ଚୂଡ଼ାନ୍ତ ନିର୍ବାଚନ ଫଳାଫଳ : କାହାକୁ ମିଳିଲା କେତେ ଆସନ

ନୂଆଦିଲ୍ଲୀ : ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତଅଞ୍ଚଳ ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ବିଳମ୍ବିତ ରାତିରେ ଜଣାପଡିଛି।

ପଶ୍ଚିମବଙ୍ଗରେ ଶାସକ ଟିଏମସିକୁ ମିଳିଛି ବିପୁଳ ସଫଳତା। ମୋଟ ୨୯୪ଟି ବିଧାନସଭା ଆସନରୁ ୨୯୨ଟିରେ ଭୋଟ ଗଣତି ହୋଇଥିଲା। ସେଥିରୁ ଟିଏମସି ୨୧୩ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୭୭ ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ଜିତିଛନ୍ତି।

ଆସାମରେ ବିଜେପି ପୁଣି କ୍ଷମତା ଦଖଲ କରିବାକୁ ସକ୍ଷମ ହୋଇଛି। ୧୨୬ଟି ବିଧାନସଭା ଆସନରୁ ବିଜେପି ୭୬ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ମେଣ୍ଟକୁ ମିଳିଛି ୪୯ଟି ଆସନ। ଅନ୍ୟାନ୍ୟ ରହିଛି ଗୋଟିଏ ଆସନ।

କେରଳରେ ଦୀର୍ଘ ୪୦ ବର୍ଷ ଧରି ଜାରି ରହିଥିବା ପରମ୍ପରାକୁ ଭାଙ୍ଗି ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଏଲଡିଏଫ ଦ୍ୱିତୀୟ ଥର କ୍ଷମତାକୁ ଫେରିଛି। କେରଳର ୧୪୦ଟି ବିଧାନସଭା ଆସନରୁ ଏଲଡିଏଫ ୯୭ଟିରେ ଜିତିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୪୧ଟିରେ ବିଜୟୀ ହୋଇଛି। ବିଜେପି ଖାତା ଖୋଲି ପାରିନାହିଁ। ଅନ୍ୟାନ୍ୟ ଦଳ ୨ଟି ଆସନ ଜିତିଛନ୍ତି।

ତାମିଲନାଡୁରେ ଶାସକ ଏଆଇଏଡିଏମକେ ମେଣ୍ଟକୁ ମିଳିନି ସେପରି ସଫଳତା। ତୃତୀୟ ଥର କ୍ଷମତାକୁ ଫେରିବାକୁ ଏଥର ବିଜେପି ସହ ମେଣ୍ଟ କରିଥିଲେ ତାହା ସମ୍ଭବ ହୋଇନି। ଏମକେ ଷ୍ଟାଲିନଙ୍କ ଡିଏମକେ ଉପରେ ଲୋକେ ଆସ୍ଥା ପ୍ରକଟ କରିଛନ୍ତି। ୨୩୪ ବିଧାନସଭା ଆସନରୁ ଡିଏମକେ ୧୫୬ଟିରେ ଜିତିଥିବା ବେଳେ ଏଆଇଏଡିଏମକେ ମେଣ୍ଟକୁ ମିଳିଛି ୭୬ଟି ଆସନ। ଅନ୍ୟାନ୍ୟ ଦଳ ୨ଟିରେ ଜିତିଛନ୍ତି।

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଏନଡିଏ ସରକାର ଗଠନ କରିବ। ମୋଟ ୩୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଏନଡିଏ ୧୬ଟିରେ ଜିତିଥିବା ବେଳେ କଂଗ୍ରେସ ୮ଟି ଓ ଅନ୍ୟାନ୍ୟ ଦଳ ୬ଟି ଆସନରେ ବିଜୟୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button