ଛେଣ୍ଡିପଦା ଓ ଦିଗପହଣ୍ଡିରେ ବାଇକ ଧକ୍କା : ଜଣେ ମୃତ, ୬ ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଚାରିବାଟିଆ ଛକ ପେଟ୍ରୋଲପମ୍ପ ସମ୍ମୁଖରେ ତିନିଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେହିପରି ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି-ଫାଶୀଗୁଡ଼ା ରାସ୍ତାର ପାଞ୍ଚଆମ୍ବ ପଡିଆ ନିକଟରେ ଘଟିଥିବା ବାଇକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଭୀଷ୍ମଗିରି ଗ୍ରାମ କାର୍ଜୀ ସାହିର ଶୁଭେନ୍ଦୁ ଓରଫ ଶୁଭ ପଣ୍ଡା ବୋଲି ଜଣାପଡିଛି।

ଖବର ଅନୁଯାୟୀ ରବିବାର ଦୁଇଟି ସ୍ଥାନରେ ବାଇକ୍ ଦୁର୍ଘଟଣା ଘଟିଛି। ଦିଗପହଣ୍ଡି ବ୍ଳକ ପାଞ୍ଚଆମ୍ବ ପଡିଆ ନିକଟରେ ହୋଇଥିବା ଦୁର୍ଘଟଣାରେ ଶୁଭ ପଣ୍ଡାଙ୍କର ମୃତ୍ୟୁ ହୋଇଥିବା ବେଳେ ପାଟପୁର ଥାନା କଲରା ପଦର ଗ୍ରାମର ମନୋଜ ସେଠୀ ଗୁରୁତର ହୋଇଛି। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସେହିପରି ଆଜି ସନ୍ଧ୍ୟାରେ ଦେବଗଡ଼ ଜିଲ୍ଲା ବଳମ ଗ୍ରାମର ଜିତୁ ଦେହୁରୀ, ଓ ବଳରାମ ରାଉତ ବାଇକରେ ଛେଣ୍ଡିପଦା ପଟୁ ଘରକୁ ଫେରୁଥିଲେ। ବିପରୀତ ବୁଢ଼ାପାଳ ପଟୁ ବାଇକରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମଣିକମରା ଗ୍ରାମର ଯୋଗେଶ ଭୁତିଆ ଛେଣ୍ଡିପଦା ଦେଇ ଘରକୁ ଫେରୁଥିବା ବେଳେ ପେଟ୍ରୋଲପମ୍ପ ସମ୍ମୁଖରେ ଧକ୍କା ହୋଇଥିଲା। ଏଥିରେ ଛେଣ୍ଡିପଦା ଥାନା ଚନ୍ଦ୍ରପୁର ଗ୍ରାମର ଲିପୁ ପାଣିଗ୍ରାହୀ ଓ ଲିପୁନ ଦେହୁରୀ ଆହତ ହୋଇଛନ୍ତି। ତିନି ବାଇକରେ ଥିବା ୫ ଜଣଙ୍କୁ ଆହତଙ୍କୁ ଛେଣ୍ଡିପଦା ଦମକଳ ବାହିନୀ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ମତାମତ ଦିଅନ୍ତୁ ।