ଓଡ଼ିଶାର ମୋବାଇଲ୍ ବ୍ୟବହାରକାରୀଙ୍କ ସବୁଠୁ ଅଧିକ ପସନ୍ଦ ଜିଓ

ଭୁବନେଶ୍ୱର: ରିଲାଏନ୍ସ ଜିଓ ରାଜ୍ୟର ସବୁଠୁ ଅଧିକ ପସନ୍ଦର ମୋବାଇଲ ଓ ଡିଜିଟାଲ୍ ସେବା ପ୍ରଦାନକାରୀ ସଂସ୍ଥା ହୋଇରହିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୦ ଫେବ୍ରୁଆରିରେ ରିଲାଏନ୍ସ ଜିଓ ଓଡ଼ିଶାରେ ୨ ଲକ୍ଷ ୪୩ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି।  

ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ୱ ବଜାର ଅଂଶ ଦୃଷ୍ଟିରୁ ଓଡ଼ିଶାର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ଭାବେ ୨୦୨୦ ଫେବ୍ରୁଆରୀ ୨୯ ସୁଦ୍ଧା ରାଜ୍ୟରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ୧ କୋଟି ୨୩ ଲକ୍ଷରୁ ଅଧିକ ରହିଥିବା ଟ୍ରାଇ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି । ଫେବ୍ରୁଆରୀ ମାସରେ ଓଡ଼ିଶାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ପାଖାପାଖି ୨.୦୬ ଲକ୍ଷ ବୃଦ୍ଧି ଘଟିଛି ଏବଂ ଏହା ସହିତ ରାଜ୍ୟର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩.୩୪ କୋଟିରେ ପହଞ୍ଚିଥିବା ଜଣାପଡିଛି ।  

ଟ୍ରାଇ ତଥ୍ୟ ଅନୁଯାୟୀ, ରାଜ୍ୟ ଟେଲିକମ୍ ବଜାରରେ ଅଗ୍ରଣୀ ଭୂମିକାରେ ଥିବା ରିଲାଏନ୍ସ ଜିଓର ୧,୨୩,୨୫,୫୮୭ ମୋବାଇଲ୍ ଉପଭୋକ୍ତା ରହିଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ୍‌ର ୧,୧୫,୩୫,୨୨୬, ବିଏସ୍‌ଏନ୍‌ଏଲ୍‌ର ୬୧,୭୫,୭୬୮ ଓ ଭୋଡାଫୋନ୍ ଆଇଡିଆର ୩୩,୪୧,୭୯୦ ମୋବାଇଲ୍ ଉପଭୋକ୍ତା ଅଛନ୍ତି । ଜିଓ ପକ୍ଷରୁ ୨.୪୩ ଲକ୍ଷ ଗ୍ରାହକ ଯୋଡ଼ାଯାଇଥିବା ବେଳେ ବିଏସ୍‌ଏନ୍‌ଏଲ୍ ପ୍ରାୟ ୭୫ ହଜାର ଗ୍ରାହକ ଯୋଡ଼ିଛି ।  

ଭାରତୀ ଏୟାରଟେଲ୍ ଏହି ମାସରେ ରାଜ୍ୟରେ ୮୩ ହଜାରରୁ ଅଧିକ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ପ୍ରାୟ ୨୯,୦୦୦ ଗ୍ରାହକ ହରାଇଛି । ଜାତୀୟ ସ୍ତରରେ ମଧ୍ୟ ରିଲାଏନ୍ସ ଜିଓ ୨୦୨୦ ଫେବ୍ରୁଆରୀରେ ୬୨.୫ ଲକ୍ଷରୁ ଅଧିକ ଗ୍ରାହକ ଯୋଡିବା ସହ ଦେଶର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ଭାବେ ଏହାର ସ୍ଥିତିକୁ ଆହୁରି ସୂଦୃଢ଼ କରିଛି ।

ମତାମତ ଦିଅନ୍ତୁ ।