କୋଭିଡ୍-୧୯ ଟୀକାର ପରୀକ୍ଷା ସମ୍ପୂର୍ଣ୍ଣ କଲା ରୁଷୀୟ ବିଶ୍ଵବିଦ୍ୟାଳୟ

ମସ୍କୋ: ସେଚେନୋଭ୍ ବିଶ୍ଵବିଦ୍ୟାଳୟ କରୋନାଭାଇରସ୍ ବିରୋଧରେ ବିଶ୍ଵର ପ୍ରଥମ ଟୀକାକୁ ଭଲ୍ୟୁଣ୍ଟର୍ସମାନଙ୍କ ଶରୀରରେ ସଫଳ ପରୀକ୍ଷା ସମ୍ପୂର୍ଣ୍ଣ କରିଛି। ସେଚେନୋଭ୍ ଫାଷ୍ଟ୍‌ ମସ୍କୋ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟିରେ ଭଲ୍ୟୁଣ୍ଟର୍‌ମାନଙ୍କ ଶରୀରରେ ବିଶ୍ଵର ପ୍ରଥମ କରୋନାଭାଇରସ୍ ଟୀକାର ସଫଳ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଥିବା କଥା ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ଟ୍ରାନ୍ସଲେସ୍‌ନାଲ୍‌ ମେଡିସିନ୍ ଆଣ୍ଡ୍‌ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ଭାଦିମ ତାରାସୋଭ୍ କହିଛନ୍ତି।

ପ୍ରଥମ ଦଳର ଭଲ୍ୟୁଣ୍ଟର୍ସମାନଙ୍କୁ ବୁଧବାର ଦିନ ଏବଂ ଦ୍ଵିତୀୟ ଦଳର ଭଲ୍ୟୁଣ୍ଟର୍ସମାନଙ୍କୁ ଜୁଲାଇ ୨୦ ଦିନ ଛଡ଼ାଯିବ। ବିଶ୍ଵବିଦ୍ୟାଳୟ ରୁଷ୍‌ର ଗା‌ମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡେମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଦ୍ୱାରା ଉତ୍ପାଦିତ ଏହି ଟୀକାର ଡାକ୍ତରୀ ପରୀକ୍ଷା ଜୁନ୍ ୧୮ ତାରିଖ ଦିନ କରିଥିଲା। ସେଚେନୋଭ୍ ବିଶ୍ଵବିଦ୍ୟାଳୟସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ପାରାସାଇଟୋଲୋଜି, ଟ୍ରପିକାଲ୍ ଆଣ୍ଡ୍‌ ଭେକ୍ଟର୍-ବୋର୍ଣ୍ଣ ଡିଜିଜେସ୍‌ର ନିର୍ଦେଶକ ଆଲେକ୍‌ଜାଣ୍ଡାର୍ ଲୁକାସେଭ୍ କହିଛନ୍ତି ମାନବ ସ୍ଵାସ୍ଥ୍ୟ ପାଇଁ ଏହି ଟୀକାର ନିର୍ବିଘ୍ନତା ଦର୍ଶାଇବା ଥିଲା ଏହି ପର୍ଯ୍ୟାୟରେ କରାଯାଇଥିବା ଅଧ୍ୟୟନର ଉଦ୍ଦେଶ୍ୟ। ତାହା ସଫଳତାର ସହ ସମାପନ ହୋଇଛି। ଏହି ଟୀକା ସମ୍ପ୍ରତି ବଜାରରେ ଉପଲବ୍ଧ ଟୀକାମାନଙ୍କ ପରି ନିର୍ବିଘ୍ନ ବା ବିପଦମୁକ୍ତ।

ମତାମତ ଦିଅନ୍ତୁ ।