ବ୍ୟବସାୟୀଙ୍କୁ ଅପହରଣ

ସମ୍ବଲପୁର: ଜଣାଶୁଣା ବ୍ୟବସାୟୀ ନରେଶ ଅଗ୍ରୱାଲ (୬୪)ଙ୍କୁ ଶୁକ୍ରବାର ବନ୍ଧୁକ ମୁନରେ ସହରର ଉପକଣ୍ଠସ୍ଥ ଶାସନ ବାଇପାସ (ସମ୍ବଲପୁର – ଝାରସୁଗୁଡା ରାସ୍ତା)ରୁ ଦୁର୍ବୃତ୍ତମାନେ ଅପହରଣ କରିଛନ୍ତି। ନରେଶ ପ୍ରତିଦିନ ଭଳି ନିଜ କାର(ଓଡି୧୫କେ୬୭୮୯)ରେ ଡ୍ରାଇଭର ସହିତ ନିର୍ମାଣ କାର୍ଯ୍ୟକୁ ତଦାରଖ ପାଇଁ ଶାସନକୁ ଯାଇଥିଲେ। ନରେଶ ଘଟଣାସ୍ଥଳରେ ପହଞ୍ଚିବା ପରେ ରାସ୍ତା କଡରେ ଗାଡି ପାର୍କ କରି ନିର୍ମାଣ କାର୍ଯ୍ୟ ଦେଖି ଆସିବାକୁ ଡ୍ରାଇଭରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ନିଜେ କାରରେ ହିଁ ବସିଥିଲେ।

ଏହି ସମୟରେ ଏକ ଧଳା ରଙ୍ଗର କାର ଆସି ତାଙ୍କ କାର କଡରେ ଅଟକିଥିଲା। ସେହି କାରରୁ ଦୁର୍ବୃତ୍ତମାନେ ଓହ୍ଲାଇ ନରେଶଙ୍କୁ ବାହାରକୁ ଡାକିଥିଲେ। ସେ ଗାଡିରୁ ବାହାରିବା ପରେ ଜୋରଜବରଦସ୍ତି ତାଙ୍କୁ ଅପହରଣ କରି ଝାରସୁଗୁଡା ପଟକୁ ଚାଲି ଯାଇଥିଲେ। ଖବର ପାଇ ତାଙ୍କ ପରିବାର ବର୍ଗ ଶାସନ ଥାନାରେ ଅପହରଣ ଅଭିଯୋଗ କରିଛନ୍ତି। ସମ୍ବଲପୁର ଜିଲ୍ଲା ପୁଲିସ ମୁଖ୍ୟ ଡା. କନୱର ବିଶାଳ ସିଂହ ଘଟଣାସ୍ଥଳ ତଥା ଶାସନ ଥାନା ପରିଦର୍ଶନ କରି ଅପହୃତ ନରେଶଙ୍କୁ ଉଦ୍ଧାର କରିବା ପାଇଁ ୪ଟି ସ୍ୱତନ୍ତ୍ର ଟିମ ଗଠନ କରିଛନ୍ତି।

ମତାମତ ଦିଅନ୍ତୁ ।