କରୋନା ନିୟମ ଉଲ୍ଲଂଘନ: ନାଏବ ସରପଞ୍ଚ ଗିରଫ

ବ୍ରହ୍ମପୁର: କୋଭିଡ୍ ନିୟମ ଉଲ୍ଲଘଂନ କରି ଗାଆଁରେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶତାଧିକ ଲୋକଙ୍କୁ ଏକତ୍ରିତ କରିବା ନାଏବ୍ ସରପଞ୍ଚଙ୍କୁ ମହଙ୍ଗା ପଡିଛି। ପୋଲସରା ଥାନା ଅନ୍ତର୍ଗତ ମର୍ଦ୍ଦରାଜପୁର ଗ୍ରାମରେ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ନେଇ ଏକ ଉତ୍ସବ ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଶତାଧିକ ମହିଳା, ପୁରୁଷ ଏକତ୍ରିତ ହୋଇ କଳସ ଯାତ୍ରା କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାର ନେତୃତ୍ଵ ନେଇଥିଲେ ନାଏବ୍ ସରପଞ୍ଚ କୃଷ୍ଣ ଚନ୍ଦ୍ର ଜେନା।

ଗାଆଁରେ କେତେକ ଲୋକ ଏହାକୁ ବିରୋଧ କରିବାରୁ ନାଏବ୍ ସରପଞ୍ଚ ଓ ତାଙ୍କ ଭାଇ ଜୈନିକ ଯୁବକଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଖବର ପ୍ରସାରିତ ହେବା ପରେ ଜିଲ୍ଲାପାଳ ତୁରନ୍ତ ନାଏବ ସରପଞ୍ଚ, ପୁରୋହିତଙ୍କ ସମେତ ୧୨ରୁ ଅଧିକ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ନାଏବ ସରପଞ୍ଚଙ୍କୁ ସସ୍‌ପେଣ୍ଡ କରିଛନ୍ତି। ସେପଟେ ଥାନାରେ ମାମଲା ରୁଜୁ ହୋଇଥିବାରୁ ନାଏବ୍ ସରପଞ୍ଚଙ୍କୁ ଗିରଫ ମଧ୍ୟ କରାଯାଇଛି।

ମତାମତ ଦିଅନ୍ତୁ ।