April 6, 2020

ପୁରୀ କଂଗ୍ରେସ ଭବନରେ ମାର୍‌ପିଟ, ୩ ଛାତ୍ରନେତା ଆହତ

ଭୁବନେଶ୍ଵର : ପୁରୀ ଜିଲ୍ଲା କଂଗ୍ରେସର ଦୁଇ ଗୋଷ୍ଠୀ ଆଜି ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିବା ବେଳେ ୩ ଜଣ ଛାତ୍ରନେତା ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଆଜି ପୁରୀ ଜିଲ୍ଲା କଂଗ୍ରେସ ଭବନରେ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ କର୍ମଶାଳା ହୋଇଥିଲା। ଏଥିରେ ଯୋଗଦେବାକୁ ଆସିଥିଲେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ସମ୍ପାଦକ ରୁଦ୍ର ରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ ନେତା ପ୍ରଦୀପ ମାଝୀ ପ୍ରମୁଖ। ବାଟ ମଙ୍ଗଳାଠାରୁ ସେମାନଙ୍କୁ ପୁରୀ କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯାଇଥିଲା। ପରେ ବିଶାଳ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ଅତିଥିମାନଙ୍କୁ ଶ୍ରୀମନ୍ଦିର ଯାଏଁ ନେଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରି ଅତିଥିମାନେ କଂଗ୍ରେସ କାର୍ଯ୍ୟାଳୟକୁ ଯାଇଥିଲେ। ସେହି ସମୟରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଜଣେ ବ୍ୟକ୍ତିଙ୍କୁ ୨୦ରୁ ଅଧିକ ଦୁର୍ବୃତ୍ତ ଲୁହା ରଡ୍‌ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଲୋକ ଦାସ, ସ୍ୱପ୍ନଜିତ ରାୟ ଓ ଆଶୁତୋଷ ମିଶ୍ର ଗୁରୁତର ଆହତ ହୋଇଛନ୍ତି। ପୋଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି। ଅନ୍ୟପକ୍ଷରେ ଦୁର୍ବୃତ୍ତମାନେ ବାହାର ଲୋକ ବୋଲି କଂଗ୍ରେସ ସଫେଇ ଦେଇଛି।

Leave a Reply

Your email address will not be published. Required fields are marked *