ଚା’କୁ ନେଇ କଂଗ୍ରେସ ରାଜନୀତି କରୁଛି : ମୋଦି

ନୂଆଦିଲ୍ଲୀ : ଆସାମରେ କଂଗ୍ରେସ ଚା’କୁ ପ୍ରସଙ୍ଗ କରି ରାଜନୀତି କରୁଛି। ରାଜ୍ୟ ବିଧାନସଭା ପ୍ରଚାର ଅଭିଯାନରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବୋକାଖାଟରେ ଏହା କହିଛନ୍ତି।

ରବିବାର ଆସାମରେ ମୋଦି କହିଲେ ଏନ୍‌ଡିଏ ସରକାର ଚା’ ବଗିଚାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଶିକ୍ଷା, ରୋଜଗାର ଓ ଔଷଧ ଦେଇଛି। ଏଥର କେନ୍ଦ୍ର ବଜେଟ୍‌ରେ ସେମାନଙ୍କ ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ତେଣୁ ଆସାମରେ ଏନ୍‌ଡିଏ ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବ ପ୍ରାୟ ସ୍ଥିର ହୋଇସାରିଛି। ସେ କହିଲେ ଏନ୍‌ଡିଏ ସରକାରଙ୍କ ଡବଲ୍‌ ଇଞ୍ଜିନ୍‌ ସର୍କାର୍‌ ରାଜ୍ୟର ଜନସାଧାରଣଙ୍କୁ ମାଗଣାରେ ଗ୍ୟାସ୍‌ ସିଲିଣ୍ଡର୍‌, ଏଲ୍‌ପିଜି, ବିଜୁଳି ଓ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛି। କିନ୍ତୁ କଂଗ୍ରେସ ଚା’ ଉପରେ ରାଜନୀତି କରୁଛି ବୋଲି ମୋଦି କହିଥିଲେ।

ପ୍ରଧାନମନ୍ତ୍ରୀ କହିଲେ ଯୋଗାଯୋଗ ପାଇଁ ବ୍ରହ୍ମପୁତ୍ର ନଦୀରେ ୪ ଥାକିଆ ସେତୁ ହୋଇଥିବା ବେଳେ ତୈଳ ବିଶୋଧନାଗାର ଉତ୍ପାଦନ କ୍ଷମତା ବୃଦ୍ଧି ଲାଗି ପାଇପ୍‌ଲାଇନ୍‌ ପାଇଁ ୪୦ ହଜାର କୋଟିରୁ ଊର୍ଦ୍ଧ୍ୱ ଅର୍ଥ ବିନିଯୋଗ କରାଯାଇଛି। ଏନ୍‌ଡିଏ ସରକାର ରାଜ୍ୟରେ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦେଇଥିବା ଏହା ପ୍ରମାଣ କରୁଛି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ଆସାମରେ ମାର୍ଚ୍ଚ ୨୭ରେ ପ୍ରଥମ ଓ ଏପ୍ରିଲ୍‌ ୬ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ମେ’ ୨ ତାରିଖରେ ଭୋଟ୍‌ ଗଣନା ଓ ଫଳାଫଳ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *

Back to top button