ଅସୁର ନିପାତ ପାଇଁ ଶ୍ରୀଗଣେଶ ନେଇଥିଲେ ଅନେକ ଅବତାର

ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କର ବିଭିନ୍ନ ସ୍ଵରୂପ ରହିଛି। ରାକ୍ଷସମାନଙ୍କ ସଂହାର ପାଇଁ ଶ୍ରୀଗଣେଶ ବହୁବାର ଅବତାର ଗ୍ରହଣ କରିଥିଲେ। ତେବେ କେଉଁ ରାକ୍ଷସକୁ ମାରିବା ଲାଗି କେଉଁ ଅବତାର ନେଇଥିଲେ ଶ୍ରୀଗଣେଶ ଆସନ୍ତୁ ସେ ବିଷୟରେ ଜାଣିବା।

ମହୋଦର–ପୌରାଣିକ କଥା ଅନୁଯାୟୀ କାର୍ତ୍ତିକେୟଙ୍କ ଦ୍ଵାରା ତାରକାସୁରର ବଧ ହୋଇଥିଲା। ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ସହାୟତାରେ ମୋହାସୁର ଦେବତାଙ୍କ ଉପରେ କରିଥିଲା ଆକ୍ରମଣ। ଦେବତାମାନେ ତ୍ରାହି ତ୍ରାହି ଡାକିଲେ। ରାକ୍ଷସ କବଳରୁ ରକ୍ଷା ପାଇବାକୁ ଶ୍ରୀଗଣେଶଙ୍କୁ କଲେ ପ୍ରାର୍ଥନା। ପୃଥୁଳକାୟ ବପୁସହ ମହୋଦର ଅବତାର ନେଲେ ଶ୍ରୀଗଣେଶ। ଯାହାଙ୍କ ବିରାଟ ସ୍ଵରୂପ ଦେଖି ମୋହାସୁର ପରାଜୟ ସ୍ଵୀକାର କରିବା ସହିତ ଶ୍ରୀଗଣେଶଙ୍କ ଭକ୍ତ ହୋଇଯାଇଥିଲା।

ବକ୍ରତୁଣ୍ଡ –ମତ୍ସ୍ୟରାସୁର ଜଣେ ଦୈତ୍ୟ । ସେ  ପ୍ରଚଣ୍ଡ ଶିବ ଭକ୍ତ ଥିଲେ । ମହାଦେବଙ୍କୁ ନିଜ ତପସ୍ୟାବଳରେ ପ୍ରସନ୍ନ କରି ସେ ବିଶେଷ ବରପ୍ରାପ୍ତି କରିଥିଲେ । ଶୁକ୍ରଚାର୍ଯ୍ୟଙ୍କ ପରାମର୍ଶକ୍ରମେ ନିଜର ଦୁଇପୁତ୍ର ମହାପରାକ୍ରମି ସୁନ୍ଦରପ୍ରିୟ ଏବଂ ବିଷୟପ୍ରିୟ ସହ ମତ୍ସ୍ୟରାସୁର ସ୍ବର୍ଗଲୋକ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଭୟଭୀତ ଦେବତାମାନେ ଶ୍ରୀଗଣେଶଙ୍କ ଶରଣ ପଶିବା ସହ ରକ୍ଷା କରିବା ପାଇଁ ପ୍ରାର୍ଥନା କରିବା ପରେ ଶ୍ରୀ ଗଣେଶ ବକ୍ରତୁଣ୍ଡ ରୂପ ଧାରଣ କରିଥିଲେ । ଏହି ସ୍ବରୂପରେ ପ୍ରଭୁ ଶ୍ରୀଗଣେଶ ମତ୍ସ୍ୟରାସୁରଙ୍କ ଦୁଇ ପୁତ୍ରଙ୍କୁ ବଧ କରିବା ସହ ମତ୍ସ୍ୟରାସୁରଙ୍କୁ ପରାସ୍ତ କରିଥିଲେ ।

ଏକଦନ୍ତ- ମଦ ନାମକ ଏକ ରାକ୍ଷସକୁ ବଧ କରିବା ନିମନ୍ତେ ଶ୍ରୀଗଣେଶ ଏକଦନ୍ତ ରୂପ ଧାରଣ କରିଥିଲେ ।

ବିକଟ- କାମାସୁର ନାମକ ଏକ ଦୈତ୍ୟ ମହାଦେବଙ୍କୁ ପ୍ରସନ୍ନ କରି ତ୍ରିଲୋକ ବିଜୟୀ ହେବାର ବର ପାଇଥିଲା। ପରେ ଦେବତାଙ୍କ ଉପରେ କରିଥିଲା ଅତ୍ୟାଚାର। ଅସୁର ଅତ୍ୟାଚାରରୁ ଦେବତାଙ୍କୁ ରକ୍ଷା କରିବା ପାଇଁ ବିକଟ ରୂପ ଧାରଣ କରିଥିଲେ ପ୍ରଭୁ ଶ୍ରୀଗଣେଶ। ଏହି ଅବତାରରେ ସେ ମୟୂର ପିଠିରେ ବସି କାମାସୁରକୁ ବଧ କରିଥିଲେ।

ଗଜାନନ- ଲୋଭାସୁର ନାମକ ଦୈତ୍ୟ ଶିବଙ୍କ ବରରେ ବଳିଆନ ହୋଇ ତ୍ରିଲୋକୁ ନିଜ ଅକ୍ତିଆରକୁ ନେଇଯାଇଥିଲା । ଲୋଭାସୁରକୁ ନିପାତ କରିବା ପାଇଁ ଶ୍ରୀଗଣେଶଙ୍କୁ ଗଜାନନ ବେଶ ଧାରଣ କରିବାକୁ ପଡିଥିଲା । ଏହି ସ୍ବରୂପରେ ସେ ଲୋଭାସୁରର ଅନ୍ତ କରିଥିଲେ ।

ଲମ୍ବୋଦର- ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରି କ୍ରୋଧାସୁର ନାମକ ଏକ ଦୈତ୍ୟ ନିଜ ବହୁ ବଳରେ ସ୍ଵର୍ଗାଲୋକ ଅଧିକାର କରିବା ସହ ଦେବତାଙ୍କୁ ନନାଦି ଯାତନା ଦେଉଥିଲା। କ୍ରୋଧାସୁରର ଏହି ଆତଙ୍କ ଶେଷ କରିବାପାଇଁ ଶ୍ରୀ ଗଣେଶଙ୍କୁ ଲମ୍ବୋଦର ସ୍ଵରୂପ ଧାରଣ କରିବାକୁ ପଡିଥିଲା। ଏହି ରୂପରେ କ୍ରୋଧସୁରକୁ କରିଥିଲେ ନିହତ।

ବିଘ୍ନରାଜ-ମମାସୁର ନାମକ ଏକ ଦୈତ୍ୟ ସବୁ ଦେବତାଙ୍କୁ ବନ୍ଦୀ କରିଦେଇଥିଲା। ଦେବତାମାନଙ୍କ ଉଦ୍ଧାର ପାଇଁ ବିଘ୍ନରାଜ ଅବତାର ଗ୍ରହଣ କରି ଦେବତାଙ୍କୁ ମମାସୁର କବଳରୁ ମୁକ୍ତ କରିଥିଲେ ଶ୍ରୀଗଣେଶ।

ଧୁମ୍ରବର୍ଣ୍ଣ– ଅହନ୍ତାସୁର ଆତଙ୍କର ଅନ୍ତ ଘଟାଇବା ଲାଗି ଧୁମ୍ରବର୍ଣ୍ଣ ରୂପ ଧାରଣ କରିଥିଲେ ଶ୍ରୀଗଣେଶ। ଏହି ଅବତାରରେ ପ୍ରଭୁଙ୍କ ବର୍ଣ୍ଣ ଧୂଆଁଭଳି ହୋଇଥିଲା। ତେଣୁ ତାଙ୍କୁ ଧୁମ୍ରବର୍ଣ୍ଣ ବୋଲି ପୂଜା କରାଯାଏ।


ମତାମତ ଦିଅନ୍ତୁ ।