ବୌଦ୍ଧ : ସ୍ଥାନୀୟ ବ୍ରିଜ୍ ଛକରୁ ମୁର୍ଷୁଣ୍ଡି-ବଘିଆପଡା ରାସ୍ତାରେ ଏକ ମାରୁତି ଡିଜାୟର୍ କରରୁ ୬୦କିଲୋ ୩୫୦ ଗ୍ରାମ୍ ଗଞ୍ଜେଇ ଜବତ ହୋଇଛି। ଏହି କାରଟି କଣ୍ଟାମାଳ ସମବାୟ ବ୍ୟାଙ୍କ ଶାଖା ମ୍ୟାନେଜର୍ ସୁନିଲ ସାହୁଙ୍କର ବୋଲି କହିଛନ୍ତି ଥାନା ଅଧିକାରୀ ତପସ୍ୱିନୀ କହଁର। ଏନେଇ ଏକ ଏନ୍ଡିପିଏସ୍ ମାମଲା ରୁଜୁ ହୋଇଥିଲେ ହେଁ କାହାରିକୁ ଗିରଫ କରାଯାଇ ନାହିଁ।
ଖବର ଅନୁଯାୟୀ ରବିବାର ଫୁଲବାଣୀ ଅଞ୍ଚଳରୁ ରେଢାଖୋଲକୁ ଏକ ଘରୋଇ କାର୍ରେ ଗଂଜେଇ ଚାଲାଣ ହେଉଥିବା ନେଇ ବୌଦ୍ଧ ପୋଲିସକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ପୋଲିସ ରାତି ପ୍ରାୟ ୮ଟାରେ ମୁର୍ଷୁଣ୍ଡି-ବଘିଆପଡା ରାସ୍ତାରେ ଜଗିଥିଲା। ପୋଲିସକୁ ଦେଖି ଡ୍ରାଇଭର କାର୍ ଛାଡି ଫେରାର୍ ହୋଇଯାଇଥିଲା। ପୋଲିସ ମାଜିଷ୍ଟ୍ରେଟ୍ ଉପସ୍ଥିତିରେ ଜବତ କାର ଭିତରୁ ତିନୋଟି ଜରି ବ୍ୟାଗରେ ଭର୍ତ୍ତି ଗଞ୍ଜେଇ ଜବତ କରିଥିବା କୁହାଯାଇଛି।