କରୋନା ପାଇଁ ବିଶ୍ୱରେ ହୋଇଥିବା କ୍ଷତିର ପୁନରୁଦ୍ଧାର କରିବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ବିଶ୍ୱ ଯେଉଁ କ୍ଷତିରେ ରହିଛି ତାହାକୁ ପୁନରୁଦ୍ଧାର କରିବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ। ‘ଇଣ୍ଡିଆ ଗ୍ଲୋବାଲ ସପ୍ତାହ ୨୦୨୦’ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଗୁରୁବାର ବ୍ରିଟେନ୍ ଦ୍ୱାରା ଆୟୋଜିତ ଡିଜିଟାଲ୍ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭରଶୀଳ ଭାରତ’ ଉପରେ ଏକ ଉପସ୍ଥାପନା ଦିଆଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ ଭାରତର କମ୍ପାନୀ ଗୁଡିକ ଦ୍ୱାରା କରାଯାଇଥିବା ଉତ୍କୃଷ୍ଟ କାର୍ଯ୍ୟର ଏହା ଏକ ଝଲକ ବୋଲି ମୋଦି କହିଛନ୍ତି। ସେ କହିଛନ୍ତି ଭାରତୀୟଙ୍କ ପାଖରେ ପ୍ରତିଭା ଓ ଦକ୍ଷତା ବିଶ୍ୱର ଅର୍ଥନୀତିକୁ ପୁନରୁଦ୍ଧାର କରିବାରେ ସହାୟକ ହେବ। ଭାରତର ବୈଷୟିକ ଶିଳ୍ପ ଓ ବୈଷୟିକ ବୃତ୍ତିଗତମାନଙ୍କ ଅବଦାନ ସାରା ବିଶ୍ୱ ଜାଣିଛି। ଦଶନ୍ଧି ଧରି ଭାରତୀୟ ମାନେ ଏହି ପଥରେ ଆଗେଇ ଆସୁଛନ୍ତି। ଭାରତ ହେଉଛି ପ୍ରତିଭାର ଏକ ଶକ୍ତି କେନ୍ଦ୍ର, ଯାହା ସହଯୋଗ କରିବାକୁ ଆଗ୍ରହୀ।
ସେ କହିଲେ ଇତିହାସ ଦର୍ଶାଏ ସାମାଜିକ କ୍ଷେତ୍ରରେ ହେଉ କିମ୍ବା ଅର୍ଥନୀତି ଭାରତ ପ୍ରତ୍ୟେକ ଆହ୍ୱାନକୁ ଅତିକ୍ରମ କରିଛି। ଗୋଟିଏ ପଟେ ବିଶ୍ୱ ମହାମାରୀ ବିରୋଧରେ ଦୃଢ଼ ଭାବରେ ଭାରତ ଲଢ଼େଇ କରୁଛି। ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ସହିତ ଦେଶର ଅର୍ଥନୀତୀକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନଜର ଦେଉଛୁ। ମୋଦି କହିଲେ ଯାହା ଅସମ୍ଭବ ବୋଲି ବିଚାର କରାଯାଏ ତାହା ହାସଲ କରିବାରେ ଭାରତୀୟ ଧୁରନ୍ଦର। ପୂର୍ବରୁ ଭାରତ ଏହାକୁ ପ୍ରମାଣିତ କରିଛି। କରୋନା ମହାମାରୀ ସମୟରେ ଭାରତର ଔଷଧ ଶିଳ୍ପ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ସମ୍ପତ୍ତି ଭାବେ କାର୍ଯ୍ୟକାରୀ କରିଛି। ବିକାଶଶୀଳ ଦେଶମାନଙ୍କ ପାଇଁ ଔଷଧର ମୂଲ୍ୟ ହ୍ରାସ କରିବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଭାରତ ହେଉଛି ବିଶ୍ୱର ସବୁଠାରୁ ଖୋଲା ଅର୍ଥନୀତି। ଆମେ ସମସ୍ତ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକୁ ଭାରତ ଆସି ସେମାନଙ୍କ ଉପସ୍ଥିତି ପ୍ରତିଷ୍ଠା କରିବାକୁ ଆମନ୍ତ୍ରଣ କରୁଛୁ ବୋଲି ମୋଦି କହିଛନ୍ତି।