ଚୀନ ବିପଦ : ଉତ୍ତରାଖଣ୍ଡରେ ହେବ ଏୟାର ଡିଫେନ୍ସ ରାଡାର ଓ ବିମାନଘାଟି

ନୂଆଦିଲ୍ଲୀ : ପୂର୍ବ ଲଦାଖ ସୀମାରେ ସଂଘର୍ଷ ପରଠାରୁ ଚୀନ ଉପରେ ଆଉ ବିଶ୍ଵାସ ନୁହେଁ। ଯେଉଁ ବିବାଦ ସୃଷ୍ଟି ହୋଇଛି ତାହାର ସଂପୂର୍ଣ୍ଣ ସମାଧାନ ହେବବୋଲି ଆଶା କରାଯାଇ ପାରୁନି। ତେଣୁ ମୁଖ୍ୟ ଶତ୍ରୁ ପାଲଟି ଯାଇଥିବା ଚୀନ ଆଡୁ ଭାରତ ପ୍ରତି ଆଗକୁ ବିପଦ ରହିବ। ଭାରତୀୟ ସେନା ଏଭଳି ଆଶଙ୍କା କରୁଥିବାରୁ ଚୀନ ସହ ଲାଗିଥିବା ସବୁ ରାଜ୍ୟରେ ପ୍ରତିରକ୍ଷା ଭିତ୍ତିଭୂମି ସୁଦୃଢ କରିବାକୁ ଉଦ୍ୟମ ଆରମ୍ଭ କରିଛି।

ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଉତ୍ତରାଖଣ୍ଡରେ ଏୟାର ଡିଫେନ୍ସ ରାଡାର ଓ ଯୁଦ୍ଧ ବିମାନ ଘାଟି ନିର୍ମାଣ କରାଯିବ। ରାଜ୍ୟର ୩ଟି ସୀମାବର୍ତ୍ତି ଜିଲ୍ଲା ଚମୋଲି, ପିଥୋରାଗଡ଼ ଓ ଉତ୍ତରକାଶୀରେ ଏୟାର-ଡିଫେନ୍ସ ରାଡାର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଇଛି। ଏହି ପ୍ରକଳ୍ପ ପାଇଁ ଜମି ଚିହ୍ନଟ ଓ ଆବଣ୍ଟନ ଲାଗି ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀମାନେ ନିକଟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ଵତଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଜମି ଚିହ୍ନଟ ଲାଗି ରାଜ୍ୟ ସରକାର ତିନୋଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ କରିବେ। ନୂଆ ବିମାନଘାଟି ଚଉଖୁଟିଆଠାରେ ନିର୍ମାଣ ହେବ। ଏହାଛଡ଼ା ପନ୍ତନଗର, ଜଲିଗ୍ରାଣ୍ଟ ଓ ପିଥୋରାଗଡ଼ଠାରେ ଥିବା ବିମାନବନ୍ଦର ଗୁଡ଼ିକର ସମ୍ପ୍ରସାରଣ କରାଯିବାକୁ ପ୍ରସ୍ତାବ ରହିଛି। ଏସବୁ ଭିତ୍ତିଭୂମି ନିର୍ମାଣ କରି ଭାରତ ଚୀନ ପଟୁଥିବା ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛି।

ମତାମତ ଦିଅନ୍ତୁ ।