ଚୀନର ମୁକାବିଲା ପାଇଁ ଭାରତ ଦେବ ମିଆଁମାରକୁ ବୁଡ଼ାଜାହାଜ

ନୂଆଦିଲ୍ଲୀ : ଭାରତ ପଡ଼ୋଶୀ ଦେଶ ମିଆଁମାର ସେନାକୁ ଶକ୍ତିଶାଳୀ କରିବାକୁ ପଦକ୍ଷେପ ନେଇଛି। ଚୀନର ପ୍ରଭାବକୁ ହ୍ରାସ କରିବା ନିମନ୍ତେ ମିଆଁମାର ନୌସେନାକୁ ଏକ କିଲୋ କ୍ଲାସ ବୁଡ଼ାଜାହାଜ ଆଇଏନଏସ୍‌ ସିନ୍ଧୁବୀର ପ୍ରଦାନ କରାଯିବ। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏହି ସୂଚନା ଦେଇଛନ୍ତି।

ଭାରତ ମହାସାଗରରେ ଚୀନର ଗତିବିଧି ବଢୁଛି। ମିଆଁମାର ଏହି ବୁଡ଼ାଜାହାଜର ଉପଯୋଗ କରି ନିଜ ଉପକୂଳର ସୁରକ୍ଷା କରିପାରିବ। ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ବଢାଇବାକୁ ଚଳିତ ମାସ ଆରମ୍ଭରେ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରୱାଣେ ଓ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ସିଙ୍ଗଲା ମିଆଁମାର ଗସ୍ତରେ ଯାଇଥିଲେ। ସେହି ସମୟରେ ମିଆଁମାର ସେନାକୁ ଆର୍ଟିଲାରି ଗନ, ବୁଲେଟପ୍ରୁଫ ଜାକେଟ୍ ଓ ଟ୍ୟାଙ୍କ ଆଦି ପ୍ରଦାନ କରିବାକୁ ଭାରତ ପ୍ରତିଶ୍ରୁତି ଦେଇଥିଲା।

ଦକ୍ଷିଣ-ପୂର୍ବ ଏସିଆରେ ଚୀନ ପ୍ରଭାବ ବିସ୍ତାର କରୁଛି। ଏହାର ମୁକାବିଲା ପାଇଁ ଚୀନ ସହିତ ସୀମା ବିବାଦ ରହିଥିବା ଦେଶମାନଙ୍କୁ ଭାରତ ସାମରିକ ସହାୟତା ଯୋଗାଉଛି। ଗତ କିଛି ବର୍ଷ ହେଲା ଇଣ୍ଡୋନେସିଆ ଓ ଥାଇଲାଣ୍ଡ ସହ ଭାରତ ନିଜର ସାମରିକ ସମ୍ପର୍କକୁ ସୁଦୃଢ କରିଛି। ଇଣ୍ଡୋନେସିଆକୁ ଭାରତ କେତେକ ଯୁଦ୍ଧ ଜାହାଜ, ବ୍ରହ୍ମୋସ ମିସାଇଲ, ଆକାଶ ମିସାଇଲ ସିଷ୍ଟମ ପ୍ରଦାନ କରିବାକୁ ଯୋଜନା କରୁଛି । ଭାରତଠାରୁ ଏସବୁ ଅସ୍ତ୍ରଶସ୍ତ୍ର କିଣିବାକୁ ଇଣ୍ଡୋନେସିଆ ଆଗ୍ରହ ପ୍ରକାଶ କରିଛି।

ମତାମତ ଦିଅନ୍ତୁ ।