April 6, 2020

ଗ୍ୟାସ୍ ଲିକ୍: ଜଳିଗଲେ ବିବାହିତା ମହିଳା

ଭୁବନେଶ୍ଵର : ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ଚରଦିଆ ଗାଁରେ ଗ୍ୟାସ୍ ଲିକ୍ ଯୋଗୁ ନିଆଁ ଲାଗିଯିବାରୁ ଜଣେ ବିବାହିତା ମହିଳାଙ୍କର ମୃତ୍ୟୁ ହୋଇଛି। ଜାଲିଯାଇଛି ୬ ବଖରା ଘର। ନଷ୍ଟ ହୋଇଛି ଲକ୍ଷାଧିକ ଟଙ୍କାର ସଂପତ୍ତି। କିନ୍ତୁ ମହିଳାଙ୍କୁ ହତ୍ୟା କରାଯାଇଛି ବୋଲି ବାପଘର ଲୋକେ ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ ପ୍ରାୟ ବର୍ଷକ ତଳେ ଭଦ୍ରକ ଜିଲ୍ଲାର ଓରାସାହି ପଞ୍ଚାୟତର ବାଘନଟା ଗ୍ରାମର ପୂର୍ଣ୍ଣିମା ଦାସ ବାଁସଡ଼ା ଥାନା ଅଞ୍ଚଳର ଚରଦିଆ ଗାଁର ପ୍ରଶାନ୍ତ ମହାଳିକଙ୍କୁ ପ୍ରେମ ବିବାହ କରିଥିଲେ। ଆଜି ସକାଳେ ପୂର୍ଣ୍ଣିମା ଶାଶୂ ଶଶୁରଙ୍କ ପାଇଁ ଚା’ କରିବା ପାଇଁ ଗ୍ୟାସ୍ ଚୁଲା ଲଗାଇଥିଲେ ହେଁ ଗ୍ୟାସ୍ ଲିକ୍ କଥା ଜାଣି ପାରି ନଥିଲେ। ଫଳରେ ଗ୍ୟାସରେ ନିଆଁ ଲାଗି ଚାରିଆଡ଼େ ବ୍ୟାପି ଯାଇଥିଲା। ସେଥିରେ ପୂର୍ଣ୍ଣିମା ଜଳିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୂର୍ଣ୍ଣିମାଙ୍କ ଶାଶୂ, ଶଶୁର ଘର ବାହାରେ ଥିବାରୁ ବର୍ତ୍ତି ଯାଇଥିଲେ। ଏହି ନିଆଁରେ ପଡ଼ିଶା ଘରର ଚାରି ବଖରା ଘର ମଧ୍ୟ ଜଳିଯାଇଛି। ଘଟଣା ସମୟରେ ପୂର୍ଣ୍ଣିମାଙ୍କ ସ୍ଵାମୀ ପ୍ରଶାନ୍ତ ଘରେ ନ ଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।

ଅନ୍ୟପକ୍ଷରେ ଏହାକୁ ସୁପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ ଆଣି ପୂର୍ଣ୍ଣିମାଙ୍କ ପରିବାର ପକ୍ଷରୁ ବାଁସଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *