ଚୀନ୍‌ରୁ ଆମଦାନୀ ରଙ୍ଗିନ ଟେଲିଭିଜନ୍ ସେଟ୍ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ : ଚୀନ୍‌ ଆପକୁ ଭାରତ ସରକାର ବ୍ୟାନ କରିବା ପରେ ରଙ୍ଗିନ ଟେଲିଭିଜନ୍ ସେଟ୍ ଆମଦାନୀ ଉପରେ କଟକଣା ଲଗାଇଛନ୍ତି। ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଫରେନ୍ ଟ୍ରେଡ୍ (ଡିଜିଏଫ୍‌ଟି) ଏହି କଟକଣା ଜାରି କରିଛି। ବିଜ୍ଞପ୍ତିରେ କୁହାଯାଇଛି ‘ଅବାଧ’ ଥିବା ରଙ୍ଗିନ ଟେଲିଭିଜନ୍ ସେଟ୍ ଆମଦାନୀ ନୀତିକୁ ସଂଶୋଧନ କରାଯାଇ ‘କଟକଣାଯୁକ୍ତ’ କରାଯାଇଛି। ତେଣୁ କେତେକ ବର୍ଗର ଟେଲିଭିଜନ୍ ଆମଦାନୀ ପାଇଁ ସରକାରଙ୍କ ଠାରୁ ଲାଇସେନ୍‌ସ୍ ଆବଶ୍ୟକ ପଡିବ।

ଡିଜିଏଫ୍‌ଟିର ଜଣେ ଅଧିକାରୀ କହିଛନ୍ତି ଭାରତର ୧୫, ୦୦୦ କୋଟି ଟଙ୍କାର ଟେଲିଭିଜନ୍ ଶିଳ୍ପ ରହିଛି। ସେଥିରୁ ୩୬ ପ୍ରତିଶତରୁ ଅଧିକ ଚୀନ୍ ଓ ଦକ୍ଷିଣ ପୂର୍ବ ଏସିଆରୁ ଆମଦାନୀ ହେଉଛି। ଭାରତ ସହ ମୁକ୍ତ ବାଣିଜ୍ୟ ରାଜିନାମା ଥିବା କେତେକ ଦେଶ ଜରିଆରେ ଚୀନ୍ ନିର୍ମିତ ଟେଲିଭିଜନ୍‌ ସେଟ୍ ଭାରତକୁ ଆସୁଛି। ଘୋଷିତ କଟକଣା ବଳରେ ଏହି ବେଆଇନ ବାଣିଜ୍ୟକୁ ରୋକାଯାଇ ପାରିବ। ଚୀନ୍ ବ୍ୟତୀତ, ଭିଏତନାମ, ମାଲେସିଆ, ହଙ୍ଗ୍‌ କଙ୍ଗ୍, କୋରିଆ, ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ଜର୍ମାନି ପ୍ରମୁଖ ରଙ୍ଗିନ ଟେଲିଭିଜନ୍ ରପ୍ତାନିକାରି ଅଟନ୍ତି। ‘ଆସିଆନ୍ ଇଣ୍ଡିଆ ଏଫ୍‌ଟିଏ’ର ସୁଯୋଗ ନେଇ ସ୍ଵଳ୍ପ ବା ବିନା ଟିକସରେ ଏଭଳି ଅନେକ ସାମଗ୍ରୀ ଭାରତୀୟ ବଜା‌ରରେ ପ୍ରବେଶ କରୁଥିବାରୁ ଆମ ସ୍ଵଦେଶୀ ଶିଳ୍ପର କ୍ଷତି ହେଉଛି। ଟିକସ ପରିମାଣ ବୃଦ୍ଧି କରି ଏହାକୁ ନିୟନ୍ତ୍ରଣ କରି ହେବନାହିଁ। ତେଣୁ ସରକାର ଆମଦାନୀ ଉପରେ କଟକଣା ଲାଗୁ କରିଛନ୍ତି।

ମତାମତ ଦିଅନ୍ତୁ ।