ଦାରିଦ୍ର‌୍ୟ ଆକଳନର ନୂଆ ମାନଦଣ୍ଡ

॥ ଗୋପାଳ ମହାପାତ୍ର ॥
ଦେଶରେ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା କମିଛି କିନ୍ତୁ ସେମାନଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା ଓ ବାସଗୃହ ଭଳି ଆବଶ୍ୟକୀୟ ସୁବିଧା ମିଳିପାରିଛି କି ? କ’ଣ ସରକାର ଗରୀବ ଲୋକଙ୍କ ସମୀକ୍ଷା ବା ସର୍ବେକ୍ଷଣ କଲାବେଳେ ଏ ସବୁ କଥାକୁ ମାନଦଣ୍ଡ ଭାବେ ସାମିଲ କରିଛନ୍ତି ନା କେବଳ ସେମାନଙ୍କ ଆୟ ବା ରୋଜଗାରର ବୃଦ୍ଧି କାରଣରୁ ସେମାନେ ଦାରିଦ୍ର‌୍ୟସୀମାର ଉପରକୁ ଉଠିଗଲେ ବୋଲି କହୁଛନ୍ତି ?

ଦେଶରେ ୧୯୪୭ରେ ୭୦ ପ୍ରତିଶତ ଲୋକ ଦାରିଦ୍ର‌୍ୟ ସୀମାରେଖା ତଳେ ଥିଲେ । ଏବେ ସରକାର କହୁଛନ୍ତି ଏହି ସଂଖ୍ୟା କମି ୨୨ ପ୍ରତିଶତ ପହଞ୍ଚିଛି। ୧୯୪୭ରେ ଦେଶର ଜନସଂଖ୍ୟା ଥିଲା ୩୫ କୋଟି। ଏବେ ଏହା ୧୩୬ କୋଟି ଟପି ସାରିଲାଣି । ଦାରିଦ୍ର‌୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କ ଆୟ ବୃଦ୍ଧି ସହିତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରୋତ୍ସାହନ ଯୋଜନାର ସଫଳତା କାରଣରୁ ଦେଶରେ ଗରୀବ ଲୋକଙ୍କ ସଂଖ୍ୟା କମିଛି । ସରକାରଙ୍କ ବିଭିନ୍ନ ଯୋଜନା ସବୁ ଡିଜିଟାଲ ମାଧ୍ୟମରେ କରାଯାଉଥିବା ଏହା ପଛର ମୁଖ୍ୟ କାରଣ ବୋଲି କୁହାଯାଇପାରେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଜନ-ଧନ ଯୋଜନା ଏ ସନ୍ଦର୍ଭରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ଯୋଜନାରେ ପାଖାପାଖି ୪୧ କୋଟି ଲୋକ ବିଭିନ୍ନ ବ୍ୟାଙ୍କରେ ଖାତା (ଆକାଉଣ୍ଟ) ଖୋଲିଥିଲେ । ବିଶେଷ କରି ୨୨ କୋଟି ମହିଳା ବ୍ୟାଙ୍କରେ ଖାତା ଖୋଲିଛନ୍ତି ବୋଲି ସରକାର କହୁଛନ୍ତି । ଏ ସବୁ ଜନ-ଧନ ଖାତାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସବ୍‌ସିଡି ବାବଦ ଅର୍ଥ ସିଧାସଳଖ ହସ୍ତାନ୍ତରିତ କରାଯାଉଛି । ଫଳରେ ବାଟମାରଣା କମିଛି ଓ ହିତାଧିକାରୀଙ୍କର ଲାଭ ହୋଇଛି।

୧୯୬୦ ମସିହାଠାରୁ ଭାରତ ଓ ବିଶ୍ୱବ୍ୟାଙ୍କ ମଧ୍ୟରେ ଦେଶରୁ ଦାରିଦ୍ର‌୍ୟ ହଟାଇବା ପାଇଁ ଉଦ୍ୟମ ଜାରି ରହିଛି । ଭାରତରେ ଦାରିଦ୍ର‌୍ୟ ସୀମାରେଖାକୁ ଯେଭଳି ପରିଭାଷିତ କରାଯାଇଥିଲା । ତାକୁ ଦୃଷ୍ଟିରେ ରଖି ଗୋଟିଏ ଡଲାର ପ୍ରତିଦିନ ଆୟ କରୁଥିବା ବ୍ୟକ୍ତି ଗରୀବ ନୁହେଁ ବୋଲି ବିଶ୍ୱବ୍ୟାଙ୍କ କହିଥିଲା। କିନ୍ତୁ ବିଶ୍ୱବ୍ୟାଙ୍କ ଏବେ ଏହି ସୀମାକୁ ଦୁଇଡଲାର ପର୍ଯ୍ୟନ୍ତ ବୃଦ୍ଧି କରିଛି। ବିଶ୍ୱବ୍ୟାଙ୍କ ସମୟ ସମୟରେ ଦାରିଦ୍ର‌୍ୟ ସୀମାରେଖାର ପରିଭାଷାକୁ ସୁଧାରିଛି। ପ୍ରତିବ୍ୟକ୍ତି କେତେ କ୍ୟାଲୋଜ ପାଇଁ କେଉଁ ସବୁ ଖାଦ୍ୟ ସାମଗ୍ରୀର ଉପଭୋଗ କରିବ ଏବଂ ସେ ସବୁ ଖାଦ୍ୟ ସାମଗ୍ରୀକୁ କିଣିବାପାଇଁ ବ୍ୟକ୍ତିର ଆୟ କେତେ ହେବା ଆବଶ୍ୟକ ତାକୁ ଦାରିଦ୍ର‌୍ୟ ସୀମାରେଖା ବୋଲି ଭାରତରେ ପ୍ରାରମ୍ଭରେ ଗ୍ରହଣ କରାଯାଇଥିଲା। ସେ ସମୟରେ ଚିନ୍ତା କରାଯାଇଥିବା ହସ୍ପିଟାଲ ଓ ସ୍କୁଲ କଥା ସରକାର ବୁଝୁଛନ୍ତି। ପିଲାଙ୍କ ପାଠପଢ଼ା ଓ ଚିକିତ୍ସା ପାଇଁ ଗରୀବ ଲୋକଙ୍କୁ କିଛି ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ। ଏଣୁ ଉପଭୋକ୍ତା ବସ୍ତୁ ତାଲିକାରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବାବଦ ଖର୍ଚ୍ଚକୁ ସାମିଲ କରାଯାଇନଥିଲା।

ଏବେ କିନ୍ତୁ ୧୯୬୦ର ଅବସ୍ଥା ନାହିଁ। ଆଜିର ସ୍ଥିତିରେ ଦାରିଦ୍ର‌୍ୟ ସୀମାରେଖା ନିର୍ଦ୍ଧାରିତ କରିବା ବେଳେ ଖାଦ୍ୟସାମଗ୍ରୀ ଓ ଉପଭୋକ୍ତା ବସ୍ତୁ ବ୍ୟତୀତ ଅନ୍ୟ ବିନ୍ଦୁମାନଙ୍କ ଉପରେ ଧ୍ୟାନ ଦିଆଯିବା ଉଚିତ। ଅର୍ଥାତ ଦେଶରେ ଶିକ୍ଷାର ସ୍ତର କେମିତି, ଏହି ସୁବିଧ କେମିତି ଉପଲବ୍ଧ, ଏପରିକି ଶିକ୍ଷା ବ୍ୟବସ୍ଥାର କେତେ ବିକାଶ ହୋଇଛି ସେ ସକଥାକୁ ଧ୍ୟାନ ଦିଆଯିବା ଉଚିତ। ଅନ୍ୟପକ୍ଷରେ ଦେଶରେ ସ୍ୱାସ୍ଥ୍ୟ ସୁବିଧାର ସ୍ଥିତି କ’ଣ ରହିଛି ଏବଂ ଏହି ସୁବିଧା ସମସ୍ତ ନାଗରିକଙ୍କୁ ସହଜରେ ମିଳିପାରୁଛି କି ନାହିଁ ତାକୁ ଦେଖିବା ଉଚିତ। ତୃତୀୟତଃ ସବୁ ଲୋକଙ୍କର ବାସଗୃହ ଅଛି ନା ନାହିଁ ? ଦାରିଦ୍ର‌୍ୟ ସୀମାରେଖା ତଳେ ଜୀବନ ଅତିବାହିତ କରୁଥିବା ବ୍ୟକ୍ତି ବା ଲୋକଙ୍କୁ ଯଦି ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ମିଳୁନାହିଁ ବା ସେମାନଙ୍କର ବାସଗୃହ ନାହିଁ ତେବେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବାସଗୃହ ଉପଭୋକ୍ତା ବସ୍ତୁ ତାଲିକାରେ ସାମିଲ କରାଯିବା ଆବଶ୍ୟକ। ଏହା କରାଯାଇପାରିଲେ ଦେଶରେ ଥିବା ଗରୀବ ଲୋକମାନେ ଉପକୃତ ହୋଇପାରିବେ। ପ୍ରକୃତପକ୍ଷେ ସେମାନେ ଦାରିଦ୍ର‌୍ୟ ସୀମାରେଖାର ଉପରେ ବୋଲି କୁହାଯାଇପାରିବ। ଏଣୁ ସରକାର ସର୍ବେକ୍ଷଣ ବା ଆକଳନ କରିବାର ପ୍ରକ୍ରିୟାକୁ ବଦଳାଇବାର ସମୟ ଆସିଯାଇଛି।

ବିଶ୍ୱ ସ୍ତରରେ ଦାରିଦ୍ର‌୍ୟ ସୀମାରେଖାର ନିର୍ଦ୍ଧାରଣ ସାମାନ୍ୟତଃ କମ୍ ଆୟ ଆଧାରିତ ଦେଶକୁ ଧ୍ୟାନରେ ରଖି କରାଯାଇଥାଏ। ଯେଉଁଠି ଆବଶ୍ୟକ ଉପଭୋଗ୍ୟ ବସ୍ତୁ ତୁଳନାତ୍ମକ ଭାବେ ଶସ୍ତା ଦରରେ ଉପଲବ୍ଧ ହୋଇଥାଏ । ଏହି ପ୍ରକାରର ସୀମାରେଖା ମଧ୍ୟ କମ୍ ଆୟ ସହ ଯୋଡ଼ି ହୋଇଥାଏ । କିନ୍ତୁ ମଧ୍ୟମ ଆୟ ଶ୍ରେଣୀର ଦେଶରେ ଏତିକି ଆୟରେ ବା କମ୍ ଆୟରେ ଆବଶ୍ୟକ ଉପଭୋଗ୍ୟ ବସ୍ତୁ ଉପଲବ୍ଧ ହୋଇପାରିନଥାଏ । ଭାରତ ପ୍ରାରମ୍ଭରେ କମ୍ ଆୟ ଶ୍ରେଣୀର ଦେଶମାନଙ୍କର ତାଳିକାରେ ଥିଲା। ଏବେ ମଧ୍ୟମ ଆୟ ଶ୍ରେଣୀର ଦେଶମାନଙ୍କ ମଧ୍ୟରେ ସାମିଲ ହୋଇଛି। ବିଶ୍ୱସ୍ତରରେ ଏବେ ଚର୍ଚ୍ଚା ଚାଲିଲାଣି ୪ ଡଲାରରୁ କମ୍ ଆୟ କରୁଥିବା ବ୍ୟକ୍ତିଙ୍କୁ ଦରିଦ୍ର ବା ଗରୀବ ଶ୍ରେଣୀଭୁକ୍ତ କରାଯିବ। ଏହି ପରିଭାଷା କମ୍ ଆୟବାଲା ଦେଶଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ବିଶ୍ୱର ଅନେକ ଦେଶ ସେମାନଙ୍କ ଦେଶର ପ୍ରତିବ୍ୟକ୍ତିର ଦୈନଦିନର ଆୟକୁ ଏତେ ଉଚ୍ଚସ୍ତରକୁ ନେଇପାରିବେ ନାହିଁ। ଏଣୁ ଏ ସବୁ ଦେଶରେ ଦାରିଦ୍ର‌୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ। ଯଦି ସବୁ ଦେଶ ଗୋଟିଏ ପରିଭାଷାକୁ ଲାଗୁ କରୁନଥାନ୍ତେ ତେବେ ବିଭିନ୍ନ ଦେଶରେ ଏଭଳି ଲୋକଙ୍କ ସଂଖ୍ୟା ସଠିକ ଭାବେ ଜଣାପଡ଼ନ୍ତା ନାହିଁ କି ଗୋଟିଏ ଦେଶକୁ ଅନ୍ୟ ଦେଶ ସହ ତୁଳନା କରିବା କଷ୍ଟକର ହୋଇପଡ଼ନ୍ତା।

ଏଠାରେ ଆଉ ଗୋଟିଏ କଥାର ବିଚାର କରାଯାଇପାରେ। କ’ଣ ବିଶ୍ୱବ୍ୟାଙ୍କ ଓ ବିଭିନ୍ନ ଦେଶମାନଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଉଥିବା ଦାରିଦ୍ର‌୍ୟ ସୀମାରେଖା ଅଲଗା ଅଲଗା ହୋଇପାରିବ ନାହିଁ ? ବିଭିନ୍ନ ଦେଶ କାହିଁକି ଗୋଟିଏ ଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପୃଥକ ଖର୍ଚ୍ଚ ଓ ଆୟର ସ୍ତର ଅଲଗା ରହିଛି। ଏଥିସହିତ କେନ୍ଦ୍ରସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକର ପ୍ରଭାବ ଦେଶରେ ଥିବା ଗରୀବ ଲୋକଙ୍କ ଉପରେ ପଡୁଛି। ଯଦି ଗ୍ରାମାଞ୍ଚଳ ଗୁଡ଼ିକ ପାଇଁ ଅଧିକ ଯୋଜନା କରାଯାଇପାରନ୍ତା ବା କାର୍ଯ୍ୟକାରୀ ହେଉଥିବା ଯୋଜନା କେମିତି ଅଧିକ ଗରୀବ ଲୋକଙ୍କ ପାଖରେ ପହଞ୍ଚିବ ସେ ବାବଦରେ ଠୋସ ବ୍ୟବସ୍ଥା କରାଯାଇପାରନ୍ତା । ତେବେ ଗ୍ରାମାଞ୍ଚଳରେ ଗରୀବଙ୍କ ସଂଖ୍ୟା କମିପାରନ୍ତା ନିଶ୍ଚୟ ।

ଏବେ ସରକାରଙ୍କ ଉଦ୍ୟମ କାରଣରୁ ଗ୍ରାମାଞ୍ଚଳରେ ସାର୍ବଜନୈକ ବିତରଣ ପ୍ରଣାଳୀ ମଜଭୁତ ହୋଇଛି। ଲୋକଙ୍କୁ ଶସ୍ତାଦରରେ ଖାଦ୍ୟସାମଗ୍ରୀ ମିଳୁଛି। ଏହି କାରଣରୁ ସରକାର କହୁଛନ୍ତି ଦେଶରେ ଗରୀବଙ୍କ ସଂଖ୍ୟା କମିଛି। କିନ୍ତୁ ଗ୍ରାମାଞ୍ଚଳରେ ଶିକ୍ଷା କ୍ଷେତ୍ର ସୁଧୁରି ପାରିନି କିମ୍ବା ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଧୁରିନାହିଁ। ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା କମିଛି। କିନ୍ତୁ ତାହା ଆଶାନୁରୂପ ନୁହେଁ। ଭାରତର ୩ଟି ଜିନିଷ ବା ୩ଟି କଥା ଅନ୍ୟ ଦେଶମାନଙ୍କ ତୁଳନାରେ ଭିନ୍ନ। ଗୋଟିଏ ହେଉଛି ଭାରତର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ। ଦ୍ୱିତୀୟତଃ କୃଷି ଉପରେ ମଧ୍ୟ ଅଧିକ ସଂଖ୍ୟକ ଲୋକ ନିର୍ଭରଶୀଳ। ତୃତୀୟତଃ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ। ଯେଉଁଠି କାର୍ଯ୍ୟରତ ଲୋକଙ୍କ ଆୟ ନିୟମିତ ନୁହେଁ। କୃଷିକ୍ଷେତ୍ରର ଆୟ ମଧ୍ୟ ବଦଳୁଛି। ଏଥିପାଇଁ ଠିକ୍ ଭାବରେ ଅନ୍ୟ ଦେଶମାନଙ୍କ ସହ ତୁଳନା କରାଯାଇପାରୁନାହିଁ। ଆୟକୁ ସମସ୍ତ ଘରୋଇ ଉତ୍ପାଦ ବୃଦ୍ଧିରୁ ଆକଳନ କରାଯାଇପାରେ। ରୋଜଗାର ବଢ଼ିଲେ ବ୍ୟକ୍ତିର ଆୟ ବଢ଼ିବ। କିନ୍ତୁ ଅନ୍ୟ ସୁବିଧା ଯଥା ସ୍ୱାସ୍ଥ୍ୟ, ଶିକ୍ଷା ଓ ବାସଗୃହ ଆଦି କେଉଁ ସ୍ତରରେ ଉପଲବ୍ଧ ସେ କଥା ମଧ୍ୟ ଦେଖିବାକୁ ପଡ଼ିବ। ଏହି ଆକଳନ ବେଳେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ଥିବା ପାର୍ଥକ୍ୟକୁ ଦେଖାଯିବା ଆବଶ୍ୟକ। ଏ ସବୁକୁ ଗରୀବଙ୍କ ଆକଳନ ବେଳେ ଗ୍ରହଣ କରାଯାଉଥିବା ମାନଦଣ୍ଡରେ ସାମିଲ କରାଯାଇ ଦାରିଦ୍ର‌୍ୟ ସୀମାରେଖାର ପରିଭାଷାକୁ ବଦଳାଯାଇପାରିଲେ ହିଁ ପ୍ରକୃତପକ୍ଷେ ସଠିକ ଆକଳନ ହୋଇପାରିବ। ସରକାର ମଧ୍ୟ ପରିବର୍ତ୍ତିତ ପରିଭାଷା ଅନୁସାରେ ଯୋଜନା ପ୍ରଣୟନ କରି ଦେଶରୁ ଦାରିଦ୍ର‌୍ୟ ଦୂର କରିବା ଦିଗରେ ପଦକ୍ଷେପ ନେବେ।
ରାମଚନ୍ଦ୍ରପୁର, ରଣପୁର
ମୋ-୯୪୩୮୪୮୫୦୯୪

ମତାମତ ଦିଅନ୍ତୁ ।