April 7, 2020

ଗର୍ଭବତୀଙ୍କୁ ମାଡ଼ମାରି ମହିଳା ଫରେଷ୍ଟ ଗାର୍ଡ ନିଲମ୍ବିତ

ଭୁବନେଶ୍ଵର : ଗର୍ଭବତୀଙ୍କୁ ମାଡ଼ମାରି ଉଠବସ୍‌ କରିବା ମହିଳା ଫରେଷ୍ଟ ଗାର୍ଡଙ୍କ ପାଇଁ ମହଙ୍ଗା ପଡିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ବାରାହାପାଣପୋଷି ଗାଁର ଏହି ମହିଳାଙ୍କ ଅଭିଯୋଗ ଅନୁଯାୟୀ ଡିଏଫଓ ପ୍ରସନ୍ନ କୁମାର ବେହେରା ଫରେଷ୍ଟ ଗାର୍ଡ କବିତା ବେହେରାଙ୍କୁ ନିଲମ୍ବନ କରିଛନ୍ତି। ଗର୍ଭବତୀଙ୍କୁ ବନ ବିଭାଗ ୧୦ ହଜାର ଟଙ୍କା ସହାୟତା ଦେଇଥିବା ବେଳେ ଚିକିତ୍ସା ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବା ଜଣାପଡିଛି।

ଖବର ଅନୁଯାୟୀ କାଠ ଚୋରି ଅଭିଯୋଗରେ ଫରେଷ୍ଟ ଗାର୍ଡ କବିତା ବେହେରା ଗୁରୁବାର ସନ୍ଧ୍ୟାରେ ଗର୍ଭବତୀ ସୁକୁମତି ଗୁରିୟାଙ୍କ ବାପ ଘରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଚୋରା କାଠ ନମିଳିବାରୁ ଫରେଷ୍ଟ ଗାର୍ଡ ସୁକୁମତିଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ମାଡ଼ ମାରିଥିଲେ। ଏପରିକି ନିଜ କାର୍ଯ୍ୟାଳୟକୁ ନେଇ ଉଠବସ କରାଇ ଛାଡ଼ି ଦେଇଥିଲେ। ମାଡ଼ରେ ସୁକୁମତିଙ୍କ ହାତ ଭାଙ୍ଗି ଯିବା ସହ ପେଟରେ ଯନ୍ତ୍ରଣା ହୋଇଥିଲା।

ଥାନାରେ ନେଇ ଅଭିଯୋଗ ହେବାରୁ ପୋଲିସ ଫରେଷ୍ଟ ଗାର୍ଡ଼ କବିତାଙ୍କୁ ପଚରାଉଚରା କରିଥିଲା। କିନ୍ତୁ ଗ୍ରାମବାସୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଦୁଧିଆଣି ରେଞ୍ଜରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ୨୨୦ ନମ୍ବର ଜାତୀୟ ରାଜପଥ କରଞ୍ଜିଆ-ତଙ୍ଗାବିଲା ମୁଖ୍ୟ ରାସ୍ତା କରିଥିଲେ ଅବରୋଧ। ଗ୍ରାମବାସୀଙ୍କ ଦାବି ଅନୁସାରେ ଫରେଷ୍ଟ ଗାର୍ଡ଼ କବିତା ବେହେରାଙ୍କୁ ନିଲମ୍ବନ କରାଯାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *