ଚୀନକୁ ଜବାବ ଦେବା ପାଇଁ ସେନା ପ୍ରସ୍ତୁତ : ରାଜନାଥ

ନୂଆଦିଲ୍ଲୀ : ଭାରତ-ଚୀନ୍ ମଧ୍ୟରେ ଲଦାଖର ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ ବା ଲଏସି ଚାଲିଥିବା ପ୍ରକ୍ରିୟା ଜଟିଳ। ଏହାର ସମାଧାନ ପାଇଁ ଧୌର୍ଯ୍ୟର ଆବଶ୍ୟକତା ରହିଛି। ଲୋକସଭାରେ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ସୀମା ପ୍ରସଙ୍ଗ ଜଟି ରହିଥିବା ଚୀନ୍ ମଧ୍ୟ ସ୍ୱୀକାର କରିଛି। ପରସ୍ପରର ସମ୍ମତି ଓ ଶାନ୍ତିପୂର୍ଣ୍ଣ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ ହେବା ଉଚିତ।

ମଙ୍ଗଳବାର ରାଜନାଥ କହିଛନ୍ତି ଲଦାଖରେ ଚୀନ୍‌ ଭାରତର ପ୍ରାୟ ୩୮,୦୦୦ ବର୍ଗ କିମି ବଳ ପୂର୍ବକ ଅକ୍ତିଆର କରିଛି। ୧୯୬୩ ମସିହାରେ ତଥାକଥିତ ସୀମା ଚୁକ୍ତିନାମା ଅନୁଯାୟୀ ପାକିସ୍ତାନ ପିଓକେର ୫୨୮୦ ବର୍ଗ କିଲୋମିଟରକୁ କବଜାରେ ରଖିଛି। ବେଆଇନ ଭାବେ ଭାରତର ଜମିକୁ ଚୀନକୁ ହସ୍ତାନ୍ତର ପାକିସ୍ତାନ କରିଛି। ରାଜନାଥ କହିଲେ ଆମ ଯବାନ ସମସ୍ତ ସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ। ଆମେ ସେମାନଙ୍କ ପାଇଁ ଗର୍ବିତ। ୧୩୦ କୋଟି ଭାରତୀୟ ଦେଶର ସେନା ସହିତ ଅଛନ୍ତି। ସୀମା ପ୍ରସଙ୍ଗ ଜଟିଳ ରହିଥିବାରୁ ଏ ବାବଦରେ ଅଧିକ କିଛି କହିବା ଠିକ୍ ହେବନି ବୋଲି ସେ କହିଥିଲେ।

ରାଜନାଥ କହିଲେ ଭାରତ ବର୍ତ୍ତମାନର ସମସ୍ୟାର ସମାଧାନ ପାଇଁ ପ୍ରତିବଦ୍ଧ। ସେପ୍ଟେମ୍ବର ୪ରେ ମସ୍କୋରେ ଚୀନ୍ ପ୍ରତିପକ୍ଷଙ୍କୁ ଭେଟି ତାଙ୍କ ସହିତ ହୋଇଥିବା ଆଲୋଚନା ବେଳେ ଚୀନ୍ ଆଗରେ ଭାରତ ନିଜର ସ୍ପଷ୍ଟ ଚିନ୍ତାଧାରା ରଖିଛି। ତେବେ ଚୀନ୍ ସୀମାରେ ସୈନ୍ୟ ଓ ସାମରିକ ଶକ୍ତି ବୃଦ୍ଧି କରୁଛି। ଆମେ ସମସ୍ୟାର ସମାଧାନ କରିବାକୁ ଚାହୁଁ ଏବଂ ଚୀନ୍ ସହ ମିଶି କାମ କରିବାକୁ ଚାହୁଁ। ହେଲେ ଭାରତର ସାର୍ବଭୈମତ୍ୱ ଓ ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାକୁ ଭାରତ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ। ଏଥିରୁ ଭାରତ କେବେ କୌଣସି ଶକ୍ତି ବା ଦେଶ ଆଗରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ରାଜନାଥ ଚୀନ୍ ଉଦ୍ଦେଶ୍ୟରେ ସ୍ପଷ୍ଟ କରିଦେଇଛନ୍ତି।

ମତାମତ ଦିଅନ୍ତୁ ।