ଚାଷୀଙ୍କ ଉପରେ ଦାଉ ସାଧିଲା ଅଦିନିଆ ବର୍ଷା : ପାଣିରେ ପଡିଛି ଧାନ ଫସଲ

ବାରିପଦା : ଅଦିନିଆ ବର୍ଷା ଦାଉ ସାଧିଲା। ବିଲରେ କଟା ହୋଇ ପଡିଥିବା ଧାନ ପାଣିରେ ଭିଜୁଛି। ଫସଲ ଉଜୁଡିବା ସମ୍ଭାବନା ଚାଷୀଭାଇଙ୍କ ପାଇଁ ହୋଇଛି ଚିନ୍ତାର କାରଣ। ପାଣି ଜମିଥିବା ବିଲରୁ କେମିତି ଧାନ ଅମଳ କରିବେ ସେମାନଙ୍କୁ ବୁଦ୍ଧି ବାଟ ଦିଶୁନି।

ମୟୂରଭଞ୍ଜ ଜିଲ୍ଲାର ଅଦିନିଆ ବର୍ଷା। ଜିଲ୍ଲାର ୨୬ଟି ବ୍ଲକ୍ ମଧ୍ୟରୁ ଖୁଣ୍ଟା, ଜି.ବି.ନଗର, ଉଦଳା, ରାଇରଙ୍ଗପୁର ଓ ରରୁଆଁକୁ ବାଦଦେଲେ ୨୧ ଟି ବ୍ଲକରେ ଖରିଫ ଧାନ ଫସଲ ଅମଳରେ ଅନ୍ତରାୟ ସୃଷ୍ଟି କରିଛି। ସମସ୍ୟାରେ ପଡ଼ିଛନ୍ତି ଚାଷୀ। କରୋନା ମହାମାରୀ ଯୋଗୁ ଅନ୍ୟ କୌଣସି ରୋଜଗାର ନାହିଁ। ଖରିଫ ଧାନ ଫସଲକୁ ଚାଷୀମାନେ କରିଥିଲେ ଭରସା। ଅଦିନିଆ ବର୍ଷା ପାଇଁ ଏବେ ଫସଲ ଉଜୁଡିବା ସମ୍ଭାବନା ସୃଷ୍ଟି ହୋଇଛି। କଟା ଯାଇଥିବା ଧାନ ଖଳାକୁ ଆସିପାରିନି। ବିଲରେ ଜମି ରହିଛି ପାଣି। ଗଜା ହୋଇଯିବା ପୂର୍ବରୁ ଫସଲ ବଞ୍ଚାଇବା ପାଇଁ ଚାଷୀ କରୁଛି ପ୍ରୟାସ। ବିଲରେ ପଡିଥିବା କଟା ଧାନକୁ ପାଣିରୁ ଛାଣି ହିଡ଼ରେ ଜମା କରୁଥିବା ଦେଖିବାକୁ ମିଳିଛି।

ଶ୍ୟାମାଖୁଣ୍ଟା ବ୍ଲକର କାଳିଆ ସିଂ, ବାଲା ସିଂ, ଜର୍ମାନ ସିଂ, ନାଲୁ ମହାନ୍ତ, ଦିବାକର ମହାନ୍ତ, ଶିରିଶ ବେହେରା, ନିର୍ମଳ ସିଂ ଓ ରାଜାରାମ ସିଂ ପ୍ରମୁଖ ଚାଷୀମାନେ କହିଛନ୍ତି ଧାନ ଫସଲ ସମ୍ପର୍ଣ୍ଣ ନଷ୍ଟ ହୋଇଯାଇଛି। ସେମାନେ ଦାବି କରିଛନ୍ତି କ୍ଷୟକ୍ଷତିର ସଠିକ ଆକଳନ କରାଯାଉ। ତାହାଛଡା ପାଣିରୁ ଛାଣିବା ପରେ ଯେଉଁ ଧାନ ଅମଳ ହେବ ତାହା ମାନ ଠିକ ରହିବନି। ସେଥିପାଇଁ କେତେକ ବ୍ଲକର ଚାଷୀ ଚିନ୍ତାରେ ପଡିଛନ୍ତି।

ଏସମ୍ପର୍କରେ ଜିଲ୍ଲା କୃଷି ବିଭାଗର ମୁଖ୍ୟ ଅଧିକାରୀ ଦାମୋଦର ସେଠୀ କହିଛନ୍ତି ଅଦିନିଆ ବର୍ଷାକୁ ନେଇ ଚାଷୀମାନଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା। ଯେଉଁମାନେ ଫସଲ ବୀମା କରିଛନ୍ତି ସେମାନଙ୍କୁ ବୀମା କମ୍ପାନୀ ପକ୍ଷରୁ କ୍ଷତିପୂରଣ ମିଳିବ। କିନ୍ତୁ ଯେଉଁମାନେ ବୀମା କରି ନାହାନ୍ତି ସେମାନେ ଧାନ ଗଛକୁ ବିଲରୁ ଆଣି ହିଡ଼ରେ ଶୁଖାଇବାକୁ ସେ ପରାମର୍ଶ ଦେଇଛନ୍ତି। ଆଉ କହିଛନ୍ତି ଚାଷୀମାନେ କ୍ଷୟକ୍ଷତି ସମ୍ପର୍କରେ କୃଷି ବିଭାଗ ନିକଟରେ ଆବେଦନ କଲେ ମିଳିତ ଅନୁଧ୍ୟାନ କରାଯାଇ କ୍ଷୟକ୍ଷତି ରିପୋର୍ଟ ସରକାରଙ୍କୁ ଦିଆଯିବ। ତଦନୁଯାୟୀ ଚାଷୀମାନଙ୍କୁ କ୍ଷତିପୂରଣ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ସେଠୀ ଭରସା ଦେଇଛନ୍ତି।

ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ନଭେମ୍ବର ୧୯ରେ ଜିଲ୍ଲାରେ ହାରାହାରି ୪୨ ମି.ମି ବର୍ଷା ହୋଇଛି। ଜାମଦା ବ୍ଲକରେ ସର୍ବାଧିକ ୩୦ ମି.ମି. ଓ ଶୁଳିଆପଦା ବ୍ଲକରେ ସର୍ବନିମ୍ନ ୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଜିଲ୍ଲାରେ ହାରାହାରି ୩୪ ମିମି ବର୍ଷା ରେକର୍ଡ କରାଯାଇଥିବା ସମୟରେ ସାରସକଣା ବ୍ଲକରେ ସର୍ବାଧିକ ୧୭ ମିମି ଓ ମୋରଡ଼ା ବ୍ଲକରେ ସର୍ବନିମ୍ନ ୩ ମିମି ବୃଷ୍ଟିପାତ ହୋଇଛି। କିନ୍ତୁ ଆଜି ଜିଲ୍ଲାରେ ହାରାହାରି ୫୫୪.୪୦ ମିମି ବର୍ଷା ହୋଇଥିବା ବେଳେ ବିଜାତଳା ବ୍ଲକରେ ୫୫ମିମି., ବାଙ୍ଗିରିପୋଷିରେ ୫୧.୨ମିମି, ଶୁଳିଆପଦାରେ ୫୧, ରାଇରଙ୍ଗପୁରରେ ୫୦, ବାରିପଦା ଓ ରାସଗୋବିନ୍ଦପୁର ବ୍ଲକରେ ୪୦, ଯଶୀପୁରରେ ୩୨.୨, ଶାମାଖୁଣ୍ଟାରେ ୩୨, ବିଶୋଇରେ ୩୦ ଓ ତିରିଂ ବ୍ଲକରେ ୨୫.୨୦ମିମି ବୃଷ୍ଟିପାତ ହୋଇଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।