ସତ୍ୟବାଦୀ ଗୁଳିକାଣ୍ଡରେ ଯୁବକର ମୃତ୍ୟୁ

ଭୁବନେଶ୍ଵର : ପୁରୀ ଜିଲ୍ଲା ସତ୍ୟବାଦୀର କାଞ୍ଜିଆ ଛକରେ ଘଟିଛି ରବିବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ। ଢାବାରେ କାମ କରୁଥିବା ଏଥିରେ ପୁରନ୍ଦର ବେହେରା ଓରଫ ଭାସିଆର ଜୀବନ ଯାଇଛି। ଖବରପାଇ ପରିବାର ଲୋକେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଭୁବନେଶ୍ୱର-ପୁରୀ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

ଖବର ଅନୁଯାୟୀ ନୟାଗଡ଼ର ଛାମୁଡିଆ ଅଞ୍ଚଳର ଭାସିଆ ସତ୍ୟବାଦୀର ବଡ଼କାଞ୍ଜିଆରେ ବିବାହ କରିଥିଲେ। ସେହି ଗାଁ’ରେ ଘରଭଡ଼ା ନେଇ ପରିବାର ସହ ରହୁଥିଲେ। ଦିନରେ ରଙ୍ଗମିସ୍ତ୍ରୀ ରାତିରେ ଢାବାରେ ସପ୍ଲାୟର କାମ କରୁଥିଲେ। ରବିବାର ରାତିରେ ଢାବାକୁ ଖାଇବାକୁ ଆସିଥିବା କିଛି ଅଜଣା ଗ୍ରାହକଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଗ୍ରହକମାନେ ଅନ୍ୟ ଏକ ଢାବାକୁ ଯାଇ ଖାଇଥିଲେ। କିନ୍ତୁ ଭାସିଆ ଓ ତା’ ମାଲିକ ସେଠାରେ ପହଞ୍ଚି ଝଗଡ଼ା କରିବାରୁ ଗୁଳିକାଣ୍ଡ ଘଟିଥିଲା। ପୋଲିସ ଢାବା ମାଲିକକୁ ଅଟକ ରଖିଛି। ଅନ୍ୟପକ୍ଷରେ ଅପରାଧୀଙ୍କୁ ଧରିବା ଦାବିରେ ଲୋକମାନେ ରାସ୍ତା ଅବରୋଧ କରିଥିଲେ। ସେମାନଙ୍କୁ ପୋଲିସ ବୁଝାଇବା ପରେ ଆନ୍ଦୋଳନରୁ ଓହରି ଯାଇଛନ୍ତି।

ମତାମତ ଦିଅନ୍ତୁ ।