ଡାକ୍ତରଖାନା ଆଇସିୟୁରେ ଅର୍ଦ୍ଧଚେତନ ଯୁବତୀଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ : ବିଚିତ୍ର ମାନସିକତା। ଗୁରୁଗ୍ରାମର ଏକ ଘରୋଇ ହସପିଟାଲରେ ଲଜ୍ଜାଜନକ ଘଟଣା ଘଟିଛି। ଆଇସିୟୁରେ ଅର୍ଦ୍ଧଚେତନ ଅବସ୍ଥାରେ ଥିବା ଜଣେ ୨୧ ବର୍ଷୀୟା ଯୁବତୀଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ମଙ୍ଗଳବାର ଯୁବତୀଙ୍କ ଚେତା ଫେରିବାରୁ ସେ ତାଙ୍କ ବାପାଙ୍କୁ ଘଟଣା ସମ୍ପର୍କରେ କାଗଜରେ ଲେଖି ଜଣାଇଥିଲେ। ଏହାପରେ ପରିବାର ଲୋକଙ୍କ ପକ୍ଷରୁ ପୋଲିସରେ ଅଭିଯୋଗ କରଯାଇଥିଲା। ଏହି ଘଟଣା ଅକ୍ଟୋବର ୨୧ରୁ ୨୭ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। କାରଣ ଅକ୍ଟୋବର ୨୧ରେ ଯୁବତୀଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିଠାରେ ତାଙ୍କର ଚିକିତ୍ସା ଚାଲିଛି। ପୋଲିସ୍ କହିଛି ପୀଡ଼ିତା ମହେନ୍ଦ୍ରଗଡ଼ରେ ରହନ୍ତି। ଶ୍ଵାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ହସପିଟାଲ ଅଣାଯାଇଥିଲା। ତାଙ୍କର ଟିବି ଚିକିତ୍ସା ଚାଲିଥିଲା। ଏବେ ତାଙ୍କୁ ଆଇସିୟୁର ଏକ ପ୍ରାଇଭେଟ୍ ରୁମରେ ଅଲଗା ରଖାଯାଇଛି।

ଗୁରୁଗ୍ରାମର ଆସିଷ୍ଟାଣ୍ଟ ପୋଲିସ କମିଶନର ଉଷା କୁନ୍ଦୁ ମଙ୍ଗଳବାର ପୀଡ଼ିତାଙ୍କ ବାପାଙ୍କୁ ଭେଟିବାରୁ ସେ ଦୁଷ୍କର୍ମ ହୋଇଥିବା କହିଛନ୍ତି। ପ୍ରଥମେ ହସିପିଟାଲ ଏହାର ତଦନ୍ତ କରିଥିଲା। ପରେ ପରିବାର ଲୋକେ ପୋଲିସକୁ ଜଣାଇବାରୁ ମାମଲା ରୁଜୁ ହୋଇଛି। ଅଭିଯୁକ୍ତର ଚିହ୍ନଟ ସରିଛି। ପୀଡ଼ିତା ଅଭିଯୁକ୍ତଙ୍କ ନାଁ ବିକାଶ ବୋଲି କହିଛି। ଏହାକୁ ଆଧାର କରି ପୋଲିସ୍ ମାମଲାର ତଦନ୍ତ କରୁଥିବା ବେଳେ ସିସିଟିଭି ଫୁଟେଜର ଅନୁଧ୍ୟାନ କରୁଛି।

ମତାମତ ଦିଅନ୍ତୁ ।