ଚୀନର ମୁକାବିଲା କରିବାକୁ ଭାରତ ସମର୍ଥ : ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି। ଉଭୟ ଦେଶର ସେନା ଏକ ପ୍ରକାର ପ୍ରସ୍ତୁତ ରହିଛନ୍ତି। ମୁତୟନ ହୋଇଛି ଲଢୁଆ ବିମାନ ଓ ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମ। ତେବେ ବାୟୁସେନା ମୁଖ୍ୟ ଭଦୌରିଆ କହିଛନ୍ତି ଚୀନ୍ ପଟୁ ଯେକୌଣସି ବିପଦର ମୁକାବିଲା କରିବାକୁ ଭାରତ ସମ୍ପୂଣ୍ଣ ସମର୍ଥ। କୌଣସି ପ୍ରକାର ଯୁଦ୍ଧରେ ଚୀନ୍ ଆମକୁ ପାରିବ ନାହିଁ।

ବାୟୁସେନା ଦିବସ (ଅକ୍ଟୋବର ୮) ଅବ୍ୟବହିତ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଚୀନ୍‌ ‘ପିପୁଲ୍‌ସ୍‌ ଲିବରେସନ୍ ଆର୍ମି’ର ସାମର୍ଥ୍ୟକୁ ସ୍ଵୀକାର କରି ଭଦୌରିଆ କହିଛନ୍ତି ଲଦାଖ ସେକ୍ଟରରେ ଥିବା ସେମାନଙ୍କ ବାୟୁସେନାରେ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ସିଷ୍ଟମ୍, ଆକାଶରୁ ନି‌କ୍ଷେପଣ ‌କରାଯାଉଥିବା ଦୂରଗାମୀ ଅସ୍ତ୍ରଶସ୍ତ୍ର ଓ ଚେଙ୍ଗ୍‌ଡୁ ଜେ-୨୦ ଭଳି ଲଢୁଆ ଜେଟ୍‌ ରହିଛି। ଚେଙ୍ଗ୍‌ଡୁ ଜେ-୨୦ରେ ଉନ୍ନତ ସେନ୍‌ସର୍‌ ଓ ଅସ୍ତ୍ରଶସ୍ତ୍ର ରହିଥିଲେ ମଧ୍ୟ ଉନ୍ନତ ଇଞ୍ଜିନ୍ କାରିଗରି ନାହିଁ।

ସେ କହିଛନ୍ତି କେତେକ ନିର୍ଦ୍ଦିଷ୍ଟ ‌କ୍ଷେତ୍ରରେ ଚୀନ୍ର ସାମର୍ଥ୍ୟ ଅଛି। କିନ୍ତୁ ଆମେ ସବୁ କ୍ଷେତ୍ର ପାଇଁ ପ୍ରସ୍ତୁତ। ଯେ‌କୌଣସି ପ୍ରକାରର ଆକ୍ରମଣକୁ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଲଦାଖ ସେକ୍ଟର୍‌ରୁ ସୈନ୍ୟ ଅପସାରଣ ନିମନ୍ତେ ଚୀନ୍‌ ସହ ଚାଲିଥିବା ଆଲୋଚନା ସମ୍ପର୍କରେ ଭଦୌରିଆ କହିଲେ ଉତ୍ତେଜନା ହ୍ରାସ ପରେ ସୈନ୍ୟ ଅପସାରଣ ଲାଗି ଆଲୋଚନା ଚାଲିଛି। ଏହି ଧାରାରେ ଆଲୋଚନାର ଅଗ୍ରଗତି ହେବ ବୋଲି ଆଶା। ହେଲେ ଅଗ୍ରଗତି ଧାରା ଏବେ ଖୁବ୍ ମନ୍ଥର। ଯବାନମାନଙ୍କ ନିମନ୍ତେ ଶୀତକାଳୀନ ପ୍ରସ୍ତୁତି ଓ ଆଖପାଖ ବିମାନ ଘାଟିମାନଙ୍କରେ ବାୟୁସେନା ସାମଗ୍ରୀ ମହଜୁଦ ରଖିବା କାର୍ଯ୍ୟ ତ୍ଵରାନ୍ୱିତ ହୋଇଛି। ଅନ୍ୟାନ୍ୟ ପଦକ୍ଷେପ ସ୍ଥଳବିଶେଷ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।