ଚୀନ୍‌ର ନଜର ତାଜକିସ୍ତାନ ସୁନାଖଣି ଉପରେ

ନୂଆଦିଲ୍ଲୀ : ଚୀନ ତା’ର ସାମ୍ରାଜ୍ୟ ବିସ୍ତାରବାଦୀ ନୀତି ଛାଡୁନାହିଁ। ପଡୋଶୀ ଦେଶ ଗୁଡିକ ଉପରେ ନିଜର ଆଧିପତ୍ୟ ଜାହିର କରିବା ପ୍ରୟାସ ଜାରି ରଖିଛି। ଏହି କାରଣ ପାଇଁ ଭାରତ ସହିତ ଲାଗିଥିବା ସୀମା ବିବାଦ ତୁଟି ପାରୁନି। ସେହିପରି ଭୁଟାନ ସହ ବିବାଦ ପରେ ଏବେ ଚୀନ୍‌ର ନଜର ପଡିଛି ତାଜକିସ୍ତାନ ସୁନା ଖଣି ଉପରେ। ପାମିର୍‌ ପର୍ବତ ଚୀନ୍‌କୁ ଛାଡ଼ି ଦିଆଯିବା ଉଚିତ ବୋଲି ଚୀନ୍‌ ରାଷ୍ଟ୍ରାୟତ ଗଣମାଧ୍ୟମ ବାରମ୍ବାର ଦୋହରାଇ ଚାଲିଛି।

ଚୀନ୍ ଏଭଳି ପ୍ରଚାର କରାଇବା ପଛରେ ଅନ୍ୟ ଏକ ଉଦ୍ଦେଶ୍ୟ ରହିଛି। ଐତିହାସିକ ଚୋ ୟାଓ ଲୁ’ ଚୀନ ତଥ୍ୟକୁ ଆଧାର କରି ଏକ ଆଲେଖ୍ୟରେ କହିଛନ୍ତି ସମଗ୍ର ପାମିର ଅଞ୍ଚଳ ଚୀନ୍‌ର। ତେଣୁ, ତାହାକୁ ଚୀନ୍‌କୁ ଫେରସ୍ତ କରାଯିବା ଉଚିତ। ୧୯୧୧ରେ ନୂତନ ଚୀନ୍ ରାଷ୍ଟ୍ର ଗଠନ ହେବା ପରେ ସରକାରୀ କର୍ତ୍ତୃପକ୍ଷମାନଙ୍କର ପ୍ରଥମ କାମ ଥିଲା ହରାଇଥିବା ଅଞ୍ଚଳ ଫେରାଇ ଆଣିବା। କିଛି ଅଞ୍ଚଳ ଫେରସ୍ତ ଆସିଥିଲା। ଅନ୍ୟ କେତେକ ଏବେ ମଧ୍ୟ ପଡ଼ୋଶୀ ଦେଶମାନଙ୍କ ଦଖଲରେ ରହିଛି। ସେଭଳି ଗୋଟାଏ ପ୍ରାଚୀନ ଅଞ୍ଚଳ ହେଉଛି ପାମିର। ବିଶ୍ଵ ଶକ୍ତିମାନଙ୍କ ଚାପ ଯୋଗୁଁ ୧୨୮ ବର୍ଷ ହେବ ତାହା ଚୀନ୍ ବାହାରେ ରହିଛି। ଏହି ପ୍ରସଙ୍ଗ ସରକାରଙ୍କୁ ଚିନ୍ତିତ କରିଥିବା ବେଳେ ରୁଷ୍‌ର ଧ୍ୟାନ ମଧ୍ୟ ଆକର୍ଷଣ କରିଛି। ରୁଷ୍ ଚାହେଁ କେନ୍ଦ୍ରୀୟ ଏସୀୟ ଦେଶମାନେ ତା’ର ରଣ କୌଶଳର ପଶ୍ଚାତ୍‌ଭାଗରେ ରୁହନ୍ତୁ।

୨୦୧୦ରେ ଚୀନ୍ ଓ ତାଜକିସ୍ତାନ ସୀମା ରାଜିନାମା ସ୍ଵାକ୍ଷର କରିଥିଲେ। ସେତେବେଳେ ତାଜକିସ୍ତାନ ପାମିର୍‌ର ୧, ୧୫୮ ବର୍ଗ କିଲୋମିଟର୍ ଅଞ୍ଚଳ ଚୀନ୍‌କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା। ତାଜକିସ୍ତାନ-ଆଫଗାନିସ୍ତାନ ସୀମାନ୍ତ ନିକଟ ତାସକୁଗାନ୍‌ରେ ଚୀନ୍ ବିମାନ ବନ୍ଦର ନିର୍ମାଣ କରୁଥିବାରୁ ଏହା ଏବେ ଚିନ୍ତାର କାରଣ ହୋଇଛି।

ସେହିପରି ଉତ୍ତର ତାଜକିସ୍ତାନରେ ଖଣି ଖୋଳି ସୁନା ବାହାର କରିବାକୁ ଚୀନ୍ କମ୍ପାନିକୁ ଅନୁମତି ମିଳିଛି। ଏହି ପ୍ରକଳ୍ପକୁ ଆଧାର କରି ଚୀନ୍ ସେ ଅଞ୍ଚଳରେ ରାସ୍ତା ଓ ବିମାନ ବନ୍ଦର ନିର୍ମାଣ କରୁଥିବା ବେଳେ ନଜର ରହିଛି ଅନ୍ୟ ସୁନା ଖଣି ଉପରେ। କାହିଁକି ନା ଚୀନ୍ ରିପୋର୍ଟ ଅନୁସାରେ ତାଜକିସ୍ତାନରେ ୧୪୫ଟି ଖଣି ରହିଛି।

ମତାମତ ଦିଅନ୍ତୁ ।