ଅନଲକ୍-୨: ରାତି ୧୦ରୁ ସକଳ ୫ କର୍ଫ୍ୟୁ

ନୂଆଦିଲ୍ଲୀ: ଅନଲକ୍-୨ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର। ଅନଲକ୍ -୨ ଜୁଲାଇ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ କଣ୍ଟେନମେଣ୍ଟ ଜୋନରେ ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଜିଲ୍ଲା ପ୍ରଶାସନ ନିର୍ଦ୍ଧାରଣ କରିବ କଣ୍ଟେନମେଣ୍ଟ ଜୋନ।

ଗାଇଡଲାଇନ୍ ଅନୁସାରେ ୩୧ ଜୁଲାଇ ପର୍ଯ୍ୟନ୍ତ ସ୍କୁଲ୍, କଲେଜ ବନ୍ଦ ରହିବ। ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ। ବିମାନ, ମେଟ୍ରୋ, ସିନେମା ହଲ, କ୍ରୀଡ଼ା କାର୍ଯ୍ୟକ୍ରମ, ସାମାଜିକ, ରାଜନୀତିକ, ମନୋରଞ୍ଜନ, ସାଂସ୍କୃତି ଓ ଧାର୍ମିକ କାର୍ଯ୍ୟକଳାପ ମଧ୍ୟ ୩୧ ତାରିଖ ଯାଏ ବନ୍ଦ ରହିବ। ସିନେମା, ହଲ, ଜିମ, ସୁଇମିଂ ପୁଲ, ଏଣ୍ଟରଟେନମେଣ୍ଟ ପାର୍କ, ବାର, ଅଡିଟୋରିୟମ ମଧ୍ୟ ୩୧ ତାରିଖ ଯାଏ ଖୋଲିବ ନାହିଁ।

ସେହିଭଳି ରାତ୍ରକାଳୀନ କର୍ଫ୍ୟୁ ପୂର୍ବଭଳି ରାତି ୧୦ଟାରୁ ଭୋର ୫ଟାଏ ଯାଏ ବଳବତ୍ତର ରହିବ। କେବଳ ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ଓ ଗାଡ଼ିଗୁଡ଼ିକୁ ଏହି ସମୟରେ ଯିବା ଆସିବାର ସୁବିଧା ମିଳିବ। ସର୍ବସାଧାରଣ ସ୍ଥାନ, କର୍ମସ୍ଥଳୀ ଓ ଯିବା ଆସିବା ବେଳେ ମାସ୍କ ପିନ୍ଧିବା ଜରୁରୀ। ସର୍ବସାଧାରଣ ସ୍ଥାନରେ ଅତିକମରେ ୬ ଫୁଟ ଦୂରତା ପାଳନ କରିବାକୁ ସମସ୍ତେ ବାଧ୍ୟ। ବାହାଘର ବେଳେ ୫୦ରୁ ଅଧିକ ଲୋକ ଏକାଠି ହେବେନି। ଅନ୍ତିମ ସଂସ୍କାର ବେଳେ ୨୦ ଜଣ ଲୋକ ସାମିଲ ହେବେ। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ରାଜ୍ୟ ସରକାରମାନେ ଧାର୍ଯ୍ୟ କରିଥିବା ଫାଇନ ଦେବାକୁ ପଡ଼ିବ।

ସର୍ବସାଧାରଣ ସ୍ଥାନରେ ପାନ, ଗୁଟୁଖା, ମଦ ପିଇବା ପୂର୍ବଭଳି ବ୍ୟାନ ରହିବ। ଯଥା ସମ୍ଭବ ୱାର୍କ ଫ୍ରମ ହୋମ ନିୟମ ପାଳନ କରିବାକୁ ହେବ। ସମସ୍ତ ଅଫିସ, ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସ୍ଥାନରେ ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡୱାସ, ସାନିଟାଇଜର ରଖିବାକୁ ସମସ୍ତେ ବାଧ୍ୟ। ଅଧିକ ଲୋକ ଆସୁଥିବା ସ୍ଥାନଗୁଡ଼ିକୁ ନିୟମିତ ସାନିଟାଇଜ କରିବା ନିହାତି ଜରୁରୀ। ଅଫିସରେ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା, ସିଟ ମଧ୍ୟରେ ପର୍ଯ୍ୟାପ୍ତ ଗ୍ୟାପ୍‌ ରଖିବା ଓ କର୍ମଚାରୀଙ୍କୁ ପର୍ଯ୍ୟାୟକ୍ରମେ ଲଞ୍ଚ ବ୍ରେକ ଦେବା ନିୟମକୁ ପାଳନ କରିବାକୁ ସମସ୍ତେ ବାଧ୍ୟ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର।

ମତାମତ ଦିଅନ୍ତୁ ।