ଚଳିତମାସ ସବୁ ଶନିବାର ସରକାରୀ ଅଫିସ ଛୁଟି

0

ଭୁବନେଶ୍ୱର : ଚଳିତ ମାସରେ ସମସ୍ତ ସରକାରୀ ଅଫିସ ଶନିବାର ବନ୍ଦ ରହିବ। ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ କର୍ମଚାରୀମାନଙ୍କୁ ବର୍ତ୍ତମାନ ସ୍ଥିତିରେ ଅଫିସ୍ ନଆସିବାକୁ କୁହାଯାଇଛି। କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ ସରକାରୀ କର୍ମଚାରୀମାନଙ୍କୁ ତତ୍କାଳ ପ୍ରଭାବରୁ ଅଫିସ୍ ନଆସିବାକୁ ପରାମର୍ଶ ଦିଆଯାଇଛି। ସେମାନେ ମେ’ ୩୧ତାରିଖ ପର୍ଯ୍ୟନ୍ତ ଘରେ ରହି କାମ କରିବେ। ଯଦି ଅଫିସରେ ଅତ୍ୟନ୍ତ ଜରୁରୀ କାମ ଥାଏ ତେବେ ଟେଲିଫୋନ୍ ମାଧ୍ୟମରେ ଯୋଗାଯୋଗ କଲେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସମସ୍ତ ସରକାରୀ ଅଫିସ୍ ଶନିବାର ବନ୍ଦ ରହିବ ବୋଲି ଉଲ୍ଲେଖ ରହିଛି।

ସେହିପରି ଭୁବନେଶ୍ୱର ଓ କଟକରେ ଥିବା ସରକାରୀ ଅଫିସ ଗୁଡ଼ିକରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ପୂର୍ବରୁ କୁହାଯାଇଥିଲା। ମାତ୍ର କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାପରେ ବିଭାଗ ଗୁଡ଼ିକ ସେମାନଙ୍କ ଅଧୀନସ୍ଥ ଅଫିସରେ କେତେ କର୍ମଚାରୀଙ୍କୁ କାମ କରିବ ସେ ନିଷ୍ପତ୍ତି ନେଇପାରିବେ। କିନ୍ତୁ ଉପସଚିବଠାରୁ ଉଚ୍ଚ ପାହ୍ୟାର ଅଫିସରମାନେ ନିୟମିତ ଭାବେ ଅଫିସ୍ ଆସିବେ ବୋଲି ସଂଶୋଧିତ ନିର୍ଦ୍ଦେଶନାମାରେ କୁହାଯାଇଛି।

ଏହାବ୍ୟତୀତ ଯେଉଁ ଅଫିସରମାନେ ଭିପିଏନ୍ ନେଇଛନ୍ତି ସେମାନେ ଘରେ ରହି ଅଫିସ୍ କାର୍ଯ୍ୟ କରିବେ। ଆବଶ୍ୟକ ପଡ଼ିଲେ ସ୍ୱଳ୍ପ ନୋଟିସରେ ଅଫିସ ଆସିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ବିଭାଗ ଯଥା ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମା କାର୍ଯାଳୟ, ପୋଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା ଓ ମ୍ୟୁନିସପାଲ ସେବାର ଅଫିସଗୁଡ଼ିକ ସମ୍ପୂର୍ଣ୍ଣ ଷ୍ଟାଫରେ ଚାଲିବ। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଭଳି କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.