ବିଗ୍‌ବଜାର ଉପ‌ରେ ୧୦ ହଜାର ଟଙ୍କାର ଜରିମାନା

ନୂଆଦିଲ୍ଲୀ : ଗ୍ରାହକଙ୍କଠାରୁ ବ୍ୟାଗ ପାଇଁ ଅତିରିକ୍ତ ୧୮ ଟଙ୍କା ନେଇଥିବା ଅଭିଯୋଗରେ ୧୦ହଜାର ଟଙ୍କାର ତଣ୍ଡ ଗଣିଛି ବିଗ୍‌ବଜାର। ହରିୟାଣାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପଂଚକୁଲା ସ୍ଥିତ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଫୋରମ ବିଗ ବଜାର ବିରୋଧରେ ୧୦ହଜାର ଟଙ୍କାର ଜରିମାନା ଲଗାଇଛି।

ସୂଚନା ଅନୁଯାୟୀ ପଂଚକୁଲାର ବଳଦେବ ନାମକ ଜଣେ ଗ୍ରାହକ ଗତ ମାର୍ଚ୍ଚ ମାସରେ ବିଗ ବଜାରରୁ କିଛି ଜିନିଷ କିଣିଥିଲେ। ବିଲିଂ କାଉଂଟର କର୍ମଚାରୀ ବ୍ୟାଗ ପାଇଁ ଅତିରିକ୍ତ ୧୮ ଟଙ୍କା ଦେବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଗ୍ରାହକ ଜଣକ ଏହାକୁନେଇ କନଜ୍ୟୁମର ଫୋରମର ଦ୍ୱାରସ୍ଥ ହୋଇଥିଲେ। ଫୋରମ ଗ୍ରାହକଙ୍କ ଅଭିଯୋଗ ଓ ଉଭୟ ପକ୍ଷର କଥାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି। ବିଗ ବଜାର ୧୦ ହଜାର ଟଙ୍କା କନଜ୍ୟୁମର ଲିଗାଲ ଆଣ୍ଡ ଆକାଉଂଟରେ ଜମା କରିବା ସହିତ ମକଦ୍ଦମା ଖର୍ଚ୍ଚ ବାବଦକୁ ଅଭିଯୋଗକାରୀଙ୍କୁ ୫୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ ଅଭିଯୋଗକାରୀଙ୍କୁ ମାନସିକ ଉତ୍ପୀଡନ ପାଇଁ ହଜାରେ ଟଙ୍କା ଓ କ୍ୟାରିବ୍ୟାଗ ପାଇଁ ନେଇଥିବା ୧୮ ଟଙ୍କା ମଧ୍ୟ ଫେରସ୍ତ କରିବାକୁ ନିର୍ଦ୍ଦେଶ ରହିଛି।

ମତାମତ ଦିଅନ୍ତୁ ।