାଇଁ ପ୍ରଚୁର କଞ୍ଚାମାଲ ରହିଛି। ଦିନଥିଲା ଘରୋଇ ଉତ୍ପାଦନ କ୍ଷେତ୍ରରେ କୃଷି କ୍ଷେତ୍ରକୁ ୫୦ ପ୍ରତିଶତ ଅବଦାନ ଥିବାବେଳେ ଆଜି ଏହା ୧୫ ରୁ ୨୦ ପ୍ରତିଶତରେ ପହଞ୍ଚିଛି। ସେହିପରି ଲୋକ ସଂଖ୍ୟା ବୃଦ୍ଧି ଅନୁପାତରେ ଚାଷ ଜମି ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଯାହାକି ଭବିଷ୍ୟତରେ ଖାଦ୍ୟ ନିରାପତ୍ତା ନେଇ ସମସ୍ୟା ସୃଷ୍ଟି କରିପାରେ। ଏପରି ଆଶଙ୍କା କରାଯିବାର କାରଣ ଚାଷୀ ପରିବାରର ଭେଣ୍ଡିଆ ଯୁବକମାନେ ଚାଷ ଉପରୁ ମୁହଁ ଫେରାଉଛନ୍ତି। ଏହା ରାଜ୍ୟର ପ୍ରଗତି ପାଇଁ ଏକ ଅଶୁଭ ଲକ୍ଷଣ। ଗ୍ରାମାଞ୍ଚଳର କୃଷିଜୀବି ମହିଳାମାନେ ପୂର୍ବପରି କୃଷି କ୍ଷେତ୍ରରେ ଯେପରି ଅଧିକରୁ ଅଧିକ ସହଭାଗୀ ଥିଲେ ବର୍ତ୍ତମାନ ଏହାର ବ୍ୟତିକ୍ରମ ଘଟିଛି। ଆଦିବାସୀ ଅଧ୍ୟୁଷିତ ପାହାଡିଆ ଅଞ୍ଚଳର କୃଷିଜୀବି ମହିଳାମାନେ ୮୦ ପ୍ରତିଶତ କୃଷି କ୍ଷେତ୍ରରେ ନିୟୋଜିତ ଥିବାବେଳେ ୨୦ ପ୍ରତିଶତ ପୁରୁଷ ଚାଷ କାର୍ଯ୍ୟକୁ ଆପଣାଇ ଥିଲେ। ଏବେ ସେମାନେ କୃଷି ବିକାଶ ଧାରାରେ ସେତିକି ପରିମାଣରେ ସାମିଲ ହୋଇ ପାରୁ ନାହାନ୍ତି।

ଓଡ଼ିଶାରେ ଚାଷ ପାଇଁ ପ୍ରଯ୍ୟାପ୍ତ ସୁଯୋଗ ରହିଛି। ସରକାରୀ ସ୍ତରର ବିଭିନ୍ନ କୃଷି ଯୋଜନା ଓ କୃଷିଜୀବିମାନଙ୍କର ଆଗ୍ରହ ଓ ତତ୍ପରତା, ସମନ୍ୱୟ ସଠିକ୍ ଭାବରେ ରହିପାରିଲେ ଏହା ବାସ୍ତବାଭିମୁଖୀ ହେବାରେ କୌଣସି ଅସୁବିଧା ନାହିଁ। ବର୍ତ୍ତମାନର ଅନିୟମିତ ଜଳବାୟୁ ପ୍ରଭାବରେ ଚାଷ କ୍ଷେତ୍ର ଅନେକ ସମୟରେ ପ୍ରଭାବିତ। ଚାଷୀ ଉତ୍ପାଦନ କରୁଥିବା କୃଷିଜାତ ଦ୍ରବ୍ୟର ସୁ ବିପଣନ, ସଂରକ୍ଷଣ, ରତ୍ପାନୀ, ପ୍ରକ୍ରିୟା ଓ ପ୍ରସ୍ତୁତିକରଣ ପାଇଁ ଆବଶ୍ୟକ କୃଷି ଭିତ୍ତିଭୂମି ନଥିବାରୁ ଚାଷୀ ଅଭାବି ବିକ୍ରୀର ଶିକାର ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିବା ନଜିର ରହିଛି। ଯଦି ଓଡ଼ିଶାରେ କୃଷି ଭିତ୍ତିକ ଶିଳ୍ପାନୁଷ୍ଠାନ ଗୁଡ଼ିକର ପୁନରୁଦ୍ଧାର ଓ ଆବଶ୍ୟକସ୍ଥଳେ ନୂତନ କୃଷି ଭିତ୍ତିକ ଶିଳ୍ପ ପ୍ରିତିଷ୍ଠା କରାଯାଏ ତେବେ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ନିଶ୍ଚୟ ଭାବରେ କମିବ।

ରାଜ୍ୟରେ ପୂର୍ବରୁ ଥିବା ସୁତାକଳ, ଚିନିକଳ ଓ ତେଲକଳ ଗୁଡ଼ିକର ପୁନରୁଦ୍ଧାର ହେବା ଜରୁରୀ ହୋଇପଡିଛି। ସେହିଭଳି ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଓ ନୂଆପଡ଼ା ଆଦି ଜିଲ୍ଲାରେ ଧଳାସୁନା ବା କପା ଉତ୍ପାଦନର ଯଥେଷ୍ଟ ସୁଯୋଗ ରହିଛି। ସୁତାକଳ ପାଇଁ ଏହା ସହାୟକ ହେବା ସହିତ ପ୍ରବାସୀ ଓଡ଼ିଆଙ୍କ ନିଯୁକ୍ତି ଲାଗି ସୁଯୋଗ ସୃଷ୍ଟି କରିବ। କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ା, ପଟ୍ଟାଙ୍ଗୀ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଦା ଓ ହଳଦୀର ଚାହିଦା ରହିଛି। ଏହି ଅଞ୍ଚଳରୁ ଉତ୍ପାଦିତ ଅଦା ଓ ହଳଦୀକୁ ମେଗା ପ୍ରକଳ୍ପ ଦ୍ୱାରା ପ୍ରସ୍ତୁତି କରାଯାଇ ବାହାର ରାଜ୍ୟ ଓ ଦେଶ ବିଦେଶକୁ ରତ୍ପାନୀ କରାଗଲେ ସ୍ଥାନୀୟ ଚାଷୀମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ନବରଙ୍ଗପୁର ଜିଲ୍ଲାର ମକା ଓ ଅନ୍ୟ କେତୋଟି ଜିଲ୍ଲାରେ ଉତ୍ପାଦିତ ହେଉଥିବା ସୁଇଟ୍ କର୍ଣ୍ଣ ମକାର ମଧ୍ୟ ରହିଛି ଯଥେଷ୍ଟ ଚାହିଦା। ଦେବଗଡ଼ କିଲ୍ଲାରେ ଲିଚୁ ଓ ତରଭୁଜ ଚାଷ କରାଯାଉଛି। ଚାଷୀଙ୍କ ପାଇଁ ଏ ଦିଗରେ ଅଧିକ ସୁଯୋଗ ସୃଷ୍ଟି କରାଗଲେ ସେମାନେ ଅଧିକ ଦି ପଇସା ପାଇ ପାରିବେ । କାଜୁ ଚାଷ ପାଇଁ ମଧ୍ୟ ରହିଛି ଭିତ୍ତିଭୂମି। କାଜୁ ଉତ୍ପାଦନ ପରେ ଏହାକୁ ପ୍ରୋସେସିଂ କରାଯାଇ ପାରିବ।

ଏବେ ସରକାରଙ୍କ ପକ୍ଷରୁ ଗୋ ପାଳନ, ଛାଗ ମେଷ, କୁକ୍କୁଟ ଓ ବତକ ଚାଷ ପାଇଁ ଅଧିକ ସୁଯୋଗ ସୃଷ୍ଟି କରାଯାଇଛି। କିନ୍ତୁ ଏହାକୁ ବ୍ୟାପକ କରାଯିବା ଆବଶ୍ୟକ। ମତ୍ସ୍ୟ ଚାଷ କ୍ଷେତ୍ରରେ ଓଡ଼ିଶା ଆଗକୁ ବଢିଛି। ଏହାସତ୍ତ୍ଵେ ମଧ୍ୟ ଆନ୍ଧ୍ର ମାଛ ପାଇଁ ଆମକୁ ନିର୍ଭର କରିବାକୁ ପଡ଼ୁଛି। ସରକାରକ ମୋ ପୋଖରୀ ଯୋଜନାରେ ଅଧିକରୁ ଅଧିକ ଯୁବକଙ୍କୁ ସାମିଲ କଲେ ଓଡିଶାକୁ ମାଛ ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ଆଳୁ ଓ ପିଆଜ ଚାଷ ପାଇଁ ଓଡିଶାରେ ବ୍ୟାପକ ସୁଯୋଗ ରହିଛି। ରାଜ୍ୟରେ ବର୍ଷକୁ ୧୨ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଓ ୬ ଲକ୍ଷ ଟନ୍ ପିଆଜର ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ଓଡ଼ିଶାରେ ବର୍ଷକୁ ପ୍ରାୟ ୨ ଲକ୍ଷ ଟନ୍ ଆଳୁ ଓ ୧ ଲକ୍ଷ ଟନ୍ ପିଆଜ ଉତ୍ପାଦନ ହେଉଛି। ଏହି ଚାଷକୁ ସଂମ୍ପ୍ରସାରଣ କରାଯିବା ଜରୁରୀ ହୋଇପଡିଛି। ଦୁଗ୍ଧ କ୍ଷେତ୍ରରେ ଓଡ଼ିଶା ସ୍ୱାବଲମ୍ବୀ ହେବାକୁ ଯାଉଥିବା ବେଳେ ଅନେକ କ୍ଷେତ୍ରରେ ଦେଖାଦେଉଛି ପ୍ରତିବନ୍ଧକ। ଫଳରେ ଦୁଗ୍ଧ ଚାଷୀମାନେ ଅଭାବି ବିକ୍ରିର ସାମନା କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ମୂଲ୍ୟ ମିଳୁନି। ଯଦି ଅଙ୍ଗନବାଡ଼ି କେନ୍ଦ୍ରକୁ ଦୁଗ୍ଧ ଯୋଗାଣର ବ୍ୟବସ୍ଥା ହୁଅନ୍ତା ତେବେ ଚାଷୀମାନେ ଉପଯୁକ୍ତ ପ୍ରାପ୍ୟ ପାଇପାରନ୍ତେ।

ସରକାରଙ୍କ ଘୋଷିତ ନୂତନ ସଂଶୋଧିତ ସମୃଦ୍ଧି କୃଷିନୀତିରେ ବହୁତ ଗୁଡ଼ିଏ ସକାରାତ୍ମକ ଆଭିମୁଖ୍ୟ ରହିଛି। ସେଗୁଡ଼ିକୁ ଆମ ଚାଷୀଭାଇମାନେ ଅଧିକରୁ ଅଧିକ ଜାଣିବା ଉଚିତ୍। ଆଗ କାଳରେ କଥା ଥିଲା ‘ବନ୍ଦର କଉଡ଼ି ପନ୍ଦର ଦିନକୁ, ଚାକିରୀ ପଇସା ମାସେ। ହିଡ଼ ମାଟି ଯଦି ହିଡ଼େ ଲଦୁଥିବ, ବସି ଖାଇବ ବରଷେ।’ ଅର୍ଥାତ-ବାହାର ରାଜ୍ୟରେ ରହି ନିଜକୁ ପ୍ରବାସୀ ଓଡ଼ିଆ ପରିଚୟ ଦେବା ଅପେକ୍ଷା ନିଜ ଚାଷ କ୍ଷେତ୍ରରେ ନିୟୋଜିତ ରହି ସ୍ୱାଭିମାନ ହେବାର ସୁଯୋଗ ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। କିନ୍ତୁ ଅନେକ ସମୟରେ ସରକାରଙ୍କ ଯୋଜନାଗୁଡ଼ିକ ସାଧାରଣ ଚାଷୀଟିଏ ପାଖରେ ପହଞ୍ଚି ପାରୁନି। ଫଳରେ ଚାଷୀ ଆଶାଶୂନ୍ୟ ହୋଇ ବାହାରକୁ ଦାଦନ ଶ୍ରମିକ ହୋଇ ଯିବାକୁ ବାଧ୍ୟ ହେଉଛି। ଏହାର ନିରାକରଣ ବ୍ୟବସ୍ଥା ପ୍ରତି ସରକାର ଶତତ ଉଦ୍ୟମ କରିବା ବାଞ୍ଛନୀୟ।
ନିର୍ଦ୍ଦେଶକ- ଓଡ଼ିଶା ଫଲୋ ଅପ୍‌
ବିଶିଷ୍ଟ ସମାଜସେବୀ
ସା/ପୋ- କୁରୁଡ଼ା, ବାଲେଶ୍ୱର

ମତାମତ ଦିଅନ୍ତୁ ।