ଭଦ୍ରକ : ଚାନ୍ଦବାଲି-ଭଦ୍ରକ ରାସ୍ତାର ନାଲଗୁଣ୍ଡା ଠାରେ ଆଜି ଏକ ଡମ୍ପର ଜଣେ ମହିଳାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ତିହିଡ଼ି ଓ ପରେ ଭଦ୍ରକ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଟାୟାର ଜାଲି ଅବରୋଧ କରିଥିଲେ।
ଖବର ଅନୁଯାୟୀ ସୋମବାର ସକାଳେ ଘଟିଛି ଏହି ଦୁର୍ଘଟଣା। ଏଥିରେ ନାଲଗୁଣ୍ଡା ଗାଁ ଅକ୍ଷୟ ନାୟକଙ୍କ ପତ୍ନୀ ଅନସୂୟା ନାୟକଙ୍କ ଅଣ୍ଟା ହାଡ଼ ଭାଙ୍ଗିଯାଇଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଡମ୍ପର ଚାଳକଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଟାୟାର ଜାଲି ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ପହଁଚିଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି।