ଯୁଦ୍ଧୋନ୍ମାଦନାର ଉତ୍ପାତରେ ଅଶାନ୍ତ ଏସିଆ

॥ ମାୟାଧର ନାୟକ ॥

କରୋନା ମହାମାରୀ ବିରୁଦ୍ଧରେ ସାରା ବିଶ୍ୱ ଲଢୁଛି। ସବୁଦେଶ କହୁଛନ୍ତି-ଆମେ କରୋନା ବିରୁଦ୍ଧରେ ଯୁଦ୍ଧ କରୁଛୁ। ସମଗ୍ର ବିଶ୍ୱରେ ଏ ପର୍ଯ୍ୟନ୍ତ କ୍ଷୁଦାଦ୍ରୀକ୍ଷୁଦ୍ର ଅଦୃଶ୍ୟ ଭୂତାଣୁ କରୋନାକୁ କେହି ପରାସ୍ତ କରିପାରୁ ନାହାଁନ୍ତି। ମୃତ୍ୟୁ ଭୟରେ କେବଳ କିଛି କିଛି ପ୍ରତିଶୋଧକ ବ୍ୟବସ୍ଥା ନେଉଛେ, ଯାହା ଫଳରେ ସବୁ ଦେଶର ରାଜକୋଷ ଖାଲି ହେବାରେ ଲାଗିଛି। ଅସମ୍ଭବ ଭାବେ ଅର୍ଥନୈତିକ ଦୁର୍ଗତି ଦେଖାଦେଇଛି। ସମଗ୍ର ବିଶ୍ୱବାସୀଙ୍କ ମନରେ ଛନକା ପଶିଗଲାଣି।

କରୋନା ମହାମାରୀ ବିରୁଦ୍ଧରେ ଯୁଦ୍ଧ ଚାଲିଥିବା ବେଳେଏବେ ଚୀନ୍‌-ଭାରତ ମଧ୍ୟରେ ଝିମିଟି ଖେଳରୁ ମହା ଭାରତ ଯୁଦ୍ଧ ଭଳି ପରିସ୍ଥିତି ଆଡକୁ ଗତି କରୁଛି। ଏବେ ଭାରତ-ଚୀନ୍‌ ସୀମାରେ କଥା କଟାକଟି, ଝଗଡା ଭିତରେ ଆମର ୨୦ ଜଣ ସୈନ୍ୟ ମୃତ୍ୟୁବରଣ କଲେ। ଆମ ସରକାରମାନେ ସହିଦ୍ ପରିବାରକୁ କେଇଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇ ଯଦି ଭାବୁଥାନ୍ତି ଯେ ଏହାଦ୍ୱାରା ଜନସାଧାରଣଙ୍କ ଆଗରେ ଦେଶ ପ୍ରେମର ନଜିର୍‌ ଛାଡିଗଲେ, ତା’ହେଲେ ଏହାତ ଅଲାଜୁକତାକୁ ଏକପ୍ରକାର ଅନ୍ଧ ଆଲିଙ୍ଗନ। ଯେଉଁଠି ଫିଲ୍ମଷ୍ଟାରଠୁ ଆରମ୍ଭ କରି କ୍ରିକେଟ୍‌ଷ୍ଟାର ପର୍ଯ୍ୟନ୍ତ ଦିନକର ବିଜ୍ଞାପନୀ ପାଉଣା କୋଟି କୋଟି ଟଙ୍କା, ସେଠି ସହିଦ୍ ସୈନିକ ପରିବାରକୁ ଏ କେଇଟି ଲକ୍ଷ ଟଙ୍କାର ଅନୁଦାନ କ’ଣ ଏ ଦେଶର କୌଣସି ନାଗରିକଙ୍କ ଶ୍ରବଣେନ୍ଦ୍ରୀୟ ପାଇଁ ଲଜ୍ଜାକର ନୁହେଁ-ଧିକ୍‌ ! ଏ ନିର୍ଲଜ ଘୋଷଣା-ଯେତେବେଳେ ଆମର ଲହୁଲୁହାଣ ସହିଦର ଶବ ହିମାଳୟର ବରଫ ଖଣ୍ଡଠାରୁ ବି ଆହୁରି ଶୀତଳ ହୋଇ ଆମକୁ ଉପହାସ କରୁଛି।

କହିବାକୁ କୁଣ୍ଠା ନାହିଁ ଯେ-ଆମର ବୀର ସେନାବାହିନୀ ଆଗରେ ବର୍ତ୍ତମାନ ବିଶ୍ୱ ତ୍ରାସ ଉପୁଜାଇ ଥିବା ଆତଙ୍କବାଦ କିଛି ନୁହେଁ। କାରଣ ଗୋଟାଏ ଶୃଙ୍ଖଳିତ ପ୍ରଶିକ୍ଷିତ ସେନାବାହିନୀ ଗୋଟାଏମୁହୂର୍ତ୍ତରେ ମଧ୍ୟ ଆତଙ୍କରାଜକୁ ଆଖିପିଛୁଳାକେ ମୂଳପୋଛ କରିଦେବାର ଶକ୍ତି ପ୍ରଦର୍ଶନ କରିପାରେ-ଯଦି ସେମାନଙ୍କୁ ରାଜନୈତିକ ଶାସନର ଛକାପଂଝା ଖେଳ ଭିତରେ ଆଦୌ କୌଣସି କୂଟଳନୀତିଜନିତ ବିଳମ୍ବିତ ବିଘ୍ନସୃଷ୍ଟି ନହୁଏ। ଗଭୀର କ୍ଷୋଭର ବିଷୟ ଯେ – ବିନା ଯୁଦ୍ଧରେ ଆମର ସୈନ୍ୟମାନେ ଯଦି ସହିଦ୍ ହେବେ ଏବଂ ସେମାନଙ୍କ ପରିବାର ରାଜନେତା ଓ ଶାସକମାନଙ୍କର ତୁହାକୁ ତୁହା ଶୋକାପ୍ତ ଭାଷଣବାଜୀର ସ୍ୱର ଶୁଣୁଥିବେ- ତା’ହେଲେ ବିଚାରିବାକୁ ହେବ ଯେ – ଏ ଦେଶ ଆଜି ସବୁଠୁ ଗୋଟାଏ ବଡ ଐତିହାସିକ ବିଡମ୍ବନାକୁ ସାମ୍ନା କରିବାକୁ ଯାଉଛି। ବିନା ଯୁଦ୍ଧରେ ୨୦ରୁ ଉର୍ଦ୍ଧ ଭାରତୀୟ ବୀର ଜବାନ୍‌ ମର୍ମନ୍ତୁଦ ମୃତ୍ୟୁ ବରଣକଲେ। ସୁରକ୍ଷା ବଳୟ ବେଷ୍ଟିତ ଆମର ଶାସନର ସ୍ୱର ଆକସ୍ମିକ ବିପନ୍ନତାର ବ୍ୟୁହରେ ବଳି ପଡିସାରିଥିବା ସହିଦ୍ ସୈନ୍ୟମାନଙ୍କ ପାଇଁ ପ୍ରଥମେ ଶୋକ ଓ ପରେ ପ୍ରତିଶୋଧର ଲହର ଉଠାଇ ଲାଭ କ’ଣ ? ଏ ଦେଶର ଗୁଇନ୍ଦା ବିଭାଗର ନିରାପତ୍ତାଭୋଗୀ ନିଶ୍ଚଳ କର୍ତ୍ତାମାନଙ୍କୁ କଇଫତ ତଲବ କରିବାର ବେଳ ଆଉ କେତେ ଡେରି ? ଆମ ସୈନ୍ୟମାନଙ୍କ ଅକାରଣ ଜୀବନ ନାଶ ଅପେକ୍ଷା ଚଳନ୍ତି ରାଜନୀତିର ଯାହାସବୁ ଖୁଚୁରା ଖେଳଚାଲିଛି, ତାହା କ’ଣ ଦେଶ ପାଇଁ ଏତେ ବଡ !

ଏ ମାଟି କୂଟିଳ କୁବେର ମାନଙ୍କର ମୁନାଫାର ମଞ୍ଜି ବୁଣିବା ପାଇଁ ଫୁଙ୍ଗୁଳା ଫସଲ କିଆରି ନୁହେଁ। ତାରବାଡ ଆରପଟେ ଯେତେବେଳେ ଶତ୍ରୁ ଶିବିରର ରାତ୍ରୀ ନିଷ୍ପ୍ରଦୀପ, ସେତେବେଳେ ଏ ଦେଶର ମାଟି ଓ ଘାଟିରେ ଶୋଇ ପଡିଥିବା ! ଆଉ କେତେ ରକ୍ତପାତ, କେତେ ଅମାନୁଷିକ ଆକ୍ରୋଶ, କେତେ ବର୍ବର ବଣ୍ୟତାର ବିଭିଷିକା ଆମ ଦିବାନିଦ୍ରାର ଅନ୍ତଃ ଘଟାଇବାକୁ ଦରକାର ? କେବଳ ଜବାନ୍‌ ଜାଗିଲେ ହେବ ନାହିଁ, ଜବାବ ଚାହୁଁଥିବା ଏ ଜାତିର ଶତକୋଟି ସନ୍ତାନ ବି ଜାଗି ଉଠିବା ଦରକାର। ସେମାନେ ପ୍ରଶ୍ନ ପଚାରନ୍ତୁ – ଅଦୃଶ୍ୟ ବନ୍ଧୁକଧାରୀର ଗୁଳି ଗୁଡାକୁ। ପ୍ରଶ୍ନ ପଚାରନ୍ତୁ – ଆମକୁ ଆଲିଙ୍ଗନ ମୁଦ୍ରାରେ କଏଦ୍ କରିବାକୁ ଉହୁଂକି ଆସୁଥିବା ତୀକ୍ଷ୍ ନବାଘନଖ ଗୁଡାକୁ ଦେଶର ସୈନ୍ୟମାନଙ୍କ ପାଇଁ ଯେତେବେଳେ ରସଦ୍ ଆଉ ରେସନ୍‌ରେ ଗଫଲତିର ଗୁମର ଖବର କାଗଜର ଖୋଲାଫର୍ଦ୍ଦକୁ ଛିଟିକି ଆସେ – ଆମେ କପାଳରେ କରତାଡୁ। ମାତ୍ର ନିଜ କ୍ଷୁବ୍ଧ ପ୍ରଶ୍ନ ଗୁଡାକୁ ଖୁରଧାରକରି ଏକ ନିର୍ଭୀକ ନାଗରିକ ଆନ୍ଦୋଳନ ଗଢିତୋଳିବାକୁ ବିଳମ୍ବିତ କରିରଖୁ। ନେତାମାନଙ୍କର ବେହିସାବୀ ଖର୍ଚ୍ଚରେ ଅସ୍ତମୁଖୀହୁଏ ଏ ଦେଶର ଅର୍ଥନୀତି, ଅଥଚ ଭାରତୀୟ ନାଗରିକ ସମାଜର ପ୍ରଶ୍ନ ଏବେବି ଅଥର୍ବ – ଅଚଳ – ଅକର୍ମଣ୍ୟ ଅବସ୍ଥାରେ ଥାଇ ମହାଶାନ୍ତିର ଯଜ୍ଞୋତ୍ସବ ପାଇଁ ଘୃତଦୀପ କ୍ରୟ କରିବାରେ ବଡ ଆଗ୍ରହୋଦ୍ଧୀପକ ଆଚରଣ ପ୍ରଦର୍ଶନ କରେ। ମଂଚରେ ଆମ ପ୍ରବଂଚକ ନେତୃବର୍ଗ ଜନ ଦରବାରରେ ଜାତୀୟ ସଂଗୀତ ଗାନବେଳେ ଦଣ୍ଡାୟମାନ ମୁଦ୍ରାରେ ନିରବତା ଅବଲମ୍ବନ କରି ଶେଷରେ ମାଇକ୍‌ ମୁହାଁ ଅବସ୍ଥାରେ ଶୁଣାଇ ଚାଲନ୍ତି – ଓଁଶାନ୍ତି – ଶାନ୍ତି – ଶାନ୍ତି।

ଏବେ କିନ୍ତୁ ଯାହା ଜଣାପଡୁଛି ଯୁଦ୍ଧ ହୁଏତ ହୋଇନପାରେ ! ଯଦି ହୁଏ – କେଉଁ ଦେଶ କାହା ପକ୍ଷରେ ରହିବେ, ତାହା ଏବେଠୁ ଜଣାପଡିନି। ବିଭିନ୍ନ ଦେଶରେ ବିଶେଷକରି ଆମେରିକାରେ ଯେଉଁସବୁ ବିଷାକ୍ତ ମାରଣାସ୍ତ୍ର ଅଛି – ରାଜକୋଷ ଖାଲିକରି ଯୁଦ୍ଧୋନ୍ମାଦ ଦେଶମାନେ କ୍ରୟ କରିବେ ଏବଂ ତାହା ଯଦି ବ୍ୟବହୃତ ହୁଏ, ତା’ହେଲେ ସମଗ୍ର ବିଶ୍ୱରେ ଅତି ଭୟଙ୍କର ପରିସ୍ଥିତି ସୃଷ୍ଟିହେବ। ଦେଶ କ’ଣ ସ୍ୱାଧୀନତାର ୭୩ ବର୍ଷ ପରେ ବି ସେଇ ଗୋଲକଧନ୍ଦାରେ ଘୂରି ବୁଲୁଛି ? ଠିକ୍ ଅଛି – ଯୁଦ୍ଧ ଲାଗିବ ତ ଲାଗୁ – ଭାରତର ଉତ୍ପିଡିତ କ୍ରନ୍ଦନ ଧ୍ୱନୀ ଭିତରେ ଶିଶୁ ସନ୍ତାନର ନିଦ ଭାଙ୍ଗିବତ ଭାଙ୍ଗୁ – ଡେଙ୍ଗାବାହିନୀ ମୁଣ୍ଡରେ ଠେଙ୍ଗାର ପ୍ରହାର ଜୋରଦାର ଭାବରେ ଲାଗିବତ ଲାଗୁ, କିନ୍ତୁ ଏପ୍ରକାର ବାହୁନାର ବାହାଦୁରି ଭିତରେ ଭୂଆଁ ନବୁଲୁ ଆମର ଭାରତବର୍ଷ। ସହିଦର ସଂଗ୍ରାମ ସଂସ୍କୃତି ଆମର ଲୁହ ଚାହେଁ – ନା – ଲହୁବଳା ଅଙ୍ଗିକାର ଚାହେଁ ? ଏ ପ୍ରଶ୍ ନଇତିହାସର ପ୍ରଶ୍ନ, ଆଜିର ଉପର ଠାଉରିଆ ମନ୍ତବ୍ୟ ଦାତାମାନଙ୍କୁ। ଆମର ବୀର ସେନା ଯେତେବେଳେ ତିନିବାହିନୀରେ ସାମିଲ ହୁଅନ୍ତି- ସେମାନେ ଦେଶପାଇଁ-ଜାତିପାଇଁ ପ୍ରାଣବିସର୍ଜନ କରିବାକୁ ଶପଥବଦ୍ଧ ସତ୍ୟପାଠରେ ବଂଚିବା ବେଳୁହିଁ ଦସ୍ତଖତ ଲେଖିଦେଇଥାନ୍ତି। ମୃତ୍ୟୁର ଭୟ ସେମାନଙ୍କୁ କବଳିତ କରିପାରେନା କେବେ। ସେମାନେ ଲଢୁଆ – ସେମାନେ ଆଗୁଆ, ଅଥଚ ବିନା ଯୁଦ୍ଧରେ, ବିନା ଗୁଳିରେ ଶତ୍ରୁ ପକ୍ଷର ଅଚାନକ ଚଢଉରେ କ’ଣ ଏପରି ଅଙ୍ଗିକାରବଦ୍ଧ ଜୀବନକୁ ଅଯଥାରେ ଅପଚୟ କରିଦେବାକୁ ସେମାନେ କେବେହେଲେ ରାଜି ହେବେକି ? ଆମର ମୋଟା ବେତନ ସହ ବିଭିନ୍ନ ଭତ୍ତା ଓ ସୁବିଧା ସୁଯୋଗ ପାଇରାଜ ରାସ୍ତାରେ ଚାରି ଚକିଆର ଆରାମୀ ଆରୋହୀ ହୋଇ ଚାଲିଥିବା ଗୁଇନ୍ଦା ବିଭାଗର ବଡବଡ ଅଫିସରମାନେ କ’ଣ ଏପ୍ରକାର ଦୁର୍ଘଟଣା ଘଟିବା ପୂର୍ବରୁ କୌଣସି ପ୍ରକାର ସୁରାକ୍‌ ବା ସୂଚନାର ଛୋଟ ଚିରୁକୁଟିଟିଏ ସୁଦ୍ଧା ପାଇ ପାରିଲେନି ? ତା’ହେଲେ ସେମାନେ କରୁଛନ୍ତି କ’ଣ ? ଗାଦି ଉପରେ ବସିଥିବା ଆମ ଦେଶି ନେତାମାନେ ଏତେଶୀଘ୍ର ଅଶ୍ରୁ ବିସର୍ଜନ କରି ନିଜ ନିଜକୁ କ’ଣ ଦରଦୀମରମୀ ଜନପ୍ରତିନିଧି ବିଜ୍ଞପ୍ତି ଦେଇ ସବୁ କର୍ତ୍ତବ୍ୟ ଶେଷ ହୋଇଗଲା ବୋଲି ଭାବୁଛନ୍ତି କି ? ଏ ଦେଶ ଗଣତନ୍ତ୍ର କ’ଣ ଶେଷକୁ ଗୁରୁଣ୍ଡି ଗୁରୁଣ୍ଡି ଏକ ସାମରିକ ଏକଛତ୍ରବାଦର ଏରୁଣ୍ଡି ବନ୍ଧ ଆଡକୁ ଆଗେଇ ଯିବ ?

ମୋର ମନେହୁଏ, ଆମ ଶାସନର ଏ ତଥାକଥିତ ‘ମହାଶାନ୍ତି’ର ମନ୍ତ୍ରପାଠ ଅଦୂର ଭବିଷ୍ୟତ ପାଇଁ କେବଳ ନିସ୍ତବ୍ଧତମ ଶ୍ମଶାନୀ ଶାସନର ହିଁ ଶୁଷ୍କ ଶାନ୍ତି ପାଠମାତ୍ର। କଳି ଯଦି କଂଟକିତ, ତା’ହେଲେ ବଗିଚାର ମାଳି ଆଉ ଜଗୁଆଳୀକୁ ତଲବ ନକଲେ ଆଜି ଏ ଦେଶର ଉତରପିଢି ନିକଟରେ ଆମେ ନିଜର ଦାୟିତ୍ୱହୀନତାକୁ ହିଁ ନିନ୍ଦନୀୟ ନଜିର ଭାବରେ ଯେ ଛାଡିଯାଉଛୁ – ଏଥିରେ ଅଣେମାତ୍ର ସନ୍ଦେହ ନାହିଁ । କରୋନା ମହାମାରୀର ପ୍ରଳୟକାଳ ବଳୟ ଆଉ ୪/୫ ବର୍ଷ ରହିବ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କହିଲେଣି। ଏବେ କରୋନା ଭୂତାଣୁ ନୂଆ ଓ ଭୟଙ୍କର ଭାବେ ଦେଖାଦେବ। ଏହି ସମୟରେ ଭାରତରେ ଯୁଦ୍ଧ ଆୱହାୱା ଦେଖାଦେଇଛି। ବର୍ତ୍ତମାନ ସାରା ଦେଶରେ ଚୀନ୍‌ ବିରୁଦ୍ଧରେ ରଣହୁଂକାର। ଯୁଦ୍ଧ ! ଯୁଦ୍ଧ!! ଯୁଦ୍ଧ!!! ଚାରିଆଡେ ଯୁଦ୍ଧ।

ସାରା ବିଶ୍ୱର ମାନବଜାତି ମହାମାରୀ କରୋନା ବିରୁଦ୍ଧରେ ଲଢୁଥିବା ବେଳେ ଯୁଦ୍ଧର ଘନଘୋଟା ମଧ୍ୟ ବଢିଚାଲିଛି। ଥମୁନି ଯୁଦ୍ଧୋନ୍ମାଦନା। ଜୀବନ ଉଛନ୍ନ ହୋଇପଡିଥିବା ବେଳେ ଜୀବିକା ପାଇଁ ଅହରହ ଯୁଦ୍ଧ ଚାଲିଛି। ସବୁ ଯୁଦ୍ଧ ଯଦି ଏକାକାର ହୋଇଯାଏ, ତା’ହେଲେ ମଣିଷ ବଂଚିବ ତ ! ଯୁଦ୍ଧ ଅର୍ଥ ହିଁଏକପ୍ରକାର ଧ୍ୱଂସ। କିଏଜିତୁବାହାରୁ – କ୍ଷୟକ୍ଷତିଉଭୟ ପଟର । ଯୁଦ୍ଧ ପରେଶାନ୍ତି କଥାଟାଏବେ ଅଭିଧାନରେ ଅଟକି ଯାଇଛି । ଆଗକୁଏସବୁ ଯୁଦ୍ଧର ପରିଣାପ କ’ଣ ହେବ – ଏବେଠୁ କହିବା ସମ୍ଭବପର ନୁହେଁ। ରାଜନୀତି, ଅର୍ଥନୀତି, କୂଟନୀତିରେ ଭାବପ୍ରବଣତା ଶୋଭା ପାଏନା। ସଠିକ୍ ଯୁକ୍ତି ଓ ପ୍ରମାଣରେ ଶତ୍ରୁକୁ ଆମେ ଆଣ୍ଠେଇ ଦେଇପାରିବା। ଏବେ ଯଦ୍ଧୋନ୍ମାଦନାର ଉତ୍ପାତରେ ଅଶାନ୍ତ ଏସିଆ। ବାସ୍ତବ ପରିସ୍ଥିତିକୁ ଆଖି ଆଗରେ ରଖି ଆମକୁ ଅତି ସାବଧାନତାର ସହ କାର୍ଯ୍ୟ କରିବାକୁ ହେବ।

ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

ମତାମତ ଦିଅନ୍ତୁ ।