ଦାଦାବଟି ଆଦାୟ ଅଭିଯୋଗରେ ୭ ଗିରଫ

କଟକ : ବେଆଇନ ଦାଦାବଟି ଆଦାୟ ଅଭିଯୋଗରେ ବାଦାମବାଡ଼ି ବସଷ୍ଟାଣ୍ଡ ଅଂଚଳରୁ ୭ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଶଙ୍କରପୁର ଡିହ ସାହିର ଅନିଲ ନାୟକ, ଶଙ୍କରପୁର ଉପରସାହିର ଦେବରାଜ ସେଠୀ, ସଂଜୟ ନାୟକ, ପାନିଆପଣ୍ଡାର ଜିତେନ୍ଦ୍ର ରାଉତ, ବାରିକ ସାହିର ଅନୁପ କୁମାର ବାରିକ, ଡିହସାହିର ସଚ୍ଚିଦାନନ୍ଦ ରାଉତ ଓ ଉପରସାହିର କଳାନିଧି ଖୁଣ୍ଟିଆ।

ଖବର ଅନୁଯାୟୀ ଅଭିଯୁକ୍ତମାନେ ସ୍ଥାନୀୟ ଅଂଚଳର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଇଙ୍ଗିତରେ ବସ ମାଲିକ, କଣ୍ଡକ୍ଟର, ଡ୍ରାଇଭର, ହେଲପରଙ୍କୁ ଭୟଭୀତ କରାଇ ଦାଦାବଟି ଅସୁଲି କରୁଥିଲେ। ପରିମାଣ ଥିଲା ୨୦୦ ରୁ ୪୦୦ ଟଙ୍କା। ବାଦାମବାଡ଼ି ପୋଲିସ ଏ ସମ୍ପର୍କରେ ସୂଚନା ପାଇ ଅତର୍କିତ ଚଢ଼ଉ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରି ସେମାନଙ୍କର ଠାରୁ ୯ ହଜାର ୮୪୦ ଟଙ୍କା ଜବତ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୪ ଜଣଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଥିବା ପୋଲିସ କହିଛି।

ମତାମତ ଦିଅନ୍ତୁ ।