ବୃନ୍ଦାବନ ଇସ୍କନ ମନ୍ଦିର ସିଲ : ୨୨ ଅନ୍ତେବାସୀ କରୋନା ପଜିଟିଭ

ବୃନ୍ଦାବନ : ଶ୍ରୀକୃଷ୍ଣ ଜନ୍ମାଷ୍ଠମୀ ପାଇଁ ସମଗ୍ର ଦେଶ ଉତ୍ସବମୁଖର ଥିବାବେଳେ ଉତ୍ତରପ୍ରଦେଶର ପ୍ରମୁଖ ତୀର୍ଥ କ୍ଷେତ୍ର ବୃନ୍ଦାବନରେ ଥିବା ଇସ୍କନ ମନ୍ଦିରକୁ ସିଲ କରାଯାଇଛି। ମନ୍ଦିରରେ ଥିବା ଅନ୍ତେବାସୀଙ୍କ ମଧ୍ୟରୁ ୨୨ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଦେଶରେ ଆଜି ଓ ଆସନ୍ତା କାଲି ଜନ୍ମାଷ୍ଠମୀ ପାଳନ କରାଯାଉଛି। ବୈଷ୍ଣବ କ୍ଷେତ୍ର ଗୁଡ଼ିକରେ ଆସନ୍ତା ବୁଧବାର କୃଷ୍ଣ ଜନ୍ମାଷ୍ଠମୀ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ପୂଜାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ମନ୍ଦିରର ଆବାସିକ କଂପ୍ଲେକ୍ସରେ ରହୁଥିବା ୧୬୫ ଜଣଙ୍କ କରୋନା ପରୀକ୍ଷା ରିପୋର୍ଟରୁ ୨୨ ଜଣଙ୍କର ପଜିଟିଭ ବାହାରିବାରୁ ସମଗ୍ର ମନ୍ଦିରକୁ ପ୍ରଶାସନ ପକ୍ଷରୁ ସିଲ କରିଦିଆଯାଇଛି। ଅମର ଉଜାଲା ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଫ୍ଲୋରିଡାରେ ରହୁଥିବା ଇସ୍କନର ଜଣେ ଗୁରୁ ଭକ୍ତି ଚାରୁ ସ୍ୱାମୀ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ। ପଶ୍ଚିମବଙ୍ଗରେ ତାଙ୍କର ଶେଷକୃତ୍ୟ ହୋଇଥିଲା। ଏଥିରେ ଯୋଗ ଦେବାକୁ ବୃନ୍ଦାବନ ଇସ୍କନରୁ ୧୦ରୁ ୧୫ଜଣ ଯାଇଥିଲେ।

ମତାମତ ଦିଅନ୍ତୁ ।