ମହାରାଷ୍ଟ୍ରରେ ସରକାର ଗଠନରୁ ବିଜେପି ଓହରିଲା

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବ ନାହିଁ। ଆଜି ବିଜେପି ବିଧାୟକଦଳ ନେତା ଦେବେନ୍ଦ୍ର ଫଡନବୀଶଙ୍କ ଘରେ ବସିଥିବ କୋର କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଶନିବାର ରାଜ୍ୟପାଳ ଭଗତସିଂ କୋଶ୍ୟାରୀ ରାଜ୍ୟରେ ସରକାର ଗଠନ ଲାଗି ବିଜେପିକୁ ଆମନ୍ତ୍ରଣ କରିଥିଲେ। ଆଉ ସୋମବାର ସୁଦ୍ଧା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କହିଥିଲେ।

ରବିବାର କୋର କମିଟି ବୈଠକ ପରେ ଫଡନବୀଶ, ବରିଷ୍ଠ ବିଜେପି ନେତା ପଙ୍କଜା ମୁଣ୍ଡେ, ବିନୋଦ ତାବଡେ ଓ ଚନ୍ଦ୍ରକାନ୍ତ ପାଟିଲ ପ୍ରମୁଖ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ। ଏହାପରେ ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ସରକାର ଗଠନ ଲାଗି ଦଳ ରାଜ୍ୟପାଳଙ୍କୁ ନିଜର ଅସମର୍ଥତା ଜଣାଇଛନ୍ତି।

ଶ୍ରୀ ପାଟିଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟବାସୀ ବିଜେପି ଓ ଶିବସେନା ମେଣ୍ଟକୁ ରାଜ୍ୟରେ ସରକାର କରିବାକୁ ଜନାଦେଶ ଦେଇଥିଲେ। ଉଭୟ ମେଣ୍ଟ ମିସି ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ହେଁ ସରକାର ଗଠନରେ ଶିବସେନା ବିଜେପିକୁ ସହଯୋଗ କରୁନାହିଁ। ତେଣୁ ସାଙ୍ଗରେ ମେଣ୍ଟ ଆସୁନଥିବାରୁ ବିଜେପି ଏକାକୀ ରାଜ୍ୟରେ ସରକାର ଗଠନ କରିବାକୁ ସକ୍ଷମ ନୁହେଁ। ଏ କଥା ରାଜ୍ୟପାଳଙ୍କୁ ଦଳ ପକ୍ଷରୁ ଜଣାଇ ଦିଆଯାଇଛି। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ସରକାରରେ ସାମିଲ୍ ହେବାକୁ କଂଗ୍ରେସ ବିଧାୟକ ରାଜି ହୋଇଛନ୍ତି। ତେବେ ହାଇକମାଣ୍ଡ ତଥା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିଷ୍ପତ୍ତି ରହିଛି ଅପେକ୍ଷା। ଯଦି କଂଗ୍ରେସ ଶିବସେନାକୁ ସମର୍ଥନ ଦେବ ତା’ହେଲେ ଦେଶର ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଚି ହେବ।

ମତାମତ ଦିଅନ୍ତୁ ।