ଛାଡଖାଇ ପୂର୍ବରୁ ଚୋରି ହୋଇଗଲା ୨୦ ଖାସି

ଗୋପ : କାର୍ତ୍ତିକ ପୂର୍ଣ୍ଣିମା ପରେ ଛାଡଖାଇ। ମାସଗୋଟା ଆମିଷ ଖାଇନଥିବା ଲୋକେ ଛାଡଖାଇରେ ମାଛ-ମାଂସ ଖାଇବେ। ମଟନ ଉପରେ ରହିବ ବେଶୀ ଡିମାଣ୍ଡ। ଦର ଆକାଶଛୁଆଁ ହେବ। କିନ୍ତୁ ଛାଡଖାଇ ପୂର୍ବରୁ ସକ୍ରିୟ ହୋଇଛନ୍ତି ଛେଳି ଚୋର। ସେମାନେ ରାତିରେ ୨୦ରୁ ଅଧିକ ଛେଳି ଚୋରେଇ ନେଇଛନ୍ତି। ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଥିବା ବେଳେ ଚୋରମାନେ କାର୍‌ ବ୍ୟବହାର କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ଛେଳି ଚାଲିଗଲା ପରେ ମାଲିକ ଗୋପ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଗୋପ ଥାନା ବନ୍ତଳୀ ପଞ୍ଚାୟତର ଭୀମସେନ କାଣ୍ଡି ଓ ବେନୁ କାଣ୍ଡି ସବୁଦିନ ପରି ରବିବାର ରାତିରେ ଛେଳି ଗୁଡ଼ିକୁ ଗୁହାଳରେ ବାନ୍ଧି ୧୦ଟାରେ ଘରକୁ ଫେରିଥିଲେ। ସେହିଦିନ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଗୁହାଳରୁ ୨୦ଟି ଛେଳି ଚୋରେଇ ନେଇଛନ୍ତି। ଛେଳିଙ୍କ ରଡ଼ି ଶୁଣି ଗ୍ରାମର କିଛି ଲୋକ ଓ ମାଲିକ ଉଠିଥିଲେ ହେଁ କାରରେ ଛେଳିଗୁଡ଼ିକୁ ନେଇ ଯାଉଥିବା ଦେଖିଥିଲେ। ଗ୍ରାମବାସୀଙ୍କ ପାଟି ଶୁଣି ଚୋରମାନେ ମଦରଙ୍ଗ ଆଡକୁ ଦ୍ରୁତ ଗତିରେ ପଳାଇ ଯାଇଥିଲେ। ଭୀମସେନ ଓ ବେନୁ ଗୋପ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।