ଶହୀଦ ପରିବାରକୁ ଭେଟିଲେ ପ୍ରଣବ ପ୍ରକାଶ ଦାସ

ବାରିପଦା: ଜନ୍ମ ମାଟି ଛାଡ଼ି କର୍ମଭୂମିରେ ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳିଲେ ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଦଳୀୟ ସଙ୍ଗଠନ ସୁଦୃଢ ପାଇଁ ରବିବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ପ୍ରଣବ ପ୍ରକାଶ ଦାସ । ଜନ୍ମଦିନ ଅବସରରେ ବହୁ ଦଳୀୟ ନେତା ଓ କର୍ମୀମାନେ ବାରିପଦା ସର୍କିଟ ହାଉସରେ ଉପସ୍ଥିତ ରହି ଶ୍ରୀ ଦାସଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଦକ୍ଷଣ ଗୃହରେ ଜିଲ୍ଲାର ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶି ଅନେକ ସମସ୍ୟାର ସମାଧାନ ବାବଦରେ ଆଲୋଚନା କରିଥିଲେ।

ଅପରାହ୍ନରେ ରାଇରଙ୍ଗପୁର ଗସ୍ତରେ ଯାଇ ଚୀନ-ଭାରତ ସୀମା ଲଢ଼େଇରେ ଶହୀଦ ନନ୍ଦୁରାମ ସରେନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। ଏଥି ସହିତ ଶୁଦ୍ଧକ୍ରିୟା ନିମନ୍ତେ ଶହୀଦଙ୍କ ଧର୍ମପତ୍ନୀଙ୍କୁ ଏକ ଲକ୍ଷ ଟଙ୍କା ସାହାଯ୍ୟ ପ୍ରଦାନ କରିଥିଲେ। ତାଙ୍କ ତିନିଝିଅଙ୍କ ପାଠପଢା ଖର୍ଚ୍ଚ ସେ ନିଜେ ବହନ କରିବେ ବୋଲି ପ୍ରକାଶ କରିଥିଲେ। ଏହା ବ୍ୟତୀତ ରାଇରଙ୍ଗପୁର ସହର ମଧ୍ୟରେ ଥିବା ୫୦ ବର୍ଷ ପୁରୁଣା ଗୋଶାଳାର ୫ ଏକର ଜମିର ପଟ୍ଟା ଖୁବଶୀଘ୍ର ଉକ୍ତ ଅନୁଷ୍ଠାନକୁ ପ୍ରଦାନ କରିବା ପାଇଁ ଆରଡିସିଙ୍କ ସହିତ ଆଲୋଚନା କରିଥିଲେ।

ନବ ଗଠିତ ପରିବା ବିକ୍ରେତା ସଂଘ ବାବା ତ୍ରିନାଥ ମାର୍କେଟ କମିଟିର ଅନୁରୋଧ କ୍ରମେ ରାଇରଙ୍ଗପୁର ସହରର ରାଉତଖମାରଠାରେ ଥିବା ତିନି ଏକର ଜମିରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ପିଇବା ପାଣି ବ୍ୟବସ୍ଥା, ବିଜୁଳି, ରାସ୍ତା, ପାର୍କିଂ ସୁବିଧା ଖୁବଶୀଘ୍ର ହେବ ବୋଲି ଶ୍ରୀ ଦାସ କହିଥିଲେ। ଏହି ମହାନତାକୁ କୃଷି ଓ ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି କୃତଜ୍ଞତା ଜଣାଇଛନ୍ତି ।

ମତାମତ ଦିଅନ୍ତୁ ।