ଚୀନ୍‌ ଖେଳନାର କ୍ୱାଲିଟି ଟେଷ୍ଟିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଚିନରୁ ଆମଦାନି ହେଉଥିବା ଖେଳନାଗୁଡ଼ିକର ମାନ ପରୀକ୍ଷଣ ବା କ୍ୱାଲଟି ଟେଷ୍ଟିଂ ବାଧ୍ୟତାମୂଳକ। ବିନା ମାନ ପରୀକ୍ଷଣରେ ଭାରତକୁ ପ୍ରବେଶ କରିପାରିବ ନାହିଁ। ସେପ୍ଟେମ୍ବରରୁ ଏହି ଟେଷ୍ଟିଂ ଆରମ୍ଭ ହେବ ବୋଲି ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ କହିଛନ୍ତି।

ଖବର ଅନୁଯାୟୀ ଚୀନ୍‌ ସମେତ ଅନ୍ୟାନ୍ୟ ଦେଶରୁ ନିମ୍ନମାନର ତଥା ଅନାବଶ୍ୟକ ସାମଗ୍ରୀ ଆମଦାନିକୁ ରୋକିବା ପାଇଁ ଭାରତ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଇସ୍ପାତ, ରସାୟନ, ଫାର୍ମା, ଇଲେକ୍ଟ୍ରୋନିକ୍ସ ଉପକରଣ, ଆସବାବପତ୍ର ଓ ଖେଳନା ଆଦି ଆମଦାନି ପାଇଁ କ୍ୱାଲିଟି ଟେଷ୍ଟିଂକୁ ବାଧ୍ୟତାମୂଳକ କରାଯିବ। ଏଥିପାଇଁ ମୋଟ ୩୭୧ଟି ସାମଗ୍ରୀକୁ ଚିହ୍ନଟ କରାଯାଇଛି। ଏହାର ପରୀକ୍ଷଣ ଜୋର୍‌ଦାର୍‌ ହେବ।

ସଂପୃକ୍ତ ମନ୍ତ୍ରାଳୟ ସହ ମିଶି ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌) ଏସବୁ ସାମଗ୍ରୀ ଗୁଡ଼ିକର ମାନ ପରୀକ୍ଷଣ କରିବ। ତେବେ ଖେଳନା ଗୁଡ଼ିକ ପାଇଁ ବାଧ୍ୟତାମୂଳକ କ୍ୱାଲିଟି କଣ୍ଟ୍ରୋଲ ଷ୍ଟାଣ୍ଡାର୍ଡ (କ୍ୟୁସିଏସ୍‌) ସେପ୍ଟେମ୍ବର ୧ରୁ କାର୍ଯ୍ୟକାରୀ ହେବ। ନମୂନା ସଂଗ୍ରହ କରିବା ପାଇଁ ବିଆଇଏସ୍‌ ଷ୍ଟାଫଙ୍କୁ ପ୍ରମୁଖ ବନ୍ଦର ଗୁଡିକରେ ନିୟୋଜିତ କରାଯିବ। ନମୂନା ସଂଗ୍ରହ ପରେ ଏହାର ମାନ ନିର୍ଦ୍ଧାରଣ କରାଯିବ ବୋଲି ପାଶ୍ୱାନ କହିଛନ୍ତି।

ସେହିପାରି ବିଆଇଏସ୍‌ର ମହାନିର୍ଦ୍ଦେଶକ ପ୍ରମୋଦ କୁମାର ତିୱାରି କହିଛନ୍ତି ଖେଳନା ପରେ ଇସ୍ପାତ, ରସାୟନ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଭାରୀ ଯନ୍ତ୍ରପାତି ଓ ଦୁଗ୍ଧଜାତ ସାମଗ୍ରୀର କ୍ୱାଲିଟି ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ ହେବ। ୨୦୨୧ରୁ ସୁନାର ବାଧ୍ୟତାମୂଳକ ମାନ ନିର୍ଦ୍ଧାରଣ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।